ଖୋର୍ଦ୍ଧା: କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ପରୀକ୍ଷା ଘୁଂଚାଇବା ଦାବିରେ ଆଜି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦ୍ୱିତୀୟ ଦିନ ପାଇଁ ଧାରଣା ଦେଇଥିଲେ । ତେବେ ଅପରାହ୍ଣରେ ମହାବିଦ୍ୟାଳୟ କର୍ତୃପକ୍ଷ ପରୀକ୍ଷାଗୁଡିକୁ ସ୍ଥଗିତ ରଖିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି ।
ସୂଚନାନୁସାରେ, କରୋନା ସଂକ୍ରମଣ ଓ ମହାବିଦ୍ୟାଳୟରେ ପ୍ରତ୍ୟକ୍ଷ ପରୀକ୍ଷା କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ନଥିବା ଦୃଷ୍ଟିରୁ ଗତ କାଲି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଦାବିପତ୍ର ଦେଇଥିଲେ । ଆଜି ଦ୍ୱିତୀୟ ଦିନରେ ଛାତ୍ରଛାତ୍ରୀମାନେ ସକାଳ ପ୍ରାୟ ସାଢ଼େ ୧୧ଟା ବେଳେ ମହାବିଦ୍ୟାଳୟ ସମ୍ମୁଖ ରାସ୍ତା ଅବରୋଧ କରିଥିଲେ । ସୂଚନା ପାଇଁ ତୁରନ୍ତ ପୁଲିସ୍ ସେଠାରେ ପହଂଚି ଛାତ୍ରଛାତ୍ରୀଙ୍କୁ ବୁଝାଶୁଝା କରି ଫେରାଇଦେଇଥିଲେ । ଏହାପରେ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଅପରାହ୍ଣରେ ମହାବିଦ୍ୟାଳୟ କର୍ତୃପକ୍ଷଙ୍କ ପକ୍ଷରୁ ଆସନ୍ତା ୧୯ ତାରିଖରେ ହେବାକୁ ଥିବା ୩ୟ ସେମଷ୍ଟର ପରୀକ୍ଷା ପରବର୍ତୀ ନୋଟିସ୍ ଯାଏଁ ସ୍ଥଗିତ କରାଯାଇଥିବା ନେଇ ବିଜ୍ଞପ୍ତି ଜାରି କରିଥିଲେ ।