ପିଏମ୍-କେୟାର୍ସ ଯୋଜନାରେ ଜିଲ୍ଲାର ୭ ଅନାଥ ଶିଶୁଙ୍କୁ ସହାୟତା ପ୍ରଦାନ

ଖୋର୍ଦ୍ଧା: ୨୦୨୦ ମାର୍ଚ୍ଚ ୧ ତାରିଖରୁ ୨୦୨୧ ଡିସେମ୍ବର ୩୧ ତାରିଖ ମଧ୍ୟରେ ପିତା-ମାତାଙ୍କୁ ହରାଇଥିବା ୧୮ ବର୍ଷରୁ କମ୍ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ-ସିଟିଜେନ୍ ଆସିଷ୍ଟାନ୍ସ ଆଣ୍ଡ ରିଲିପ୍ ଇନ୍ ଏମର୍ଜେନ୍ସି ସିଟ୍ୟୁସନ୍ସ ଫଣ୍ଡ (ପିଏମ୍-କେୟାର୍ସ) ଯୋଜନାରେ ୧୦ଲକ୍ଷ ଟଙ୍କା ଯାଏଁ ମିଳିବ । ଏହି ଅର୍ଥରାଶିକୁ ହିତାଧିକାରୀମାନେ ୨୩ ବର୍ଷ ପରେ ଉଠାଇପାରିବେ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଖୋର୍ଦ୍ଧା ଜିଲ୍ଲାର ୭ଜଣ ଶିଶୁଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଆଜି ଜିଲ୍ଲାପାଳ କାର୍ଯ୍ୟାଳୟର ଓସୱାନ୍ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିତାଧିକାରୀ ଶିଶୁଙ୍କୁ ଏହି ସହାୟତା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ରହି ଏହି ସହାୟତା ପ୍ରଦାନ କରିଥିଲେ ।

ଏହି ଅବସରରେ ଜିଲ୍ଳାପାଳ କହିଛନ୍ତି ଯେ ପିଏମ୍-କେୟାର୍ସରେ ଦିଆଯାଇଥିବା ଅର୍ଥକୁ ହିତାଧିକାରୀ ୨୩ ବର୍ଷ ପରେ ଉଠାଇପାରିବ କିମ୍ବା ୧୮ ବର୍ଷ ପରେ ହିତାଧିକାରୀମାନେ ଏହାର ସୁଧକୁ ବ୍ୟାଙ୍କରୁ ଉଠାଇପାରିବେ । ଏହାସହ ସେମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଫଣ୍ଡ (ଏସ୍ଡିଆର୍ଏଫ୍)ରୁ ମରୋଣତ୍ତର ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ମିଶନ ବାତ୍ସଲ୍ୟ ଅଧୀନରେ ମାସିକ ୪ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । ଏହାସହ ହିତାଧିକାରୀ ଶିଶୁମାନେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ସୈନିକ ସ୍କୁଲରେ ପାଠ ପଢ଼ିବାର ସୁଯୋଗ ରହିଛି ।

ଜିଲ୍ଲାର ୭ ହିତାଧିକାରୀଙ୍କ ମଧ୍ୟରୁ ଜଣେ ଶିଶୁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବା ପାଇଁ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରୁ ୭ ଜଣ ସହାୟତା ପାଇଥିବା ଶିଶୁମାନେ ହେଲେ- ଭୁବନେଶ୍ୱର ବ୍ଲକର ଅଭିଷେକ ସାହୁ, ଯସ୍ମିନ୍ ପୃଷ୍ଟି, ଝାନ୍ସିରାଣୀ ପୃଷ୍ଟି, ଲୋପମୁଦ୍ରା ବାରିକ, ବାଣପୁର ବ୍ଲକର ମଧୁସ୍ମିତା ଘଡ଼େଇ, ବାଲିଅନ୍ତାର ସମ୍ବିତ କୁମାର, ଖୋର୍ଦ୍ଧା ବ୍ଲକର ସୁଜଲ ପାଇକରାୟ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ନୀଳକଣ୍ଠ ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ସିଡବ୍ଲୁସି ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଏଲ୍ପିଓ ସୌମ୍ୟେନ୍ଦ୍ର ନାୟକ, ଅନୂପ କୁମାର ବେହେରା ଓ ରୀତାଂଜଳି ମହାନ୍ତି ପ୍ରମୁଖ ସଂଯୋଜନା କରିଥିଲେ ଓ ଜିଲ୍ଲା ସୂଚନା ଓ ଜନସମ୍ପର୍କ ବିଭାଗର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ |

ସମ୍ବନ୍ଧିତ ଖବର