ଭଞ୍ଜନଗରରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଘୁମୁସର ମାଟିର ଲୁକ୍କାୟିତ ପ୍ରତିଭାର ବିକାଶ ହେବ: ମନ୍ତ୍ରୀ ଆରୁଖ୍‌

ଭଞ୍ଜନଗର: ଭଞ୍ଜନଗରରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ କ୍ରୀଡାବିତ୍, ବୁଦ୍ଧିଜୀବୀ ଯୁବକଯୁବତୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି। ବିଭିନ୍ନ କ୍ରୀଡାର ପ୍ରତିଭା ଘୁମୁସର ମାଟିରେ ରହିଥିବାବେଳେ ତାକୁ ବିକଶିତ କରିବା ପାଇଁ ଏହି ଷ୍ଟାଡିୟମ ବିଶେଷ ମାତ୍ରାରେ ସହାୟକ ହୋଇପାରିବ ବୋଲି ଯୁବକ୍ରୀଡାବିତ୍ ମାନେ ପ୍ରକାଶ କରିଛନ୍ତି। ଘୁମୁସର ମାଟିର ଖେଳାଳିମାନଙ୍କ ପାଇଁ ଏହି ଷ୍ଟାଡିୟମ ମୁଖ୍ୟମନ୍ତ୍ରୀ ଉତ୍ସର୍ଗୀକୃତ କରିଥିବାରୁ ଆଜି ବହୁ କ୍ରୀଡାବିତ୍, ଯୁବକଯୁବତୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ସମସ୍ତେ ରଘୁନାଥ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବନବିଭାଗ ଡାକବଙ୍ଗଳା ଠାରେ ପହଞ୍ଚିଥିଲେ। ସେଠାରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍‌ଙ୍କୁ କୃତଜ୍ଞତା ଜଣାଇଥିଲେ। ସେଠାରେ ମନ୍ତ୍ରୀ ଆରୁଖ୍‌ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ଯୁବକ୍ରୀଡାବିତ୍ ମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଭିସି ମାଧ୍ୟମରେ ଜୁଲାଇ ୧ ତାରିଖ ଦିନ ଭଞ୍ଜନଗରରେ ଇଣ୍ଡୋର ଷ୍ଟାଡିୟମ ସ୍ଥାପନ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ।

Sambad

ଆଜି ମୁଖ୍ୟମନ୍ତ୍ରୀ ସେମାନଙ୍କ କଥା ରଖି ପ୍ରାୟ ୬ କୋଟି ୪୦ ଲକ୍ଷ ଟଙ୍କାରେ ଆମ ଅଞ୍ଚଳରେ ଏହି ଷ୍ଟାଡିୟମ ନିର୍ମାଣ ପାଇଁ ଘୋଷଣା କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏଥିସହ ଏହି ଷ୍ଟାଡିୟମ ନିର୍ମାଣ ଦ୍ବାରା ସ୍ଥାନୀୟ କ୍ରୀଡା କ୍ଷେତ୍ରରେ ବେଶ ସହାୟକ ହେବା ସହ ଅନେକ ଲୁକ୍କାୟିତ ପ୍ରତିଭା ସାମ୍ନାକୁ ଆସିପାରିବ ବୋଲି ସେ କହିଥିଲେ। ଏଥିରେ ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଦିବାକର ନାୟକ, ରାଜେନ୍ଦ୍ର ବିଶୋୟୀ, ଶୂଳପାଣି ଶତପଥୀ, ଅନୁପମ ବାନାର୍ଜୀ, ପୂର୍ବତନ ନଗରପାଳ ସୁଧୀର ରଞ୍ଜନ ବେହେରା, ଛାତ୍ରୀ ମନୋଲିସା ମିଶ୍ର, ସ୍ମୃତିସ୍ମିତା ପ୍ରଧାନ, ମହିଳା ନେତ୍ରୀ ସୁଜ୍ଞାନୀ ଗୌଡ, ଅଭିମନ୍ୟୁ ବିଶୋୟୀ, ପଞ୍ଚାନନ ପାଳ ସମେତ ବହୁ କ୍ରୀଡାବିତ୍ ଛାତ୍ରଛାତ୍ରୀ ଯୁବକମାନେ ଉପସ୍ଥିତ ରହି କୃତଜ୍ଞତା ଜଣାଇଥିଲେ।

ସମ୍ବନ୍ଧିତ ଖବର