ପ୍ରାଣନାଥ କଲେଜର ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶିତ

ଖୋର୍ଦ୍ଧା: ପ୍ରାଣନାଥ ପଟ୍ଟନାୟକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ବାର୍ଷିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା ।

ମହାବିଦ୍ୟାଳୟର ଅଧ୍ୟକ୍ଷା ରଂଜିତା ସେଠୀ ପରୀକ୍ଷା ଫଳ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ୬ଟି ସେମିଷ୍ଟର ପରୀକ୍ଷାର ମୋଟ ଫଳକୁ ନେଇ ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ୨୦୧୮-୨୧ ଶିକ୍ଷା ବର୍ଷରେ ମୋଟ ପାସ ହାର ୮୬.୨ ପ୍ରତିଶତ ରହିଛି । ଏହା ମଧ୍ୟରୁ ଛାତ୍ରୀଙ୍କ ପାସ ହାର ୮୯.୯୬ ପ୍ରତିଶତ ଓ ଛାତ୍ରଙ୍କ ପାସ ହାର ୮୨.୭୬ ପ୍ରତିଶତ ରହିଛି ।

କଳା ବିଭାଗରେ ପାସ୍ ହାର ୮୬.୯ ପ୍ରତିଶତ, ବିଜ୍ଞାନରେ ୮୮.୮ ଓ ବାଣିଜ୍ୟରେ ୮୩ ପ୍ରତିଶତ ପାସ୍ ହାର ରହିଛି । ବାଣିଜ୍ୟ ବିଭାଗରେ ଏଲ୍ ଭେନିଲା, କଳା (ଶିକ୍ଷା ସମ୍ମାନ ବିଭାଗ)ର ବେବିନା ବେହେରା ଓ ବିଜ୍ଞାନ (ରସାୟନ ବିଭାଗ)ର ମନୀଷା ମହାରଣା ସର୍ବାଧିକ ନମ୍ବର ରଖିଛନ୍ତି । ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଆସନ୍ତା ସାମ୍ବତ୍ସରିକ ଉତ୍ସବରେ ମହାବିଦ୍ୟାଳୟର ସ୍ୱର୍ଣ୍ଣପଦକ ମିଳିବ । ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ ।

କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ତଥା କଲେଜ ପରିଚାଳନା ସମିତି ଅଧ୍ୟକ୍ଷ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର