ଘରୋଇ ଆବାସିକ ବିଦ୍ୟାଳୟରୁ ଯୁକ୍ତ ୨ ବିଜ୍ଞାନ ଛାତ୍ର ନିଖୋଜ

ସମ୍ବଲପୁର: ସ୍ଥାନୀୟ ଭାଲୁପାଲିସ୍ଥିତ ସେଭେନ୍‌ହିଲ୍‌ସ ଆବାସିକ ବିଦ୍ୟାଳୟରୁ ଯୁକ୍ତ ୨ ବିଜ୍ଞାନ ଦ୍ଵିତୀୟ ବର୍ଷର ଛାତ୍ର ନିଖୋଜ ଅଛନ୍ତି। ନିଖୋଜ ଛାତ୍ରଙ୍କ ନାମ ବିବେକ ମେହେର(୧୭)। ଗୁରୁବାର ଦିନ ୨ଟାରୁ କେଉଁଆଡ଼େ ଚାଲିଯାଇଛନ୍ତି, ତାହା ଜଣାପଡ଼ିନାହିଁ। ନିଖୋଜ ନେଇ ସୂଚନା ମିଳିବା ପରେ ବିବେକଙ୍କ ବାପା ଘନଶ୍ୟାମ ମେହେର ଶୁକ୍ରବାର ଅଇଁଠାପାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଅଇଁଠାପାଲି ପୁଲିସ୍‌ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। କେଉଁ ପରିସ୍ଥିତିରେ ଏକ ଆବାସିକ ସ୍କୁଲରୁ ବିବେକ ବାହାରକୁ ଗଲେ ଓ କେଉଁଆଡ଼େ ଗଲେ ତାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ସେପଟେ, ସ୍କୁଲରେ ଲାଗିଥିବା ସିସିଟିଭି ମଧ୍ୟ କାମ କରୁନଥିବାରୁ ବିବେକ କୁଆଡ଼େ ଗଲେ ସେସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ପୁଲିସକୁ କୌଣସି ସୂଚନା ମିଳିପାରି ନାହିଁ।

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଞ୍ଚଳର ବିବେକ ଶୁକ୍ରବାର ଦିନ ୨ଟାରେ କ୍ଲାସ୍‌ ସାରି ଫେରିଥିଲେ। ତେବେ ଅଚାନକ ସେ ଛାତ୍ରାବାସରୁ ବାହାରି ଗେଟ୍‌ପାସ୍‌ ନେଇ କେଉଁଆଡ଼େ ଚାଲିଯାଇଥିଲେ। ସ୍କୁଲ ଗେଟ୍‌ରେ ମଧ୍ୟ ତାଙ୍କୁ କେହି ଅଟକାଇନଥିଲେ। ପରେ ସେ ଦୀର୍ଘ ସମୟ ଯାଏ ସ୍କୁଲକୁ ନଫେରିବା ପରେ ସନ୍ଧ୍ୟା ୭ଟାରେ ସ୍କୁଲ କର୍ତ୍ତୃପକ୍ଷ ବିବେକଙ୍କ ଘରକୁ ଫୋନ୍‌ କରି ସେ ସ୍କୁଲକୁ ବାହାରି ଯାଇଥିବା କଥା କହିଥିଲେ।

ତେବେ ରାତି ସୁଦ୍ଧା ବିବେକ ଘରକୁ ନପହଞ୍ଚିବା ପରେ ପରିବାର ଲୋକେ ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ। ଅପରପକ୍ଷେ, ବିବେକଙ୍କୁ ତାଙ୍କ ୱାର୍ଡେନ୍‌ ଗେଟ୍‌ ପାସ୍‌ ଦେଇ ନଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଗେଟ୍‌ ପାସ୍‌ ବହିରୁ ପରବର୍ତ୍ତୀ ସିରିଏଲ ନମ୍ବରର ଏକ ପାସ୍‌ ଚିରି ନିଜ ନାମ ଓ ଠିକଣା ଲେଖିବା ପରେ ତାକୁ ଦେଖାଇ ସେ ଗେଟ୍‌ ଦେଇ ବାହାରକୁ ଚାଲିଯାଇଥିବା ସ୍କୁଲ କର୍ତ୍ତୃପକ୍ଷ ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର