ଭଦ୍ରକ: ସାରା ବିଶ୍ବ ଆଜି କରୋନା ମହାମାରୀ ପାଇଁ ଆତଙ୍କିତ। ଏହି ମହାମାରୀ ଯୋଗୁଁ ସବୁ କିଛି ଠପ୍ ହୋଇଯାଇଛି।  କରୋନା ପାଇଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଛୋଟ ଛୋଟ ବ୍ୟବସାୟୀ ।ଏଇ ବ୍ୟବସାୟୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇସେମାନଙ୍କର ବ୍ୟବସାୟକୁ ଚାଲୁ କରିବା ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଯୋଜନା କାର୍ଯ୍ୟକାରୀ କରାଯାଉଛି।

Advertisment

ସାରା ଭାରତ ବର୍ଷରେ ଏଇ ଯୋଜନା କାର୍ଯ୍ୟ କରାଯାଉଛି। ବିଶେଷକରି କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଏଇ ଯୋଜନାରେ ସାମିଲ କରି ସେମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।  ଏଇ ଯୋଜନାରେ ପ୍ରତି ବ୍ୟବସାୟୀଙ୍କୁ ୧୦ ହଜାର ଟଙ୍କାର  ସ୍ବଳ୍ପ ମିଆଦି ଋଣ ପ୍ରଦାନ କରିବାକୁ ଯୋଜନା କରାଯାଇଛି। ଏଇ ୧୦ ହଜାର ଟଙ୍କାରୁ ପ୍ରତି ବ୍ୟବସାୟୀଙ୍କୁ ୭ ପ୍ରତିଶତ ଋଣ ଛାଡ କରାଯାଇଛି। ଅର୍ଥାତ ୭ ଶହ ଟଙ୍କା ଋଣ ଆଉ ସୁଝିବାକୁ ପଡିବ ନାହିଁ। ଅବଶିଷ୍ଟ ଋଣ ଟଙ୍କାକୁ ବ୍ୟବସାୟୀମାନେ ବର୍ଷକ ମଧ୍ୟରେ ସୁଧ ସହ ମୂଳ ଧନ ସୁଝିବାକୁ କୁହାଯାଇଛି। ଏହି ଋଣ ନେବାକୁ ଛୋଟ ଛୋଟ ବ୍ୟବସାୟୀମାନେ ନାରାଜ ଥିବା ଜଣାପଡିଛି। ସୁଧମୂଳ ସହ ଋଣ ଟଙ୍କା ପରିଶୋଧ କରିବାକୁ କୁହାଯାଉଥିବାରୁ ଏଥିପାଇଁ ବ୍ୟବସାୟୀମାନେ ଏଇ ଯୋଜନାରେ ଋଣ ନେବାକୁ ଅରାଜି ଥିବା ଜଣାପଡିଛି।  ଆଉକିଛି ବ୍ୟବସାୟୀ ବ୍ୟାଙ୍କ ଗୁଡିକର କଟକଣାକୁ ଦେଖି ଋଣ ନେବାକୁ ଚାହୁଁ ନଥିବା ସ୍ଥଳ ବିଶେଷରେ ଦେଖାଯାଉଛି।

ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଗୋଟିଏ ମାସ ବିତିବାକୁ ଯାଉଥିବା ବେଳେ ଏହାର ସଫଳ ରୂପାୟନ ନେଇ ସେନ୍ଦହ ପ୍ରକାଶ ପାଇଛି।  ଭଦ୍ରକ ପୌରପାଳିକାରେ  ଋଣ ପାଇଁ ଆବେଦନ କରିଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକ ଋଣ ଉଠାଣ କରି ନଥିବା ଜଣାପଡିଛି। ପ୍ରଥମ କରେନା ପାଇଁ କ୍ଷତିଗ୍ରସ୍ତ ଛୋଟ ଛୋଟ ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା ବାବଦରେ ୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏଇ ଟଙ୍କା ସୁଝିବାକୁ ନଥିବା ବେଳେ  ଏହାକୁ ପାଇବା ପାଇଁ ଭଦ୍ରକ ପୌରପାଳିକାରେ ପଂଜିକୃତ ଓ ଅଣପଂଜିକୃତ  ମୋଟ ୫୬୦ ଜଣ ଛୋଟ ବ୍ୟବସାୟୀ ଏହି ଟଙ୍କା ଉଠାଣ କରିଥିଲେ।

ଏହା ପରେ ପରେ ପିଏମ ଆତ୍ମ ନିର୍ଭରଶୀଳ  ଯୋଜନାରେ ଛୋଟ ବ୍ୟବସାୟୀମାନଙ୍କୁ  ସବସିଡ୍ ଯୁକ୍ତ ସ୍ବଳ୍ପ ମିଆଦିରେ  ୧୦ ହଜାର ଟଙ୍କାର ଋଣ ପ୍ରଦାନ କରିବାକୁ ଯୋଜନା  ଘୋଷଣା କରାଯିବା ପରେ ଏଥିପାଇଁ ଭଦ୍ରକ ପୌରାଞ୍ଚଳରେ  ୪୫୦ରୁ ଉର୍ଦ୍ଧ୍ବ ଲୋକ ଋଣ ପାଇଁ ଆବଦନ କରିଥିଲେ। ଏଇ ଋଣ ପାଇବା ପାଇଁ ଯେଉଁମାନେ ଆବେଦନ କରିଛନ୍ତି। ସେମାନ ପ୍ରକୃତରେ ବ୍ୟବସାୟୀ କି  ନୁହେଁ, ତାହା ଜାଣିବା ପାଇଁ ବ୍ୟାଙ୍କ ପକ୍ଷରୁ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଥିବାରୁ  ଏହାକୁ ଦେଖି ଅନେକ ଲୋକ ଏଇ ଋଣ ନେବେ କଣ ଋଣ ପାଇଁ ଆଉ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ଏମାନଙ୍କ ମଧ୍ୟରୁ କିଛି ବ୍ୟବସାୟୀ ଏଭଳି  ବ୍ୟାଙ୍କ କଟକଣାକୁ ନାପସନ୍ଦ କରୁଥିବା ବେଳେ ୧୦ ହଜାର ଟଙ୍କା ର ଋଣ ପାଇବା ପାଇଁ ଏତେ ନାଟ କିଏ କରିବାକୁ ଯିବ। ବ୍ୟାଙ୍କ ପାଖକୁ ଏତେ ଥର କିଏ ଦୌଡିବ। ବ୍ୟାଙ୍କ ପକ୍ଷରୁ ମଧ୍ୟ ଏଇ  ଛୋଟ ବ୍ୟବସାୟୀମାନେ ଋଣ ସୁଝି ବେ କି ନାହିଁ।  ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଦେଣ ନେଣ ହେଉଛି କି ନାହିଁ।

ଏସବୁ ଯାଞ୍ଚ କରୁଛି। ବ୍ୟାଙ୍କର ଏଇ କଟକଣା ପାଇଁ ଅନେକ ଲୋକ ଏଇ ଯୋଜନାରୁ ମୁହଁ ମୋଡୁଥିବା  ଜଣାପଡିଛି। ସେହିପରି ଅନେକ ବ୍ୟବସାୟୀ ମଧ୍ୟ ଆଦୌ ବ୍ୟବସାୟ ନକରି କିଛି  ଋଣ ଉଠାଇ ନେଇ ଋଣ ଫାଙ୍କି ଦେବାକୁ  ଯୋଜନା କରୁଛନ୍ତି। ଏଭଳି କିଛି ଜାଲ ଆବେଦନକାରୀଙ୍କୁ ବ୍ୟାଙ୍କ ପକ୍ଷରୁ  ଯାଞ୍ଚ ବେଳେ ଧରପଗଡ କରାଯାଉଛି। ବ୍ୟାଙ୍କ ମାଧ୍ୟରେ ପିଏମ ଆତ୍ମନିର୍ଭରଶୀଳ ଋଣ ପ୍ରଦାନ କରାଯାଉଥିବାରୁ ଏହାକୁ ନେଇ କଟକଣା ରହିଛି।

ଏଭଳି କଟକଣା ପାଇଁ ଛୋଟ ଛୋଟ ବ୍ୟବସାୟୀମ‌େନେ ଏଇ ଯୋଜନାର ସଫଳତା ପାଇବାରୁ ବଞ୍ଚିତ ହେଉଛନ୍ତି। ବ୍ୟାଙ୍କ କଟକଣା ଅଧିକ କରାନଯାଇ  ସରକାରୀ ରିପୋର୍ଟ ଅନୁଯାୟୀ ଗରିବ ତଥା ଛୋଟ ଛୋଟ ବ୍ୟବସାୟୀମାନଙ୍କୁ ତୁରନ୍ତ ପିଏମ ଆତ୍ମନିର୍ଭରଶୀଳ ଯୋଜନାରେ ସ୍ବଳ୍ପ ମିଆଦି ଋଣ ପ୍ରଦାନ କରାଯାଉ। ଋଣର ମୂଳ ଧନରୁ ୭ ପ୍ରତିଶତ  ସବସିଡ୍ ବଦଳରେ ୨୫ ପ୍ରତିଶତ ସବସିଡ୍ ଦିଆଯିବା ଉପରେ ସରକାର ଗୁରୁତ୍ବ ଦେବାକୁ ଭଦ୍ରକ ପୌରାଞ୍ଚଳର ବହୁ   କ୍ଷୁଦ୍ର ବ୍ୟବସାୟୀ ନିଜର ମତ ପ୍ରକାଶ କରିଛନ୍ତି।