ବାଲେଶ୍ୱର: ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗରିବ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଲେଶ୍ବର ଜିଲ୍ଲାରେ ଦିଗହରା ହୋଇଛି। ବର୍ଷ ବର୍ଷ ଧରି ଜିଲ୍ଲାର ବିଭିନ୍ନ ବ୍ଲକରେ ୬୫ ହଜାରରୁ ଅଧିକ ଘର ପଡ଼ି ରହିଥିବାବେଳେ ବିଭାଗୀୟ ଅଧିକାରୀ ଏବଂ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ। ଚଳିତ ବର୍ଷ ଜିଲ୍ଲାକୁ ୬୬ ହଜାର ୫୯୭ ଘର ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଗତ ୫ ମାସ ମଧ୍ୟରେ ଏହାର ସଫଳତା ହାର ୧ ପ୍ରତିଶତ ମଧ୍ୟ ଅତିକ୍ରମ କରି ନପାରିବା ଚିନ୍ତାର ବିଷୟ ହୋଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷରେ ବାଲେଶ୍ୱର ଜିଲ୍ଲାକୁ ଆସିଥିବା ପ୍ରଧାନମନ୍ତ୍ରୀ ଆବାସରୁ ୧୪ ହଜାର ୧୫୯ଟି ବଣ୍ଟନ ନହୋଇ ପଡ଼ିରହିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଆଉ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ। ୨୦୨୧-୨୨ ଆର୍ଥିକ ବର୍ଷରେ ମଧ୍ୟ ପୁନରାବୃତ୍ତି ଘଟିଲା। ଦୁଇବର୍ଷରେ ପୂରଣ ହୋଇ ନଥିବା ଧାର୍ଯ୍ୟ ଲକ୍ଷ୍ୟ ୪୦ ହଜାର ୭୭୦କୁ ଟପିଗଲା। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ୧୧ ହଜାର ୬୮୮ ଏବଂ ୨୦୨୩-୨୪ ଆର୍ଥିକ ବର୍ଷ ଏପ୍ରିଲ ମାସ ବେଳକୁ ଜିଲ୍ଲାର ପ୍ରଧାନମନ୍ତ୍ରୀ ଆବାସ ଲକ୍ଷ୍ୟ ଧାର୍ଯ୍ୟ ୬୬ ହଜାର ୫୯୭ରେ ପହଞ୍ଚିଛି। ଏପ୍ରିଲ୍‌ ମାସରୁ ଚଳିତ ଅଗଷ୍ଟ ୨୭ ତାରିଖ ମଧ୍ୟରେ ମାତ୍ର ୫୫୩ଟି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ସରିଥିବା ବେଳେ ଏବେ ବି ୬୬ ହଜାର ୪୪ଟି ଆବାସଗୃହ ବଣ୍ଟା ନହୋଇ ପଡ଼ିରହିଛି। ଯାହାର ସଫଳତା ହାର ମାତ୍ର ୦.୮୩ % ରହିଛି। ଚଳିତବର୍ଷ ଦିଆଯାଇଥିବା ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଦିନକୁ ଯଦି ପାଖାପାଖି ୩୦୦ ଘର ନିର୍ମାଣ କରାଯାଏ ତା’ ହେଲେ ଚଳିତ ବର୍ଷ ଏହି ଲକ୍ଷ୍ୟ ଧାର୍ଯ୍ୟ ୧୦୦% ପୂରଣ ହୋଇପାରିବ। ହେଲେ ଦିନକୁ ୩୦୦ ପରିବର୍ତ୍ତେ ଜିଲ୍ଲାରେ ୩ରୁ ୪ଟି ଘର ସମ୍ପୂର୍ଣ୍ଣ ହୋଇଛି।

Advertisment

ଜିଲ୍ଲାରେ ଜଳେଶ୍ୱର ବ୍ଲକର ସର୍ବାଧିକ ୭୯୮୩, ଭୋଗରାଇ ବ୍ଲକର ୭୮୨୯, ବାଲେଶ୍ୱର ସଦର ବ୍ଲକ୍‌ରେ ୭୬୪୯, ବାଲିଆପାଳରେ ୬୮୪୦, ରେମୁଣା ବ୍ଲକ୍‌ରେ ୬୭୦୫, ନୀଳଗିରିରେ ୫୫୪୬, ବସ୍ତା ବ୍ଲକ୍‌ରେ ୫୩୪୬, ବାହାନଗା ବ୍ଲକ୍‌ରେ ୪୯୧୨, ଖଇରା ବ୍ଲକ୍‌ରେ ୪୬୪୮, ଔପଦା ବ୍ଲକ୍‌ରେ ୩୩୨୧, ସିମୁଳିଆ ବ୍ଲକ୍‌ରେ ୩୩୦୨ ଓ ସୋର ବ୍ଲକ୍‌ରେ ସର୍ବନିମ୍ନ ୧୯୬୩ ପ୍ରଧାନମନ୍ତ୍ରୀ ଆବାସ ପଡ଼ିରହିଛି। ଅନ୍ୟପକ୍ଷରେ ଚଳିତ ବର୍ଷ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ୫୫୩ ଆବାସ ଘର ମଧ୍ୟରୁ ଭୋଗରାଇ ବ୍ଲକ୍‌ରେ ୧୧୦ ଥିବା ବେଳେ ବସ୍ତା ବ୍ଲକ୍‌ରେ ୧୯, ନୀଳଗିରି ବ୍ଲକ୍‌ରେ ୧୭, ଔପଦା ବ୍ଲକ୍‌ରେ ୩୦, ସୋର ବ୍ଲକ୍‌ରେ ୩୭, ସିମୁଳିଆ ବ୍ଲକ୍‌ରେ ୪୨, ଖଇରା ବ୍ଲକ୍‌ରେ ୪୩, ବାଲିଆପାଳ ବ୍ଲକ୍‌ରେ ୪୭, ଜଳେଶ୍ୱର ବ୍ଲକ୍‌ରେ ୫୮, ବାହାନଗା ବ୍ଲକ୍‌ରେ ୬୨, ବାଲେଶ୍ୱର ସଦରରେ ୭୯ ଓ ଭୋଗରାଇ ବ୍ଲକ୍‌ରେ ସର୍ବାଧିକ ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍‌ରୁ ଅଗଷ୍ଟ ୨୫ ମଧ୍ୟରେ ୧୧୦ଟି ଘର ନିର୍ମାଣ ସରିଛି।

ଏଥିସହ ରେମୁଣା ବ୍ଲକ୍‌ରେ ୫ ମାସ ମଧ୍ୟରେ ମାତ୍ର ୯ଟି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ପ୍ରଧାନମନ୍ତ୍ରୀ ଆବାସ ପାଇଁ ଚଳିତବର୍ଷ ଜିଲ୍ଲାକୁ ଗୋଟିଏ ବି ଆବାସ ଗୃ୍ହ ଦିଆଯାଇନାହିଁ। ପୁରୁଣା ୩ ବର୍ଷରେ ପୂରଣ ହୋଇନଥିବା ଲକ୍ଷ୍ୟଧାର୍ଯ୍ୟକୁ ମିଶାଇ ତାହା ଚଳିତବର୍ଷର ଲକ୍ଷ୍ୟଧାର୍ଯ୍ୟରେ ସାମିଲ କରାଯାଇଛି। ଆଉ ଏହା ଯଦି ଠିକ୍ ସମୟରେ ପୂରଣ ହୋଇ ନପାରିଲା ତା’ହେଲେ ପ୍ରଧାନମନ୍ତ୍ରୀ ଆବାସ ଲକ୍ଷ୍ୟଧାର୍ଯ୍ୟ ପୂରଣରେ ବାଲେଶ୍ବର ଜିଲ୍ଲା ବେଶ୍ ପଛରେ ପଡ଼ିଯିବାର ଆଶଙ୍କା ସୃଷ୍ଟି ହୋଇଛି।