ଗାଡ଼ି ଯାଞ୍ଚ୍ ବେଳେ ପୁଲିସ ହାବୁଡ଼ରେ ପଡ଼ିଲେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ: ଜବତ ହେଲା ମାଉଜର୍ ଓ ଗୁଳି
ଜଗନ୍ନାଥପ୍ରସାଦ : ଗତ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଛକ ଠାରେ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ କିଛି ପୁଲିସ କର୍ମୀଙ୍କ ସହ ମିଶି ଗାଡ଼ିମୋଟର ଯାଞ୍ଚ୍ କରୁଥିଲେ। ଏତିକିବେଳେ ପୁଲିସ ଫାନ୍ଦରେ ପଡ଼ିଛନ୍ତି ରାଜଧାନୀ ପୁଲିସ ଆଖିରେ ଧୂଳି ଦେଇ ଫେରାର୍ ଥିବା ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ। ସେମାନେ ହେଲେ ଭୁବନେଶ୍ୱର ଖାରବେଳ ଥାନା ଅଧୀନ ରିକ୍ସା କଲୋନୀର ମନୋଜ କୁମାର ବେହେରା ଓ଼ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଧୀନ ବଳରାମପଲ୍ଲୀର ନାରାୟଣ ବେହେରା। ଯାଞ୍ଚ୍ ବେଳେ ପୁଲିସ ତାଙ୍କ ପାଖରୁ ଗୋଟିଏ ମାଉଜର୍ ଓ ଜୀବନ୍ତ ଗୁଳି ଜବତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ଗାଡ଼ି ଯାଞ୍ଚ୍ କରୁଥିବା ବେଳେ ଉକ୍ତ ଦୁଇ ଅପରାଧୀ ଏକ ସ୍କୁଟି ଯୋଗେ ଚୋପରା ପଟୁ ଜଗନ୍ନାଥପ୍ରସାଦ ଅଭିମୁଖେ ଦ୍ରୁତ ଗତିରେ ଆସୁଥିଲେ। ପୁଲିସ ତାଙ୍କୁ ଅଟକାଇବାରୁ ସେମାନେ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ ବାହିନୀ ତାଙ୍କୁ ଗୋଡ଼ାଇ ଧରି ନେଇଥିଲା। ପରେ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଥିଲା। ପରିଚୟ ଓ ଅପରାଧରେକର୍ଡ଼ ବିଷୟରେ ସୂଚନା ମିଳିବା ପରେ ଘଟଣା ସଂପର୍କରେ ଜଗନ୍ନାଥପ୍ରସାଦ ପୁଲିସ ଭୁବନେଶ୍ବର ଖାରବେଳନଗର ଥାନାକୁ ଯୋଗାଯୋଗ କରିଥିଲା।
ଉଭୟଙ୍କ ନାମରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୨ରୁ ଅଧିକ ମାମଲା ରହିଥିବା ଜଣା ପଡ଼ିଥିଲା। ପରେ ପୁଲିସ କର୍ମୀମାନେ ତାଙ୍କ ସ୍କୁଟି ଯାଞ୍ଚ୍ କରିଥିଲେ। ସ୍କୁଟିରୁ ଗୋଟିଏ ମାଉଜର୍ ଓ଼ ଗୋଟିଏ ରାଉଣ୍ଡ୍ ଜୀବନ୍ତ ଗୁଳି ମିଳିଥିଲା। କେସ୍ ନମ୍ବର ୫୪/୨୧ ରୁଜୁ କରି ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।