ମାଲାମାଲ ଚିଙ୍ଗୁଡ଼ି ମାଫିଆ: ନଈ ପାଣିରେ ଚରିଗଲାଣି ବିଷ, ଅଭିଯୋଗ କଲେ ଶୁଣୁନି ପ୍ରଶାସନ

ଆଳି: ଆଳି ଅଞ୍ଚଳର ଚାରିପାଖେ ପ୍ରବାହିତ ବ୍ରାହ୍ମଣୀ, କାଣୀ, ଖରସ୍ରୋତାର ନଦୀ ପାଣିରେ ଏବେ ବିଷର ବିଭିଷିକା। ଚିଙ୍ଗୁଡ଼ି ମାଫିଆଙ୍କ ଲୋଲୁପ ଦୃଷ୍ଟି ଯୋଗୁଁ ନଈପାଣି ଜହର ପାଲଟିଛି। ପାଣିରେ ବିଷ ପ୍ରୟୋଗ କରି ମାଫିଆ ଚିଙ୍ଗୁଡ଼ି ମାରୁଛନ୍ତି। ଯୋଗୁଁ କେବଳ ଯେ, ଚିଙ୍ଗୁଡ଼ି ମରୁନାହାନ୍ତି, ବିଭିନ୍ନ ପ୍ରଜାତିର ମାଛ ଓ ଜାଆଁଳ ବି ମରି ଭାସୁଛନ୍ତି। ଏକମାଣିଆ, ନଳପାହୀଠୁ ମାନପୁର, ଗୋବିନ୍ଦପୁର, ପତ୍ରପୁରଠୁ ବାଳକାଟି ନଦୀକୂଳବର୍ତ୍ତୀ ପ୍ରତ୍ୟେକ ଗାଁ ନିକଟସ୍ଥ ନଈରେ ପ୍ରତ୍ୟହ ରାତିରେ ଯୋଜନାବଦ୍ଧ ଭାବେ ଜହର ପକାଯାଉଛି। ଜହର ଜ୍ବାଳାରେ ମାଳମାଳ ଚିଙ୍ଗୁଡ଼ି ମରି ଭାସୁଛନ୍ତି। ସକାଳୁ ମାଫିଆମାନେ ଏହାକୁ ଗୋଟାଇ ନେଉଛନ୍ତି। ବଜାରରେ କିଲୋ ପିଛା ୪୦୦ ରୁ ୬୦୦ ଟଙ୍କାରେ ଚିଙ୍ଗୁଡ଼ି ବିକ୍ରି କରି ମାଲାମାଲ ହେଉଥିବା ବେଳେ ବିଷ ପ୍ରୟୋଗ କାରଣରୁ ନଈପାଣି ପ୍ରଦୂଷିତ ହେଉଛି। ମାଛ ଯାଆଁଳ ଅକାଳରେ ମରୁଛନ୍ତି।

ପ୍ରତିଦିନ ବେଆଇନ ଟ୍ରଲରଗୁଡିକ ନଈ ସାରା ଟହଲ ମାରି ମାଛ ଶିକାର କରୁଛନ୍ତି। ପ୍ରଶାସନ ନିକଟରେ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ନଦୀକୂଳବର୍ତ୍ତୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ନଈପାଣିରେ ବିଷ ପ୍ରୟୋଗ ଯୋଗୁଁ ନଦୀ ପାଣିକୁ ନିତିଦିନ ସ୍ନାନ, ଶୌଚରେ ବ୍ୟବହାର କରୁଥିବା ଆଳି ବ୍ଲକର ନଦୀକୂଳବର୍ତ୍ତୀ ଗ୍ରାମବାସୀ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିସହ କୃଷିକ୍ଷେତ୍ରରେ ଏହି ବିଷାକ୍ତ ନଦୀଜଳ ମଧ୍ୟ କୁପ୍ରଭାବ ପକାଇ ଫସଲ କ୍ଷତି କରୁଛି। ନଈପାଣିରେ ଚିଙ୍ଗୁଡ଼ି ମାଫିଆମାନଙ୍କ ବିଷ ପ୍ରୟୋଗ କାରଣରୁ ଗୋଟିଏ ପକ୍ଷରେ ନଈପାଣି ପ୍ରଦୂଷିତ ହୋଇ ନାନା ପ୍ରକାର କ୍ଷତିସାଧନ କରୁଥିବା  ବେଳେ ଅନ୍ୟ ପକ୍ଷରେ ମଧୁରଜଳ ଚିଙ୍ଗୁଡି ବଂଶ ସହିତ ବିଭିନ୍ନ କିସମର ମାଛବଂଶ ସମୂଳେ ଧ୍ବଂସ ହୋଇଯିବାର ଆଶଙ୍କା ଦେଖାଦେଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଚିଙ୍ଗୁଡିମାଫିଆଙ୍କ କବଳରୁ ନଦୀ ଜଳ, ଚିଙ୍ଗୁଡି ଓ ବିଭିନ୍ନ ପ୍ରଜାତିର ମାଛବଂଶର ସୁରକ୍ଷା ପାଇଁ ଦୃଢ ଦାବି ହେଉଛି।

ସମ୍ବନ୍ଧିତ ଖବର