କଲେଜ ହଷ୍ଟେଲରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର; ସୁସାଇଡ ନୋଟ୍‌ରେ ଉଲ୍ଲେଖ- ଧନ ତୁମେ ବ୍ରେକ୍‌ଅପ ଚାହୁଁଥିଲ, ମୁଁ ଚାଲିଲି…

ପୁରୀ: ଧନ ତୁମେ ବ୍ରେକ୍‌ଅପ ଚାହୁଁଥିଲ, ମୁଁ ଚାଲିଲି। ଏଥର ତୁମେ ଜୀବନକୁ ଆନନ୍ଦର ସହିତ ଉପଭୋଗ କର। ଏମିତି ଏକ ଲୁହଭିଜା ଚିଠି ଲେଖି ଆତ୍ମହତ୍ୟା କରିଛି ଜଣେ ନାବଳିକା କଲେଜ ଛାତ୍ରୀ। ଟାଉନ ଥାନା ଅନ୍ତର୍ଗତ ପୁରୀ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟ (ଏସସିଏସ୍ )ର ହଷ୍ଟେଲରେ ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆତ୍ମହତ୍ୟା କରିଥିବା ନାବାଳିକା ଛାତ୍ରୀ ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ବୋଲି ଜଣାଯାଇଛି।

ସୂଚନା ଅନୁସାରେ ଏସସିଏସ୍ ମହାବିଦ୍ୟାଳୟର +୨ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ଆଜି ପୂର୍ବାହ୍ନ ୧୧ଟାରେ ଉଦ୍ଧାର ହୋଇଥିଲା। ନାବାଳିକା ଜଣକ ସୁକନ୍ୟା ହଷ୍ଟେଲରେ ରହୁଥିଲା। ଗତକାଲି ରବିବାର, ଆଜି ଦୀପାବଳି ଓ ଆସନ୍ତାକାଲି ସୋମବାର ଅବସରରେ ଛୁଟି ଥିଲେ ବି ସେ କୌଣସି କାରଣରୁ ଘରକୁ ଯାଇ ନ ଥିଲା। ଆଜି ନାବାଳିକାର କୋଠରୀ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଭିତର ପାର୍ଶ୍ବରୁ ବନ୍ଦ ଥିବାରୁ ଅନ୍ୟ ଛାତ୍ରୀମାନେ ଏବାବଦରେ ୱାର୍ଡେନଙ୍କୁ ସୂଚନା ଦେଇଥିଲେ। ‌ହଷ୍ଟେଲର କର୍ମଚାରୀ ଆସି ଦେଖିଲା ବେଳକୁ ଭିତର ପଟରୁ କବାଟ ବନ୍ଦ ଥିବାରୁ ପୁଲିସକୁ ସୂଚନା ଦିଆଯାଇଥିଲା। ପରେ ପୁଲିସର ଉପସ୍ଥିତିରେ ନାବାଳିକାର ଝୁଲନ୍ତା ମୃତଦେହ ଠାବ ହୋଇଥିଲା।

ପୁଲିସ ମୃତଦେହ ନିକଟରୁ ଏକ ଦୁଃଖଦପୂର୍ଣ୍ଣ ଚିଠି ଜବତ କରିଛି। ଯେଉଁଥିରୁ ଜଣାପଡ଼ିଛି ଯେ, ନାବାଳିକା ଜଣେ ଯୁବକଙ୍କୁ ଭଲ ପାଉଥିଲା। କିନ୍ତୁ ତା’ର ପ୍ରେମିକ ତା’ଠାରୁ ସଂପର୍କ ଛିନ୍ନ କରିବାକୁ ଚାହୁଁଥିଲା। ଚିଠିରେ ଉଲ୍ଲେଖ ରହିଛି ଯେ, ଧନ ତୁମେ ବ୍ରେକ୍‌ଅପ ଚାହୁଁଥିଲ, ମୁଁ ଚାଲିଲି। ଏଥର ତୁମେ ଜୀବନକୁ ଉପଭୋଗ କର। ଏହି ମାମଲାରେ ଡିଏସ୍‌ପି ଅସ୍ମିତା ପରମିତାଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର