ବଲାଙ୍ଗୀର/ପାଟଣାଗଡ଼: ଫିଲ୍ମ ଷ୍ଟାଇଲରେ ୫ ଲକ୍ଷ ଟଙ୍କା ଲୁଟିନେଇ ବାଇକ୍ରେ ଫେରାର୍ ହେଉଥିବା ଦୁଇଜଣ ଲୁଟେରାଙ୍କୁ ବଲାଙ୍ଗୀର ସଦର ପୁଲିସ କାବୁ କରିଛି। ସେଦୁହେଁ ହେଲେ ଆସ୍କା ଅଞ୍ଚଳର ଜଣେ ନାବାଳକ ଏବଂ ଯାଜପୁର ଜିଲ୍ଲାର ବିଜୟ ଦାସ। ପୁଲିସର ସୂଚନା ଅନୁସାରେ, ସୋମବାର ଦିନ ୧୨ଟାରେ ପାଟଣାଗଡ଼ ଥାନା ପାଢ଼େଲ ଗାଁର ସର୍ବେଶ୍ୱର ପଟେଲ ପାଟଣାଗଡ଼ ଏସ୍ବିଆଇ ଶାଖାରୁ ୫ ଲକ୍ଷ ଟଙ୍କା କାଢ଼ିଥିଲେ। ପରେ ନିକଟସ୍ଥ କପଡ଼ା ଦୋକାନକୁ ମାର୍କେଟିଂ ପାଇଁ ଯିବା ସମୟରେ ହଠାତ୍ ପଲସର ବାଇକ୍ରେ ଲୁଟେରା ଦ୍ବୟ ଆସି ଟଙ୍କାଭର୍ତ୍ତି ବ୍ୟାଗ ଛଡ଼ାଇ ଫେରାର ହୋଇଯାଇଥିଲେ। ଲୁଟେରାମାନେ ବଲାଙ୍ଗୀର ପଟକୁ ଫେରାର୍ ମାରୁଥିବା ଖବର ପାଇ ପାଟଣାଗଡ଼ ଥାନା ଅଧିକାରୀ ଟିମ୍ ସହିତ ସେମାନଙ୍କ ପିଛା କରିଥିଲେ। ତା ସହିତ ନିକଟସ୍ଥ ଥାନାଗୁଡ଼ିକୁ ମଧ୍ୟ ଖବର ଦେଇଥିଲେ।
ବଲାଙ୍ଗୀର ତଥା ପାଟଣାଗଡ଼ ଦାୟିତ୍ୱରେ ଥିବା ଏସ୍ଡିପିଓ ତୋଫାନ ବାଗ ଝାଙ୍କରପାଲିଠାରେ ଲୁଟେରାମାନଙ୍କୁ କାବୁ କରିବା ପାଇଁ ସାମ୍ନା ପଟୁ ଚଢ଼ଉ କରିଥିଲେ। କିନ୍ତୁ ଲୁଟେରାମାନେ ତାଙ୍କୁ ଧକ୍କା ଦେଇ ଫେରାର୍ ମାରିଥିଲେ। ଏସ୍ଡିପିଓଙ୍କ ହାତରେ ସାମାନ୍ୟ ଆଘାତ ମଧ୍ୟ ଲାଗିଥିଲା। ପରେ ପୂର୍ବ ଯୋଜନା ମୁତାବକ ସଦର ଥାନା ସାମ୍ନାରେ ଥିବା ପୁଲିସ ଫୋର୍ସ ଲୁଟେରାମାନଙ୍କ ଉପରକୁ ଝାମ୍ପି ପଡ଼ିଥିଲେ। ଦୁଇ ଲୁଟେରା ରାସ୍ତା ଉପରେ ପଡ଼ିଯିବାରୁ ପୁଲିସ କାବୁ କରିଥିଲା। ପରେ ସଦର ପୁଲିସ ପାଟଣାଗଡ଼ ପୁଲିସକୁ ଲୁଟେରା ଦ୍ବୟଙ୍କୁ ହସ୍ତାନ୍ତର କରିଥିଲା। ସେମାନଙ୍କଠାରୁ ଲୁଟ୍ ହୋଇଥିବା ୫ ଲକ୍ଷ ଟଙ୍କାକୁ ପୁଲିସ ଜବତ କରିଛି। ଏନେଇ ପାଟଣାଗଡ଼ ଥାନାରେ ପୁଲିସ ସାମ୍ବାଦିକମାନଙ୍କୁ ସୂଚନା ଦେଇଛି।