ଋଷିକୂଲ୍ୟା ପୋଲ ଉପରୁ ନଦୀକୁ ଡେଇଁଲେ କଲେଜ ଛାତ୍ରୀ: ମାଛଧରାଳୀ ବଞ୍ଚାଇଲେ ଜୀବନ

ଛତ୍ରପୁର: ଗଞ୍ଜାମ ସହର ଉପକଣ୍ଠରେ ରହିଥିବା ଋଷିକୂଲ୍ୟା ସଡ଼କ ପୋଲ ଉପରୁ ଗୁରୁବାର ଅପରାହ୍ନରେ ଜନୈକା ଛାତ୍ରୀ ନଦୀକୁ ଡେଇଁ ପଡ଼ିଥିଲେ। ଏହି ଘଟଣା ଘଟିବା ସମୟରେ ସେଠାରେ ମାଛମାରୁଥିବା ଦୁଇଜଣ ବ୍ୟକ୍ତି ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଫଳରେ ଛାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା। ଛାତ୍ରୀ ଜଣକ ଛାତ୍ରପୁର ବ୍ଲକର ଚିକଲଖଣ୍ଡି ଗ୍ରାମର ଦୀନବନ୍ଧୁ ରାଉଳଙ୍କ ଝିଅ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଛାତ୍ରୀଙ୍କୁ ପୋଲ ଉପରୁ ନଦୀ ଭିତରକୁ ଡେଇଁ ପଡ଼ିଥିବା ଦେଖି ନଦୀ ମଧ୍ୟରେ ମାଛ ମାରୁଥିବା ସୁକାନ୍ତ ବେହେରା ଓ ପବିତ୍ର ବେହେରା ସଙ୍ଗେସଙ୍ଗେ ତାଙ୍କୁ ସେଠାରୁ ଉଦ୍ଧାର କରି ନେଇଥିଲେ। ଗଭୀର ଜଳ ମଧ୍ୟରୁ ଜନୈକା ଛାତ୍ରୀଙ୍କୁ ଉଦ୍ଧାର କରି ଦୁହେଁ କୂଳକୁ ଆଣିଥିଲେ।
ଏହି ଘଟଣା ସମ୍ପର୍କରେ ଖବରପାଇ ଯୁବନେତା ସୁଧୀର କୁମାର ପାଢୀ,ସମାଜସେବୀ ଉମାକାନ୍ତ ବେହେରା,ବିଦ୍ୟାଧର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତଙ୍କ ସହଯୋଗରେ ତାଙ୍କୁ ଗଞ୍ଜାମ ସ୍ୱାସ୍ତ୍ୟକେନ୍ଦ୍ର କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ପୁଲିସକୁ ଖବର ଦିଆ ଯିବା ପରେ ତାଙ୍କ ପରିବାର ବର୍ଗଙ୍କୁ ଖବର ଦିଆ ଯାଇଥିଲା। ଏନେଇ ଗଞ୍ଜାମ ପୁଲିସ ତଦନ୍ତ କରୁଥିବା ଜଣା ପଡ଼ିଛି। ଛତ୍ରପୁର ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଜଣକ ଯୁକ୍ତ ତିନିରେ ପାଠପଢ଼ୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର