ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ୭୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ କେବେ?

ଜୟପୁର: ୧୯୪୬ମସିହାରେ ଆରମ୍ଭ ହୋଇଥିବା ଶ୍ରୀ ବିକ୍ରମ ଚାରୁ ଓ କାରୁକଳା ବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ୍ ଜୁବୁଲି ଉତ୍ସବ ୨୦୨୧ମସିହାରେ ପାଳନ କରାଯିବା କଥା। କିନ୍ତୁ ୨ବର୍ଷ ପରେ ବି ଏହା କେବେ ପାଳନ ହେବ ତାହାର ଦିନ କିଛି ନିର୍ଦ୍ଧାରଣ ହୋଇପାରୁନାହିଁ। ଏହି ସ୍ଥିତିରେ ଏବେ ଉତ୍ସବ କେବେ ପାଳନ ହେବ ତାହାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଗତ ବର୍ଷ ପୁରାତନ ଛାତ୍ରମାନେ ପ୍ଲାଟିନମ୍ ଉତ୍ସବ ପାଳନ ପାଇଁ ୪ଥର ଓ ନଭେମ୍ବର ୫ତାରିଖ ଦିନ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଡାକି ଥରେ ଏଭଳି ୫ଟି ପ୍ରସ୍ତୁତି ବୈଠକ କରିଥିଲେ। ଡିସେମ୍ବର ପ୍ରଥମ ସପ୍ତାହରେ ଶୁଭାରମ୍ଭ ଉତ୍ସବ ଏବଂ ୨୦୨୩ମସିହା ଜାନୁଆରୀ ୨ୟରୁ ୩ୟ ସପ୍ତାହ ମଧ୍ୟରେ ମୁଖ୍ୟ ମହୋତ୍ସବ କରିବା ଏବଂ କଣ କଣ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା କିଭଳି କରାଯିବ ଆଦି ସଂପର୍କରେ ନିଷ୍ପତ୍ତି ନିଆଯାଇଥିଲା। ତା ପରେ ଆଉ କେହି ଏହି ଉତ୍ସବ ପାଳନ କଥା ସବୁ ଭୁଲି ଯାଇଛନ୍ତି। ଏହାରି ମଧ୍ୟରେ ହିଁ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ୭୫ତମ ପୂର୍ତ୍ତି ଉତ୍ସବ ମହାସମାରୋହ ସହ ପାଳନ ହୋଇସାରିଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ, ୫ଟି ସଚିବ ଆଦି ଭାଗ ନେଇ ବିଶ୍ବବିଦ୍ୟାଳୟ ସହ ୮କୋଟିର ଅଡିଟୋରିୟମ୍ କରିବାକୁ ବି ଘୋଷଣା କରିଥିଲେ।

ତେବେ ରାଜ୍ୟ ସରକାରଙ୍କୁ ପୂର୍ବରୁ ଏସଂପର୍କରେ ପ୍ରଶାସନ ଓ ବିଦ୍ୟାଳୟ ପକ୍ଷରୁ ସୂଚନା ଦେଇ ଆଲୋଚନା କରିଥିଲେ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବ ବି ଏକା ସହ ପାଳନ ହୋଇପାରନ୍ତା। ରାଜ୍ୟ ସରକାର ପୂର୍ବରୁ ଏହି ବିଦ୍ୟାଳୟକୁ କଳା ମହାବିଦ୍ୟାଳୟ ପାଇଁ ଘୋଷଣା କରିସାରିଥିବା ଏବଂ ୫ଏକର ଜମି ଚିହ୍ନଟ କରି ଦେଇଥିବାରୁ ଏହା ମଧ୍ୟ ସେଠାରେ ଘୋଷଣା କରନ୍ତେ। ଏହା ସାଙ୍ଗରେ ଅତ୍ୟାଧୁନିକ କଳା ମହାବିଦ୍ୟାଳୟ ପାଇଁ କିଛି ସ୍ବତନ୍ତ୍ର ଯୋଜନା ମଧ୍ୟ ଘୋଷଣା ହୋଇପାରନ୍ତା। ତେବେ ଭାରପ୍ରାପ୍ତ ଅଧ୍ୟକ୍ଷ, ପୁରାତନ ଛାତ୍ର ସଂସଦ ଓ ପ୍ରଶାସନର ଖାମଖିଆଲି ଓ ଅବହେଳାରୁ ଏହା ହୋଇ ପାରିଲା ନାହିଁ ବୋଲି ବହୁ ହସ୍ତଶିଳ୍ପୀ, ଚିତ୍ରକର, ପୁରାତନ ଛାତ୍ର ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଭାରପ୍ରାପ୍ତ ଅଧ୍ୟକ୍ଷ ଯେବେ ଦେଖିଲେ ଅନୁପସ୍ଥିତ ରହିବା ଆମ ପାଇଁ ବଡ ସମସ୍ୟା। ବିଧାୟକ ଓ ଜିଲ୍ଲାପାଳଙ୍କୁ ଭେଟି ଅଧ୍ୟକ୍ଷ ଏ ନେଇ ଆଲୋଚନା କରିବା କଥା , କିନ୍ତୁ ଅଧ୍ୟକ୍ଷ କାହିଁକି ପଛାଉଛନ୍ତି , ତାଙ୍କର ଉଦ୍ଦେଶ୍ୟ କଣ ରହିଛି, କିଛି ସ୍ପଷ୍ଟ ଭାବେ ଜଣାପଡ଼ୁନାହିଁ ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ଗତ ୨୦୨୧ ମସିହାରେ କରୋନା କଟକଣା , ପରବ , ବୋର୍ଡ ପରୀକ୍ଷା ଆଦି ଯୋଗୁଁ ବିଳମ୍ବ ହୋଇଛି। ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କର ବୋର୍ଡ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇ ଏପ୍ରିଲ ଶେଷ ସପ୍ତାହ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ସରିବା ପରେ ହିଁ ଉତ୍ସବକୁ ନେଇ ଆଲୋଚନା କରି ହେବ ବୋଲି କହିଛନ୍ତି ଭାରପ୍ରାପ୍ତ ଅଧ୍ୟକ୍ଷ ଯୁଧିଷ୍ଠିର ମଲ୍ଲୀକ।

ସମ୍ବନ୍ଧିତ ଖବର