ଟାଙ୍କୁଆରେ ମାତିଛନ୍ତି ପ୍ଲଟିଂ ମାଫିଆ, ବେଆଇନ ପ୍ଲଟିଂରେ ନୋଟିସ ଜାରି କଲେ ସରପଞ୍ଚ

ଜୟପୁର : କୋରାପୁଟ ଜିଲ୍ଲା ଟାଙ୍କୁଆ ଗ୍ରାମପଞ୍ଚାୟତରେ ମାତିଛନ୍ତି ପ୍ଲଟିଂ ମାଫିଆ। ପଞ୍ଚାୟତର ବିନା ଅନୁମତିରେ ପ୍ଲଟିଂ କରାଯାଇଥିବାରୁ ଏହାକୁ ବରୋଧ କରି ସରପଞ୍ଚଙ୍କ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ଟାଙ୍କୁଆ ସରପଞ୍ଚ ମଦନ ଗାଦବା ଏନେଇ ବାଘ୍ରା, ଡିମଳା, ଟାଙ୍କୁଆ, ତରଡିପୁଟ ପରି ସ୍ଥାନରେ ପ୍ଲଟିଂ ସ୍ଥାନରେ ନୋଟିସ ମାରିଛନ୍ତି। ବିନା ଅନୁମତିରେ ମାଟି ପକାଇ କିଶମ ପରିବର୍ତ୍ତନ କରାଯାଇଥିବରୁ ପଞ୍ଚାୟତ ପକ୍ଷରୁ ଆଇନଗତ କାର୍ଯ୍ୟନୁଷ୍ଠାନ କରାଯିବାନେଇ ଏକ ନୋଟିସ ଜାରି କରାଯାଇଥିବା ସେ କହିଛନ୍ତି । ଦୀର୍ଘ ଦୀନ ଧରି ଚାଷୀ ଓ ଚାଷ ଜମି ଉପରେ ଜମି ମାଫିଆଙ୍କର ଲୋଲୁପଦୃଷ୍ଟି ପଡିଥିବାବେଳେ ଜୟପୁର ତହସିଲ କତ୍ତୃପକ୍ଷ ହାତବାନ୍ଧି ବସିଥିବା ଦେଖିବାକୁ ମିଳିଛି।

କୃଷିର ଉନ୍ନତି ଓ କୃଷକର ଉନ୍ନତି କହି ସରକାର ବହୁ ଜଳ ପ୍ରକଳ୍ପ ହାତକୁ ନେଇଥିବାବେଳେ ଜୟପୁର ତହଲସିର ଅପରାଗତା ହେତୁ ଏହା ଏବେ ବାଟ ହୁଡିଛି । ଅଣଜଳସେଚିତ ଜମିକୁ କୋଟି କୋଟି ଖର୍ଚ୍ଚ କରି ସରକାର ଏହାକୁ ଜଳସେଚନ ବ୍ୟବସ୍ଥା କରୁଥିବାବେଳେ ମାଟି ପକାଇ ଏହାକୁ ବନ୍ଦ କରୁଛନ୍ତି ପ୍ଲଟିଂ ମାଫିଆ। ସବୁ ନିୟମକୁ ଦଳି ଚକଟି ପ୍ଲଟିଂ ପାଇଁ ସୁବିଧାରେ କିଶମ ପରିବର୍ତ୍ତନ କରୁଥିବାରୁ ସ୍ଥାନୀୟ ସରପଞ୍ଚ ଆପତ୍ତି  ଉଠାଇଛନ୍ତି ।  ଏହାକୁ ବସବୋଯୋଗୀ କରି ରାସ୍ତା ସହ ଲାଇଟ ଲଗାଉଥିବା ଦେଖିବାକୁ ମିଳିଛି। ନିୟମ ଅନୁସାରେ ପଞ୍ଚାୟତ ଅଧୀନରେ ରହିଥିବା ଜମିକୁ ପ୍ଲଟିଂ କରିବା ପୂର୍ବରୁ ସ୍ଥାନୀୟ ସରପଞ୍ଚ ଓ ଗ୍ରାମପଞ୍ଚାୟତର ଅନୂମତି ନେବାକୁ ପଡିବ । ଏହି ଅନୁମତି ମଧ୍ୟରେ ଜଳସେଚିତ ହୋଇଛି କି ନାହିଁ, ଯଦି ଜଳସେଚିତ ହୋଇଛି ତେବେ ଜଳଉତ୍ସକୁ ବାଧ ଉପୁଜୁଛି କି ନାହିଁ ପ୍ରଥମେ ତଦନ୍ତ କରାଯିବ । ଏହାପରେ ଏହିଠାରେ ପ୍ଲଟିଂ କରିବାକୁ ଅନୁମତି ଦିଆଯିବ । କିନ୍ତୁ ଏହିଠାରେ ରହିଥିବା ଜମିକୁ ଦୁଇବର୍ଷ ତଳେ ପ୍ଲଟିଂ କରାଯାଇଥିବାବେଳେ କଟାରିପୁଟ ସବମାଇନର କେନାଲକୁ ବନ୍ଦ କରିଦିଆଯାଇଛି । ଫଳରେ ତଳମୁଣ୍ଡରେ ରହିଥିବା ଜମିକୁ ମାଡୁନି ପାଣି । ଗତ ଦୁଇବର୍ଷ ହେବ ଏହି ଅଞ୍ଚଳରେ ଧାନ ଭଲ ହେଉ ନ ଥିବା ଜଣାପଡିଛି । ଏହି ଅଞ୍ଚଳରେ ୨୨୬/୧୯୭ରେ ୫ ଏକର, ୨୭/୧୯୫/୨୭୯,୨୫/୨୭୭,୨୪/୨୭୬,୩୧/୨୭୫ ଖାତା ନମ୍ବରରେ ରହିଥିବା ଜମରେ ପ୍ଲଟିଂ ମାଫିଆ ମାଟି ଭର୍ତ୍ତି କରିଦେବାରୁ ତଳମୁଣ୍ଡକୁ ଯାଉନି ପାଣି । ଏହି ସମସ୍ତ ଜମି ଉଭୟ ଖରିଫ ଓ ରବି ପାଇଁ ପାଣି ଯୋଗାଣ ବ୍ୟବସ୍ଥା ରହିଥିବାବେଳେ ଏହାକୁ କିପରି ପ୍ଲଟିଂ କରାଗଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ୨୦୦୬ରେ ରାଜ୍ୟ ସରକାରଙ୍କର ଏକ ଚିଠି  ଅନୁସାରେ ବିନା ଉପଯୁକ୍ତ କାରଣ ଦର୍ଶାଇ ଜମିର କିଶମ ପରିବର୍ତ୍ତନ କରିପାରିବେ । କିନ୍ତୁ ଏହି କ୍ଷେତ୍ରରେ ସବୁ ନିୟମକୁ ଉଲଙ୍ଘନ କରାଯାଇଛି । ତିନିବର୍ଷ ଯଦି ଚାଷ ହୋଇ ନ ଥିବ ତେବେ ଜମିର କିଶମ ପରିବର୍ତ୍ତନ କରିହେବ । ୨୦୨୮ ମସିହାର ସରକାରୀ ନିୟମ ଅନୁସାରେ ଏହି ଜମିରେ ମାଟି ଭରିବାକୁ ପଞ୍ଚାୟତର  ଅନୁମତି ନେବାକୁ ପଡିବ । କିନ୍ତୁ ଟାଙ୍କୁଆ ପଞ୍ଚାୟତର ୫ଟି ପ୍ଲଟିଂସ୍ଥଳରେ ଏହି ନିୟମକୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର ଓ ସରପଞ୍ଚଙ୍କୁ ବହୁବାର ବହୁ ସଂଗଠନ ପକ୍ଷରୁ ଦାବି କରାଯାଇଥିବାବେଳେ କୌଣସି ସୁଫଳ ମିଳିପାରିନାହିଁ।

ସମ୍ବନ୍ଧିତ ଖବର