ଅନଲାଇନରେ ପରୀକ୍ଷା କରିବାକୁ ପିଏନ୍ କଲେଜ ଛାତ୍ରଙ୍କ ଦାବି

ଖୋର୍ଦ୍ଧା: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାର ପୁରାତନ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଆଗାମୀ ସେମିଷ୍ଟର ପରୀକ୍ଷାଗୁଡ଼ିକ ଅନଲାଇନ ମାଧ୍ୟମରେ କରିବାକୁ ଆଜି କଲେଜର ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଲିଖିତ ଦାବି ପ୍ରଦାନ କରିଛନ୍ତି । ଛାତ୍ରମାନଙ୍କ ଦାବି ହେଲା, କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏହି ସମୟରେ ମହାବିଦ୍ୟାଳୟ ଆସନ୍ତା ୧୯ତାରିଖରେ ୩ୟ ସେମିଷ୍ଟର ପରୀକ୍ଷା ପ୍ରତ୍ୟକ୍ଷ ଭାବେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇ ନୋଟିସ ଜାରି କରିଛି ।

ତେବେ ମହାବିଦ୍ୟାଳୟରେ ଷ୍ଟୁଡେଂଟସ୍ କମନରୁମ ବ୍ୟବସ୍ଥା ନାହିଁ, ମହାବିଦ୍ୟାଳୟରେ ଆବଶ୍ୟକ ସାନିଟାଇଜ କରାଯାଉନାହିଁ । ଏହା ସହ ମହାବିଦ୍ୟାଳୟରେ ନିୟମିତ ପ୍ରତ୍ୟକ୍ଷ ପାଠପଢ଼ା ହେଉନାହିଁ । ଏହାସହ କଲେଜର ଆଖାପଖର ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ମଧ୍ୟ ସୂଚନା ରହିଛି । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ ମହାବିଦ୍ୟାଳୟରେ ପ୍ରତ୍ୟକ୍ଷ ପରୀକ୍ଷା ଦେବା ଏକ ବଡ଼ ବିପଦକୁ ଡାକି ଆଣିବ ।

ତେବେ କଲେଜ କର୍ତୃପକ୍ଷଙ୍କ କହିବା କଥା ହେଲା, ଏନେଇ ସେମାନେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ସେମାନେ ପରୀକ୍ଷା କରୁଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ଦାବି ଉଚ୍ଚ କର୍ତୃପକ୍ଷଙ୍କୁ ଅବଗତ କରାଇବେ । ରାଜ୍ୟ ସରକାର ଓ ଉଚ୍ଚ ଶିକ୍ଷା ବିଭାଗ ଯାହା ନିଷ୍ପତ୍ତି ନେବ ସେଇ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହେବ ।

ସମ୍ବନ୍ଧିତ ଖବର