ମାଲକାନଗିରି: ମାଲକାନଗିରି ଜିଲ୍ଲାର ପ୍ରାଥମିକ ଶିକ୍ଷକମାନଙ୍କ ପ୍ରବେଶିକା ପରୀକ୍ଷା (ଓଟିଇଟି) ଦୁଇଦିନ ତଳେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷା ପୂର୍ବରୁ ବାହାରେ ପ୍ରଶ୍ନର ଉତ୍ତର ପତ୍ର ୫ ହଜାର ଟଙ୍କାରେ ବିକ୍ରି ହେଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମୋବାଇଲରୁ ମୋବାଇଲ ଇତ୍ତର ପତ୍ର ଗୁଡିକ ଘୁରି ବୁଲିଲା। ଏନେଇ ଦାୟିତ୍ବରେ ଥିବା ପର୍ଯ୍ୟବେକ୍ଷକ ମାନଙ୍କୁ ପଚାରିବାରୁ ସେଭଳି କୌଣସି ଘଟଣା ଘଟିନାହିଁ ବୋଲି ଦୃଢକ୍ତି ପ୍ରକାଶ କରିବା ସହ ବାହାରେ କଣ ଘଟୁଛି ତାହା ଆମେ ଜାଣିନାହିଁ। ତେବେ କିପରି ଦ୍ବିତୀୟ ଥର ଓଟିଇଟି ପରୀକ୍ଷାର ପ୍ରଶ୍ନତ୍ତର ଲିକ ହୋଇ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଲା। ଏହାର ତଦନ୍ତ କରିବା ପରେ ଜଣାପଡିଲା ଯେ ଗତଥର ଭଳି ଏଥର ମଧ୍ୟ ୫ ହଜାର ଟଙ୍କାରେ ଏହି ପ୍ରଶ୍ନତ୍ତର ବଜାରରେ ମିଳୁଥିଲା। ତେବେ କିଏ ଏବଂ କାହିଁକି ଏଭଳି କରୁଛି ତାହାକୁ ନେଇ ବିଭାଗ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିାବାକୁ ଶିକ୍ଷକ ମହଲରେ ଦାବି ହୋଇଛି। ପ୍ରଶ୍ନପତ୍ର କିପରି ଲିକ ହେଉଛି ଏହାର ଉଚିତ ତଦନ୍ତ କରାଯାଉ ନାହିଁ। ଯାହାଫଳରେ ଯେଉଁ ଶିକ୍ଷକମାନେ ପାଠ ପଢି ପରୀକ୍ଷା ଦେଉଛନ୍ତି ସେମାନଙ୍କ ଜୀବନ ସହ ଖେଳ ଖେଳାଯାଉଛି। ବାରମ୍ବାର ପ୍ରଶ୍ନ ପତ୍ର ଲିକ ହେବା ବିଭାଗର କାର୍ଯ୍ୟକାରିତା ଉପରେ ଅଙ୍କୁଳି ନିର୍ଦେଶ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। କେହି ବିଭାଗୀୟ ଅଧିକାରୀ ହିଁ ଏଭଳି କାର୍ଯ୍ୟ କରି ଲକ୍ଷାଧିକ ଟଙ୍କା ହଡପ କରିବାକୁ ଚାହୁଁଛନ୍ତି।
ତେବେ ଏଥିରେ କିଛି ଶିକ୍ଷକ ଫାଇଦା ପାଉଛନ୍ତି। ଯେଉଁମାନେ ଦୁର୍ଗମ ଅଞ୍ଚଳରେ ରହୁଛନ୍ତି ସେମାନେ ଏନେଇ ଅଜ୍ଞ ଅଟନ୍ତି। ଦ୍ବିତୀୟ ଥର ଅନୁଷ୍ଠିତ ଓଟିଇଟି ପରୀକ୍ଷାରେ ହୁଏତ ପ୍ରଶ୍ନ ପତ୍ର ଲିକ ହୋଇନପାରେ ବୋଲି ଯେଉଁ ଆଶା କରାଯାଉଥିଲା ତାହା ହୋଇନଥିଲା। ଏଥିରେ ଯେଉଁମାନେ ସଂଶ୍ଲିଷ୍ଟ ରହିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡିଥିବା କୁହାଯାଇଛି। ବାରମ୍ବାର ଏଭଳି ଘଟିବା ପଛରେ ଘୃଣ୍ୟ ବ୍ୟକ୍ତିଙ୍କର ଫାଇଦା ହିଁ ରହିଛି। ପ୍ରକାଶଥାଉକି, ଏଥର ମଧ୍ୟ ତିନୋଟି ସେଣ୍ଟର ହୋଇଥିବା ବେଳେ ୭୪୨ ଜଣ ଶିକ୍ଷକ ପରୀକ୍ଷା ଦେଇଥିଲେ। ଗତଥର ଯେଉଁମାନେ ଏହି ପରୀକ୍ଷାରୁ ବଞ୍ଚିତ ହୋଇଥିଲେ ସେମାନେ ଏଥର ପରୀକ୍ଷା ଦେଇଥିଲେ।କିନ୍ତୁ ପୁଣି ବିଭ୍ରାଟ ହେବା ପରେ ଏଥର ପୁଣି ପରୀକ୍ଷା ବନ୍ଦ ହେବ ନାହିଁ ତ ବୋଲି ଆଶଂକାରେ ରହିଛନ୍ତି। ଏଥର ପରୀକ୍ଷାକୁ କଡାକଡି କରାଯିବା ସହ ତିନୋଟି କେନ୍ଦ୍ରରେ ତିନି ଜଣ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା।ଜଣେ ଅତିରିକ୍ତ ଜିଲ୍ଲାପାଳ, ଜଣେ ଉପଜିଲ୍ଲାପାଳ ଏବଂ ଅନ୍ୟ ଜଣେ ପିଏ, ଆଟିଡିଏ। ଏତେସବୁ କଡା ସୁରକ୍ଷା ବଳୟରେ ମଧ୍ୟ ବାହାରେ ପ୍ରଶ୍ନତ୍ତର ବୁଲୁଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାର ଉଚିତ ତଦନ୍ତ କରାଯାଇ ଶିକ୍ଷକ ମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଶିକ୍ଷକ ମହଲରେ ଦାବି ହୋଇଛି।