ରାଉରକେଲା: ରାଜ୍ୟର ଦ୍ବିତୀୟ ସ୍ମାର୍ଟ ସିଟିର ମାନ୍ୟତା ପାଇଛି ରାଉରକେଲା। କିନ୍ତୁ ବିକାଶର ସ୍ବାଦ ଚାଖି ନାହାନ୍ତି ସହରବାସୀ। ପେଟପାଟଣା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପରିବାର ସହ ସହରରେ ରହୁଥିବା ସାଧାରଣ ଲୋକଙ୍କୁ ଘର ଖଣ୍ଡିଏ ମିଳୁନି। ରାଜ୍ୟର ପ୍ରମୁଖ ସହରରେ ହାଉସିଂ ପ୍ରୋଜେକ୍ଟ ଜରିଆରେ ଘର ନଥିବା ଲୋକଙ୍କୁ ଘର ନିର୍ମାଣ ପାଇଁ ସରକାରୀ ମୂଲ୍ୟରେ ପ୍ଲଟ ଯୋଗାଇ ଦିଆଯାଉଛି। ରାଉରକେଲା କିନ୍ତୁ ଏହାର ବ୍ୟତିକ୍ରମ। ଆଜିକୁ ପ୍ରାୟ ୧୫ ବର୍ଷ ଧରି ପ୍ଲଟ ଆବଣ୍ଟନ ନାଁରେ ସ୍ବପ୍ନ ଦେଖାଯାଉଛି।
ଅଭିଯୋଗ ଅନୁସାରେ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍ଡିଏ), ଓଡ଼ିଶା ହାଉସିଂ ବୋର୍ଡରୁ ବ୍ୟବସାୟୀ, ଶିଳ୍ପପତି, ଥିଲାବାଲା ଲୋକ ଏକାଧିକ ପ୍ଲଟ ହାତେଇଛନ୍ତି। ଜାଲ୍ ଏନ୍ଓସି ଜରିଆରେ ଏସବୁ ପ୍ଲଟକୁ ଆକାଶଛୁଆଁ ଦରରେ ବେଆଇନ ଭାବେ ବିକ୍ରି କରୁଛନ୍ତି। ବାସନ୍ତୀ କଲୋନି, ଛେଣ୍ଡ କଲୋନି, କଳିଙ୍ଗବିହାରରେ ଘର ନିର୍ମାଣ ନାଁରେ ଏମିତି ଏକାଧିକ ପ୍ଲଟ ପଡିଛି। ଯେଉଁଗୁଡ଼ିକୁ ଲକ୍ଷ ଲକ୍ଷ ଟଙ୍କାରେ ବିକି ମାଲେମାଲ୍ ହେଉଛନ୍ତି ତଥାକଥିତ ବ୍ୟବସାୟୀ କିଛି ଜମି ଦଲାଲ। ଛେଣ୍ଡ କଲୋନିର ‘ଇ‘ ପ୍ଲଟ (୭୫୦ ବର୍ଗଫୁଟ୍)କୁ ୨୮୦୦ରୁ ୩୦୦୦ ଟଙ୍କାରରେ କିଣି ୩୫ ରୁ ୪୦ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି। ଏ ଲ୍ସିଆର୍ ବ୍ଲକରେ (୧୧୦୦ ବର୍ଗଫୁଟ)ର ପ୍ଲଟକୁ ୧୦ ହଜାରରୁ ୧୨ ହଜାର ଟଙ୍କା ମଧ୍ୟରେ କିଣି ୫୦ରୁ ୬୦ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି। ଏଲ୍ ପ୍ଲଟ (୧୫୦୦ବର୍ଗଫୁଟ)କୁ ପ୍ରାୟ ୧୩ ହଜାର ଟଙ୍କାରେ କିଣି ୬୦ରୁ ୬୫ ଲକ୍ଷ ଟଙ୍କାରେ ଅନ୍ୟକୁ ବିକ୍ରି କରୁଛନ୍ତି। ଅନୁରୂପ ଭାବେ ୬୦୦, ୧୦୦୦, ୭୫୦ ବର୍ଗ ଫୁଟର ପ୍ଲଟକୁ ଆର୍ଡିଏ, ହାଉସିଂ ବୋର୍ଡ ଠାରୁ ହାତେଇଥିବା ଦାମର ଦେଢ଼ଶହ ଗୁଣା ଅଧିକ ଦାମରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି।
କେବଳ ଛେଣ୍ଡ ନୁହେଁ ବାସନ୍ତୀ କଲୋନି, କଳିଙ୍ଗ ବିହାର ମଧ୍ୟ ସମାନସ୍ଥିତି। ପ୍ଲଟ ଆଲ୍ଟମେଣ୍ଟ ହେବାର ତିନି ବର୍ଷ ମଧ୍ୟରେ ଘର ନିର୍ମାଣ କରିବା ସହ ଏ ସମ୍ପର୍କିତ ରିପୋର୍ଟ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇବେ ନ ହେଲେ ଆଲଟମେଣ୍ଟ ବାତିଲ ହୋଇଯିବାର ନିୟମ ରହିଛି। ମାତ୍ର ୧୯୮୦ରୁ ୮୫ ମସିହା ମଧ୍ୟରେ ଆର୍ଡିଏ ଓ ହାଉସିଂ ବୋର୍ଡଠାରୁ ହାତେଇଥିବା ଶତାଧିକ ଖାଲି ପ୍ଲଟ, ଅର୍ଦ୍ଧନିର୍ମିତ ଘରକୁ ବେପାର ନାଁରେ ବର୍ଷ ବର୍ଷ ଧରି ପକାଇ ରଖିଛନ୍ତି। କେବଳ ଏତିକି ନୁହେଁ, ଆର୍ଏମ୍ସି, ଆର୍ଡିଏ, ହାଉସିଂ ବୋର୍ଡ, ସ୍ଥାନୀୟ ତହସିଲଦାରଙ୍କ ଅଫିସର ବିଭାଗୀୟ ଅଧିକାରୀଙ୍କ ସହ ଭିତିରି ସଲାସୁତୁରା କରି ସହରରେ ଘର ନାହିଁ ବୋଲି ଏକାଧିକ ଜାଲ୍ ଏନ୍ଓସି ହାତେଇଛନ୍ତି। ସେହି ଏନ୍ଓସି ଜରିଆରେ ଜଣେ ବ୍ୟବସାୟୀ, ଶିଳ୍ପପତି, ନର୍ସିଂହୋମ୍ ସହ କିଛି ତଥାକଥିତ ଜମି ମାଫିଆ ହାଉସିଂ ବୋର୍ଡ, ଆର୍ଡିଏରୁ ବାସନ୍ତୀ କଲୋନି, ଛେଣ୍ଡ କଲୋନି, କଳିଙ୍ଗ ବିହାରରେ ଏକାଧିକ ପ୍ଲଟ ହାତେଇଛନ୍ତି ଆଉ କିଛି ନିଜ ସମ୍ପର୍କୀୟଙ୍କ ନାଁରେ ମଧ୍ୟ ନେଇଛନ୍ତି ବୋଲି ଅଭିଯୋଗ ଆସିଛି।
ବର୍ଷ ବର୍ଷ ଧରି ସେମିତି ପଡିଥିବା ଖାଲି ପ୍ଲଟ, ଅର୍ଦ୍ଧ ନିର୍ମିତ ଘର ପ୍ଲଟର ଆଲଟମେଣ୍ଟ ବାତିଲ କରାଯାଉ ନାହିଁ। କେବଳ ଏମାନଙ୍କୁ ନୋଟିସ୍ ଦେଇ ବିଭାଗ ତାର କାମ ସାରି ଦେଇ ଚୁପ୍। ବିଡମ୍ବନା, ପ୍ଲଟହାତେଇଥିବା ବ୍ୟବସାୟୀ ବିକିବାବେଳେ ବିକିବାକୁ ଆର୍ଡିଏ ଅଧିକାରୀଙ୍କୁ ବିଭିନ୍ନ ବାହାନା ଦେଖାଇବାକୁ ପଛାଉ ନାହାନ୍ତି। ‘କିଏ କହୁଛି ମୋର ଝିଅ ବାହାଘର, ତ ପୁଣି କିଏ କହୁଛି ମୋର ଆର୍ଥିକ ସ୍ଥିତି ଠିକ୍ ନାହିଁ’। ଯେଉଁମାନେ ପ୍ଲଟକୁ ବିକୁଛନ୍ତି ସେମାନଙ୍କୁ ଆର୍ଡିଏ ବିନା ଯାଞ୍ଚରେ ଅନୁମତି ଦେଇ ଦେଉଛନ୍ତି। ଏହି କାରବାରରେ ଆର୍ଡିଏ କିଛି ଅଧକାରୀଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରରେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ପ୍ଲଟ ଯେତିକି ଟଙ୍କାରେ ବିକ୍ରି କରୁଛନ୍ତି ଓନରସିପ୍ ଟ୍ରାନ୍ସଫର୍ମର ସମୟରେ ଅଧା ମୂଲ୍ୟ ଦର୍ଶାଉଛନ୍ତି। ଏହି କାରବାର ବିଧିବଦ୍ଧ ତଦନ୍ତ କରାଗଲେ ଏକାଧିକ ପ୍ଲଟ ହାତେଇଥିବା ବ୍ୟବସାୟୀ, ଶିଳ୍ପପତି, ଜମି ମାଫିଆଙ୍କ ସମେତ ଆର୍ଡିଏ କିଛି ଅଧିକାରୀ କାରନାମା ପଦାକୁ ଆସିପାରନ୍ତା ବୋଲି ସାଧାରଣରେ ଦାବି ହେଉଛି।
ଅନ୍ୟପଟେ ଗତ ୨୦୦୮ରେ ହାଇପାୱାର କମିଟି ହାଉସିଂ ପ୍ରୋଜେକ୍ଟ ପାଇଁ ଆର୍ଡିଏକୁ ଛେଣ୍ଡ ପଛପାର୍ଶ୍ବରେ ପ୍ରାୟ ୧୦୮ ଏକର ଜମି ଆବଣ୍ଟନ କରିଥିଲେ। ଆର୍ଡିଏ ଏହି ଜାଗାରେ ୨୦ ହଜାର ଘର ନିର୍ମାଣ କରିବାକୁ ଘୋଷଣା କରିଥିଲା। ତାହା ଏବେ କେବଳ ଘୋଷଣାରେ ରହି ଯାଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଯେଉଁ ୧୦୮ ଏକର ସରକାରୀ ଜମି ଆର୍ଡିଏକୁ ମିଳିଥିଲା, ସେଥିରୁ ପ୍ରାୟ ୫୦ ଏକର ଜମି ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଇଛି। ଛେଣ୍ଡ ଧାମରା ସଂଘ ବସ୍ତିରେ ପ୍ରତିଦିନ ସରକାରୀ ଜାଗାରେ ଘର ନିର୍ମାଣ ହେଉଥିଲେ ପ୍ରଶାସନିକ ଅଧିକାରୀଙ୍କୁ ଦିଶୁନି। କେବଳ ଏତିକି ନୁହେଁ କିଛି ଜମିକୁ ଭିତିରି ସଲାସତୁରା କରି ଘରୋଇ ସଂସ୍ଥାକୁ ଶାଗମାଛ ଦରରେ ବିକ୍ରି କରି ଦିଆଯାଇଛି। ଅବଶିଷ୍ଟ କିଛି ଜମିକୁ ଆର୍ଡିଏ ନିଜ ଅକ୍ତିଆରକୁ ନେଇଛି। କିନ୍ତୁ ସେଠାରେ କେବେ ହାଉସିଂ ପ୍ରୋଜେକ୍ଟ ହେବ କାହାରି ପାଖରେ ଉତ୍ତର ନାହିଁ। ଫଳରେ ସାଧାରଣ ଲୋକଙ୍କୁ ରାଉରକେଲା ସହରରେ ଏବେ ଘର ଖଣ୍ଡିଏ ମିଳିବା ଏକପ୍ରକାର ଦିବା ସ୍ବପ୍ନ ହୋଇ ରହିଯାଇଛି।