ନୀଳଗିରି: ଏବେ ବନ୍ୟଜନ୍ତୁ ସୁରକ୍ଷିତ ନାହାନ୍ତି। ବିଭିନ୍ନ ସମୟରେ ସେମାନଙ୍କ ଉପରେ ବନାଗ୍ନି ଭୟ ଏବଂ ଶିକାରୀଙ୍କ ଲୋଲୁପ ଦୃଷ୍ଟି ରହୁଛି। ବାଲେଶ୍ବର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ଶିକାରୀ ମାତିଥିବା ବେଳେ ବନ ବିଭାଗ ହାତରେ ଜଣେ ଧରାପଡ଼ିଛନ୍ତି। ଗତକାଲି ରାତି କୁଲଡ଼ିହା ରେଞ୍ଜର୍‌ ଅନନ୍ତ କୁମାର ଜେନାଙ୍କ ତତ୍ତ୍ବାବଧାନରେ ରିଷିଆ ବନପାଳ ବିଜୟ ସାହୁ ଓ ବନରକ୍ଷୀ ପ୍ରଦୀପ ରାଉତ ପାଟ୍ରୋଲିଂ କରୁଥିଲେ। ଭୋର୍ ପ୍ରାୟ ୪ଟା ୩୦ ମିନିଟ୍‌ ସମୟରେ ଗୁପ୍ତ ସୂଚନା ପାଇ ସେମାନେ ଚତୁରୀବନ୍ଧ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଚଢ଼ାଉ କରିଥିଲେ। ଏହି ସମୟରେ ସେଠାରେ ଲୁଚି ରହିଥିବା ଜଣେ ଶିକାରୀ ଦେଶୀ ବନ୍ଧୁକ ସହ ଧରାପଡ଼ିଥିଲେ। ଶିକାରୀ ଜଣକ ହୁଡ଼ିସାହି ଗ୍ରାମର ରବି ସିଂ (୨୧) ବୋଲି ଜଣାପଡ଼ିଛି। ତାଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୩ ରାଉଣ୍ଡ ଗୁଳି ଓ ବାରୁଦ ଜବତ ହୋଇଛି। ରବିଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ସେ କୋର୍ଟ ଚାଲାଣ ହୋଇଛନ୍ତି। କୁଲଡ଼ିହା ଅଭୟାରଣ୍ୟରେ ଏମିତି ବିଭିନ୍ନ ସମୟରେ ବନ୍ୟଜନ୍ତୁ ଶିକାର କରାଯାଉଛି। ତେଣୁ ଏହାକୁ ରୋକିବା ପାଇଁ ବନ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।