ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ: ଖୋର୍ଦ୍ଧାରେ ବିଜ୍ଞାନରେ ଆଶୁତୋଷ ଓ ବାଣିଜ୍ୟରେ ସ୍ନେହାଙ୍କ ସର୍ବାଧିକ ନମ୍ବର

ଖୋର୍ଦ୍ଧା: ଆଜି ଯୁକ୍ତ ଦୁଇ କାଉନ୍ସିଲର ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳ ପରିସୀମାରେ ଥିବା ତିନିଟି କଲେଜ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଓ ହଳଦିଆ କଲେଜ ମଧ୍ୟରୁ ପ୍ରାଣନାଥ ମହାବିଦ୍ୟାଳୟର ଛାତ୍ରୀ ସ୍ନେହା ଅଗ୍ରୱାଲ୍ ବାଣିଜ୍ୟରେ ୫୫୬ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ଆଶୁତୋଷ ଦାଶ ୫୫୯ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।

ପ୍ରାଣନାଥ ମହାବିଦ୍ୟାଳୟ କର୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ, ବାଣିଜ୍ୟରେ ସ୍ନେହା ଅଗ୍ରୱାଲ୍ (୫୫୬), ପ୍ରତୀକ୍ଷା ଅଗ୍ରୱାଲ୍ (୫୪୮), ଶୁଭଶ୍ରୀ ପଟ୍ଟନାୟକ (୫୪୮), ବି ୟଶ୍ୱିତା ଆଚାର୍ଯ୍ୟ (୫୪୪) ନମ୍ବର ରଖିଛନ୍ତି । ସେହିଭଳି ବିଜ୍ଞାନରେ, ଆଶୁତୋଷ ଦାଶ (୫୫୯), ଜ୍ୟୋତ୍ସ୍ନାରାଣୀ ଖଟେଇ (୫୪୨), ସନ୍ଧ୍ୟାରାଣୀ ବଳିଆରସିଂହ (୫୪୦), ରମାକାନ୍ତ ମିଶ୍ର (୫୪୪), ଶ୍ୱେତାଶ୍ରୀ ମାର୍ଥା (୫୪୪) ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ମହାବିଦ୍ୟାଳୟର ୪୯୮ଜଣ ଛାତ୍ର ରେଗୁଲାର-ବିଜ୍ଞାନ ପରୀକ୍ଷା ପାଇଁ ଆବେଦନ ପତ୍ର ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ ପରୀକ୍ଷା ଦେଇନଥିଲେ । ପରୀକ୍ଷା ଦେଇଥିବା ମୋଟ ୪୯୫ଜଣଙ୍କ ମଧ୍ୟରୁ ୪୮୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୨୮ଜଣ ପ୍ରଥମ ଶ୍ରେଣୀ, ୫୪ଜଣ ଦ୍ୱିତୀୟ ଶ୍ରେଣୀ ଓ ୭ଜଣ ତୃତୀୟ ଶ୍ରେଣୀରେ ପାସ୍ ହୋଇଥିବା ବେଳେ ୬ଜଣ ଅକୃତକାର୍ଯ୍ୟ ହୋଇଛନ୍ତି ।

ସେହିଭଳି ବାଣିଜ୍ୟ ବିଭାଗରେ ୩୪୩ ଜଣ ଛାତ୍ର ରେଗୁଲାରରେ ଆବେଦନପତ୍ର ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୩୩୮ଜଣ ପରୀକ୍ଷା ଦେଇଥିବା ବେଳେ ୩୧୮ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୦ଜଣ ଅକୃତକାର୍ଯ୍ୟ ହୋଇଛନ୍ତି । ୨୦୧ଜଣ ପ୍ରଥମ ଶ୍ରେଣୀ, ୮୪ଜଣ ଦ୍ୱିତୀୟ ଶ୍ରେଣୀ ଓ ୩୩ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି । ମୋଟାମୋଟି ଭାବେ ବିଜ୍ଞାନରେ ପାସ୍ ହାର ୯୮.୧୯ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୯୪.୦୮ ପ୍ରତିଶତ ରହିଛି ।
ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗରେ ୧୪ଜଣ ପରୀକ୍ଷା ପାଇଁ ଆବେଦନ ପତ୍ର ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଅକୃତକାର୍ଯ୍ୟ ହୋଇଥିବା ବେଳେ କୃତକାର୍ଯ୍ୟ ହୋଇଥିବା ୧୩ଜଣଙ୍କ ମଧ୍ୟରୁ ୪ଜଣ ପ୍ରଥମ ଓ ୯ଜଣ ତୃତୀୟ ସ୍ଥାନ ରଖିଛନ୍ତି । ଛାତ୍ରୀ ତୁଳସୀ ସାହୁ ସର୍ବାଧିକ ୪୬୯ (୭୮.୧୭%) ନମ୍ବର ରଖିଥିବା ମହାବିଦ୍ୟାଳୟ କର୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ହଳଦିଆ ମହାବିଦ୍ୟାଳୟରେ, ବିଜ୍ଞାନରେ ୧୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ଜଣ ପ୍ରଥମ ସ୍ଥାନ ରଖିଥିବା ବେଳେ ୨ଜଣ ଦ୍ୱିତୀୟ ଓ ୫ଜଣ ତୃତୀୟ ସ୍ଥାନ ରଖିଛନ୍ତି । ବାଣିଜ୍ୟରେ ୯ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରଥମ ସ୍ଥାନ, ୨ଜଣ ଦ୍ୱିତୀୟ ଓ ୬ଜଣ ତୃତୀୟ ସ୍ଥାନ ରଖି କୃତକାର୍ଯ୍ୟ ହୋଇଥିବା ମହାବିଦ୍ୟାଳୟ କର୍ତୃପକ୍ଷ ସୂଚନା ଦେଇଛନ୍ତି ।

 

ସମ୍ବନ୍ଧିତ ଖବର