ହେଲମେଟ୍ ଯାଞ୍ଚ ସମୟରେ ଅଭାବନୀୟ ଘଟଣା: ପୁଲିସ୍ ମାଡ଼ରେ ବାଇକ୍ ଆରୋହୀଙ୍କ ମୁଣ୍ଡ ଫାଟିଲା

ଥାନା ଘେରିଲା ବିଜେପି ଆଦିବାସୀ ମୋର୍ଚ୍ଚା

ରାୟଗଡ଼ା: ହେଲମେଟ୍ ଯାଞ୍ଚ ସମୟରେ ବାଇକ ଆରୋହୀ-ପୁଲିସ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ପୁଲିସ୍ ଅଧିକାରୀଙ୍କ ମାଡ଼ରେ ବାଇକ୍ ଆରୋହୀ ରାହୁଲ୍ ହିମିରିକାଙ୍କ ମୁଣ୍ଡ ଫାଟିବା ସହ ହାତରେ ଗୁରୁତର ଆଘାତ ଲାଗିଛି। ପ୍ରତିବାଦରେ ବିଜେପି ଆଦିବାସୀ ମୋର୍ଚ୍ଚା ପକ୍ଷରୁ ରାୟଗଡ଼ା ଥାନା ଘେରାଉ ସହ ପୁଲିସ୍ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏସପି ଡା. ଶର୍ବଣା ବିବେକ ଏମ୍ ଥାନାରେ ପହଞ୍ଚି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଲାଗି ପ୍ରତିଶ୍ରୁତି ଦେବା ପରେ ଘେରାଉ ହଟିଛି।

ରାୟଗଡ଼ା-ବିଶାଖାପାଟଣା ରାସ୍ତାର ଜଗନ୍ନାଥ ମନ୍ଦିର ନିକଟରେ ଆଜି ପୂର୍ବାହଣରେ ରାୟଗଡ଼ା ପୁଲିସ୍ ପକ୍ଷରୁ ହେଲମେଟ୍ ଯାଞ୍ଚ ଚାଲିଥିଲା। ଏହି ସମୟରେ ରାୟଗଡ଼ା ବ୍ଲକ୍ ସାଙ୍କେଶ ଗ୍ରାମର ରାହୁଲ ହିମିରିକା (୧୮) ଓ କିଶାନ କୋଲକା (୧୭) ମା’ ମଝିଘରିଆଣୀ ମନ୍ଦିର ଆଡକୁ ନିଜ ବାଇକ୍ ଯୋଗେ ଯାଉଥିଲେ। ଉଭୟେ ବାଇକ୍ ପିନ୍ଧିନଥିବାରୁ ପୁଲିସ୍ ଗାଡ଼ିକୁ ଅଟକାଇଥିଲା। ରାହୁଲ୍ ବାଇକ୍ ଅଟକାଇବା କ୍ଷଣି ପୁଲିସ୍ ଅଧିକାରୀ ଦୌଡ଼ି ଆସି ବାଇକ୍ ଚାବି କାଢ଼ି ନେଇ ଯାଇଥିଲେ। ହେଲମେଟ୍ ପିନ୍ଧିନୁ, ଭୁଲ୍ ହୋଇଛି, ଆମେ ଫାଇନ୍ ଦେବୁ, କାହିଁକି ବାଇକ୍ ଚାବି କାଢ଼ି ନେଉଛ ବୋଲି ରାହୁଲୁ ପୁଲିସକୁ ପ୍ରଶ୍ନ କରିବା ପରେ ଦାୟିତ୍ବରେ ଥିବା ଅଧିକାରୀ ଉତ୍ତ୍ୟକ୍ତ ହୋଇ ଧରିଥିବା ଲାଠିରେ ପିଟି ଦେଇଥିଲେ। ଫଳରେ ରାହୁଲର ମୁଣ୍ଡ ଫାଟି ଯାଇ ରକ୍ତସ୍ରାବ ହୋଇଥିଲା।

ରାହୁଲଙ୍କ ସହ ଥିବା କିଶାନକୁ ମଧ୍ୟ ପୁଲିସ୍ ମାଡ଼ ମାରି ଲହୁଲୁହାଣ କରି ଦେଇଥିଲା। ଉଭୟ ଯୁବକ ଗୁରୁତର ଆହତ ହେବା ପରେ ପୁଲିସର ଏପରି ବର୍ବରତାକୁ ନେଇ ସ୍ଥାନୀୟ ଲୋକ ପ୍ରବଳ ବିରୋଧ କରିଥିଲେ। ଲୋକଙ୍କ ଗହଳି ପରେ ପୁଲିସ୍ ଗୁରୁତର ଯୁବକଙ୍କୁ ମେଡ଼ିକାଲ୍ ନେବା ପରିର୍ବତ୍ତେ ଛାଡି ଚାଲି ଯାଇଥିଲେ। ସ୍ଥାନୀୟ ଲୋକ ଗୁରୁତର ଯୁବକଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ। ଖବର ପାଇ ଗୁରୁତର ଯୁବକଙ୍କ ପରିବାର ଲୋକ, ସାଙ୍ଗ ସାଥୀ ମେଡ଼ିକାଲରେ ପହଞ୍ଚିବା ପରେ ପୁଲିସ ବିରୁଦ୍ଧରେ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା।

ଯୁବ ଆଦିବାସୀ ନେତା ବସନ୍ତ ଉଲାକା ଓ ସମର୍ଥକ ପହଞ୍ଚିବା ପରେ ରାୟଗଡ଼ା ଥାନା ଘେରାଉ କରାଯାଇଥିଲା। ଥାନା ଆଗରେ ଧାରଣାରେ ବସି ରହିବା ପରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଏସପି ଡା. ଶର୍ବଣା ବିବେକ ଏମ୍ ଥାନାରେ ପହଞ୍ଚିବା ପରେ ଧାରଣାରେ ବସିଥିବା ଲୋକଙ୍କ ସହ ଆଲୋଚନା କରିଥିଲା। ପୁଲିସ୍ ମାଡ଼ରେ ଗୁରୁତର ରାହୁଲଙ୍କ ବାପା ପିତାମ୍ବର ହିମିରିକା ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏସପିଙ୍କ ପ୍ରତିଶ୍ରୁତି ପରେ ଥାନାରୁ ଧାରଣା ହଟିବା ସହ ପରିସ୍ଥିତି ଶାନ୍ତ ପଡିଥିଲା।

ସମ୍ବନ୍ଧିତ ଖବର