ବାଲେଶ୍ଵର: ଯାହା ପାଖରେ କରୁଣା ଅଛି ତା ପାଖରେ ମାନବିକତା ଅଛି। ଆଉ ଏଇ ମାନବିକତାକୁ ନିଜ କବିତାରେ ତୋଳି ଧରିଥିଲେ ବସନ୍ତ ମୁଦୁଲି। କବି ବସନ୍ତ ମୁଦୁଲି ଜୀବନର ତୀବ୍ରତମ ଆତ୍ମିକ ଆଲୋଡ଼ନକୁ କବିତାରେ ଲେଖି ମାନବର ସମସ୍ୟା କଥା ବଖାଣିଛନ୍ତି। ପ୍ରେମ ଓ ବିଦ୍ରୋହର କବି ବସନ୍ତ ମୁଦୁଲି ବେସାଲିସ ଜୀବନ ଜିଇଁବା ସହ କବିତାର କାରୁକାର୍ଯ୍ୟରେ ଜୀବନକୁ ନୂଆ ଅର୍ଥ ଓ ରଙ୍ଗ ଦେବାରେ ବ୍ରତୀ ଥିଲେ ବୋଲି ରବିବାର ଭଦ୍ରକସ୍ଥ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ୩୫ତମ ରାଜ୍ୟସ୍ତରୀୟ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
୫ ତାରିଖ ପୂର୍ବାହ୍ନରେ ଅନୁଷ୍ଠିତ ଏଇ ସମାରୋହକୁ କବି ବସନ୍ତଙ୍କ ତୈଳଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଅତିଥିମାନେ ଉଦଘାଟନ କରିଥିଲେ। ସଂସଦର ସଭାପତି ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ସ୍ମୃତି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ କବି ଅମରେଶ ପଟ୍ଟନାୟକ ବସନ୍ତ ମୁଦୁଲି ଥିଲେ ବିଦ୍ରୋହର ଏକ ଜ୍ଵଳନ୍ତା ସ୍ଫୁଲିଙ୍ଗ ବୋଲି କହିବା ସହ ତାଙ୍କ କବିତାରେ ଜନମାନସର ଜୟଗାନ ଥିଲା ବୋଲି କହିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସୁଖ୍ୟାତ କବି ଆଶୁତୋଷ ପରିଡ଼ା କବି ମୁଦୁଲିଙ୍କ କବିତାର ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନନୀୟ ଅତିଥି ବିଶିଷ୍ଟ କବି ବାସୁଦେବ ସୁନାନୀ କବିଙ୍କ କାବ୍ୟସ୍ଵରର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପକ ଦତ୍ତାତ୍ରେୟ ଦାଶ ଏଥିରେ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇ ବସନ୍ତ ମୁଦୁଲିଙ୍କ କବିତାରେ ମାନବବାଦର ସ୍ଵର ରହିଛି ବୋଲି କହିଥିଲେ।
/sambad/media/post_attachments/wp-content/uploads/2023/11/dc1589b9-ca64-42ec-ab12-89033ad55b95-1024x461.jpeg)
ପ୍ରାରମ୍ଭରେ କବି ସରୋଜ ବଳ ପ୍ରସ୍ତୁତ କରିଥିବା ବସନ୍ତ ମୁଦୁଲିଙ୍କ ଏକ ତଥ୍ୟଚିତ୍ର ପ୍ରଦର୍ଶନ କରାଯିବା ପରେ ଶିଳ୍ପା ସେଠୀ ଓ ଚୈତାଳି ଖିଲାର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ 'ବନ୍ଦେ ଉତ୍କଳ ଜନନୀ' ରାଜ୍ୟ ସଙ୍ଗୀତ ଏବଂ କବି ବସନ୍ତ ମୁଦୁଲିଙ୍କ କବିତାକୁ ଭଗବାନ ନାୟକବର୍ମା ସଂଗୀତ ରୂପ ଦେଇଥିବା ଏକ କବିତାକୁ ପ୍ରାରମ୍ଭିକ ସଂଗୀତ ଭାବେ ଗାୟନ କରିଥିଲେ। ଗାଳ୍ପିକ ରଜନୀକାନ୍ତ ମହାନ୍ତି ସ୍ଵାଗତ ଭାଷଣ ଦେଇଥିବା ବେଳେ ସଂସଦର ଉପ ସଭାପତି କବି ନିରାକାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂସଦର ସମ୍ପାଦକ କୃଷ୍ଣ କୁମାର ମହାନ୍ତି ଅତିଥିଙ୍କୁ ମଞ୍ଚ ଆହ୍ଵାନ କରିବା ସହିତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ୨୦୨୨ ମସିହା ପାଇଁ ବୌଦ୍ଧ ଜିଲ୍ଲାର ଯୁବକବି ନରେନ୍ଦ୍ର କୁମାର ଭୋଇ ଏବଂ ୨୦୨୩ ମସିହା ପାଇଁ କେନ୍ଦୁଝରର ଯୁବକବି ଚିତ୍ତରଞ୍ଜନ ନାୟକଙ୍କୁ ବସନ୍ତ ମୁଦୁଲି କବିତା ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ଵରୂପ ନଗଦ ଅର୍ଥରାଶି, ଉପାୟନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ମାନପତ୍ର ପାଠ କରିଥିଲେ ପ୍ରତିଭା ଖିଲାର ଓ ମନୋଜ ଭୋଳ। ଉତ୍ସବରେ ବସନ୍ତ ମୁଦୁଲିଙ୍କ ରଚିତ କବିତାକୁ ପାଠ କରିଥିଲେ ସୁରେଶ ନାୟକ, କିଶୋର ପାଣିଗ୍ରାହୀ। ସଂସଦର ସଂଯୋଜକ ଅରୁଣ ଖିଲାର ସମସ୍ତ କର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଅତିଥିମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।ସଂସଦର ଯୁଗ୍ମ ସଂପାଦକ ଅମିତାଭ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଭାତ୍ ସିହ୍ନାଙ୍କ ଗଳ୍ପ ପୁସ୍ତକ 'କୁସୁମ୍ବା ଓ ଅନ୍ୟାନ୍ୟ ଗଳ୍ପ' ଉନ୍ମୋଚିତ ହୋଇଥିଲା। କବିପୁତ୍ର ପାର୍ଥସାରଥ ମୁଦୁଲି, କିଶୋର ପାଣିଗ୍ରାହୀ, ନିରଂଜନ ସ୍ୱାଇଁ, ଡ. ରବୀନ୍ଦ୍ର ପଣ୍ଡା, ହରପ୍ରିୟା ସେଠୀ, ଶାନ୍ତନୁ ମହାପାତ୍ର, ସୁଧାକର ମହାପାତ୍ର, ଅବିନାଶ ଖଲାର ପ୍ରମୁଖ ଉତ୍ସବ ପରିଚାଳନାରେ ସହାୟତା କରିଥିଲେ । ଏହି ସମାରୋହରେ ଭଦ୍ରକର ବହୁ ବୁଦ୍ଧିଜୀବୀ, ସାରସ୍ଵତ ସାଧକ, ବସନ୍ତ ପ୍ରେମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/13d0dc3b-8c52-4ec2-a956-e3f25d2f6d6c.jpeg)