ନରସିଂହପୁର ପୁଲିସ ବିରୋଧରେ ଚାଇଲଡ଼ ଲାଇନର ଏତଲା ଘଟଣା: ସରପଞ୍ଚ ସ୍ୱାମୀଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ, ଏସଆଇ ନିଲମ୍ବିତ

ଏବେ ବି ଫେରାର ଅଛି ମୁଖ୍ୟ ଅଭିଯୁକ୍ତ

ନରସିଂହପୁର: ଗତ ଅକ୍ଟୋବର ମାସରେ ନାବାଳିକା ଦୁଷ୍କର୍ମ ପୀଡିତାଙ୍କୁ ତିନି ରାତି ନରସିଂହପୁର ଥାନାରେ ରଖି ନିର୍ଯାତନା ଦେବା ଘଟଣା ଏବେ ରୋଚକ ସ୍ଥିତିରେ ପହଁଚିଛି। ଆଜି ଘଟଣାରେ ସଂପୃକ୍ତ ଥିବା ଶରଧାପୁର ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏଥିସହ ଆଜି ଏଇ ମାମଲାରେ ଅପରାଧୀଙ୍କୁ ସହଯୋଗ ଅଭିଯୋଗରେ ନରସିଂହପୁର ଥାନା ଏସଆଇ ରବୀନ୍ଦ୍ର ନାୟକଙ୍କୁ ନିଲମ୍ବିତ କରାଯାଇଛି। ଏ ନେଇ ଆଠଗଡ଼ ଏସ୍‌ଡିପିଓ ଆଲୋକ କୁମାର ରାୟ ସୂଚନା ଦେଇଛନ୍ତି।

ତେବେ ଘଟଣାର ମୁଖ୍ୟ ନାୟକ ଏବେ ବି ଫେରାର ଅଛି। ପୁଲିସ ବିଜୟାନନ୍ଦ ଅମାନ୍ତ, ପ୍ରଶାନ୍ତ କୁମାର ଆରୁକ, ସୁଶାନ୍ତ କୁମାର ସାହୁ ଓ ଟୁକୁ ଅମାନ୍ତଙ୍କୁ ଗିରଫ ପରେ ଆଠଗଡ଼ ଏସ୍‌ଡିପିଓଙ୍କ ନିକଟରେ ହାଜର କରାଯାଇଥିଲା। ପରେ ସେମାନଙ୍କୁ ବିଚାର ବିଭାଗୀୟ ଅଦାଲତରେ ହାଜର କରାଯାଇ ଥିବା ପୁଲିସ ସୂତ୍ରରୁ ପ୍ରକାଶ।

ପ୍ରକାଶ ଥାଉକି ଗତ ଗତ ୧୭ ତାରିଖ ଦିନ ଆଠଗଡ଼ ଏସଡ଼ିପିଓ ଆଲୋକ କୁମାର ରାୟ ନରସିଂହପୁରରେ ପହଞ୍ଚି ଏହି ଘଟଣାର ତଦନ୍ତ କରି ଏସ୍‌ପିଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ଗତକାଲି କଟକ ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗଳ କିଶୋର ବସୁନ୍ଧରା ଓ ପରେ ନରସିଂହପୁରରେ ପହଞ୍ଚି ଉକ୍ତ ଘଟଣାର ଛାନଭିନ କରିଥିଲେ। ଘଟଣା ଦିନ କିଏ ଥାନାରେ ଉପସ୍ଥିତ ଥିଲେ ସେ ସମ୍ପର୍କରେ ଏସ୍‌ପି ଟିକିନିଖି ତଦନ୍ତ କରିଥିବା ଜଣାପଡିଛି। ଘଟଣାଟି ଗତ ଅକ୍ଟୋବର ମାସରେ ଘଟିଥିବାରୁ ପୁଲିସକୁ ଏ ନେଇ ତଥ୍ୟ ସଂଗ୍ରହ କରିବାରେ ସମସ୍ୟା ସୃଷ୍ଟି ହୋଇଛି।

ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନାବାଳକ ଏ ପର୍ଯ୍ୟନ୍ତ ଲୁଚି ବୁଲୁଥିବାରୁ ଘଟଣାଟି ଏକ ପ୍ରକାର ଅଡ଼ୁଆ ଭିତରକୁ ଟାଣି ହୋଇଯାଉଛି। ଜାଣିଶୁଣି ପୁଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ଘଟଣାରେ ଆଠଗଡ଼ ଏସଡ଼ିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଆଜି ପୁଲିସ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ନାବାଳକ ଏବେ ବି ପୁଲିସ ଆଖିରେ ଧୂଳି ଦେଇ ଘୁରି ବୁଲୁଛି।

ଅଭିଯୋଗ ଅନୁଯାୟୀ ଜଣେ ନାବାଳିକାକୁ ଥାନାରେ ଅଟକ ରଖି ମାନସିକ ନିର୍ଯାତନା ଦିଆଯିବା, ବିନା ମହିଳା ପୁଲିସରେ ନାବାଳିକାର ଗର୍ଭ ପରୀକ୍ଷା ଘଟଣା ସମ୍ପର୍କରେ କାହାକୁ କିଛି ନ ଜଣାଇବା ପାଇଁ କୁହାଯିବା ସହ ବାପା ଓ ମା’ଙ୍କୁ ମିଛ ମାମଲାରେ ବାନ୍ଧି ଜେଲ ପଠାଇ ଦେବାକୁ ଧମକ ଦେଇଥିଲେ। ଥାନାରେ ପୁଲିସ ବାବୁଙ୍କ ଦ୍ୱାରା ଥାନା ଭିତରେ ମାମଲାକୁ ଦଫା ରଫା କରିଦେବା ପାଇଁ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ଉପସ୍ଥିତିରେ ଚାପ ପ୍ରୟୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି ଖୁବଶୀଘ୍ର ଘଟଣାର ମୁଖ୍ୟ ଅଭିଯୁକ୍ତ ନାବାଳକକୁ ଗିରଫ କରାଯିବ ବୋଲି ନରସିଂହପୁର ଥାନା ଅଧିକାରୀ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର