ଜୟପୁର: ନୂଆ ଆଧାରକାର୍ଡ ତିଆରି କରି ଦେବା, ତ୍ରୁଟି ସଂଶୋଧନ କରିବା ଆଦି ନାଁରେ ନବରଙ୍ଗପୁର ଅଂଚଳର ଜୈନେକ ଯୁବକ ଜୟପୁର ବ୍ଲକର କୁମୁଲିପୁଟ ପଂଚାୟତର ଡାଙ୍ଗାରା, ମଜୁରାଗୁଡା ଗାଁରେ ୬୦ଜଣଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ। ତାଙ୍କ ନିକଟରେ କୌଣସି ପରିଚୟପତ୍ର ନ ଥିବା ଏବଂ ସଂଦିଗ୍ଧଗତିବିଧି ଲକ୍ଷ୍ୟ କରି ଗ୍ରାମବାସୀ ଉକ୍ତ ଯୁବକଙ୍କୁ ଆମ୍ବାଗୁଡା ପୁଲିସ ପାଣ୍ଡିକୁ ନେଇ ପୁଲିସ ଜିମାରେ ଦେଇଥିଲେ।
ସୂଚନା ଅନୁଯାୟୀ, ଗତ କିଛିଦିନ ହେବ ଜୟପୁର ବ୍ଲକର କୁମୁଲିପୁଟ ପଂଚାୟତ ଅର୍ନ୍ତଗତ ଡାଙ୍ଗରା, ମଜୁରାଗୁଡା ଆଦି ଗାଁରୁ ପ୍ରାୟ ୬୦ଜଣଙ୍କ ଠାରୁ ଆଧାରର ବିଭିନ୍ନ ତ୍ରୁଟି ସଂଶୋଧନ କରିବା, ନୂଆ ଆଧାରକାର୍ଡ଼ ପ୍ରସ୍ତୁତି କରିବା ନାଁରେ ୧୦୦ଟଙ୍କାରୁ ୨୦୦ଟଙ୍କା ପର୍ଯ୍ୟନ୍ତ ଜଣେ ଯୁବକ ଆଦାୟ କରିଥିଲେ। ଏହି ଗାଁରେ ଥିବା ଅଙ୍ଗନୱାଡୀ କର୍ମୀଙ୍କୁ ସେ ଆଧାରକାର୍ଡ଼ କାମ କରିବାକୁ ଆସିଥିବା ଏବଂ ତାଙ୍କୁ ସରକାର ପଠାଇଥିବା କହିଥିଲେ। ଲୋକେ ନୂଆ ଆଧାରକାର୍ଡ଼ କରିବା କିମ୍ବା ତ୍ରୁଟି ସଂଶୋଧନ ପାଇଁ ଜୟପୁର ଆସି ନାହିଁ ନଥିବା ହଇରାଣହରକତ ହେଉଥିବାରୁ ଅଙ୍ଗନୱାଡି କର୍ମୀମାନେ ଗାଁରେ ସହଜରେ ଏବଂ ପାଦ ତଳେ ଏହି ସେବା ଉପଲବ୍ଧ ହେଉଥିବାରୁ ଏହାର ଲାଭ ଉଠାଇବାକୁ ଗ୍ରାମବାସୀଙ୍କୁ ଡାକିକି ଆଣିଥିଲେ। ତା’ପରେ ଉକ୍ତ ଯୁବକ ଜଣକ ତ୍ରୁଟି ସଂଶୋଧନ ପାଇଁ ଅସଲି ଆଧାର କାର୍ଡ ନେବା ସହ ନୂଆ ଆଧାରକାର୍ଡ କରିବା ପାଇଁ ଆବେଦନପତ୍ର ବି ଭରିଥିଲେ।
ଏପରିକି ଲୋକଙ୍କୁ ବିଶ୍ବାସ ଜନ୍ମାଇବା ପାଇଁ କିଛି ଜଣଙ୍କର ତ୍ରୁଟି ସଂଶୋଧନ କରି କାର୍ଡ ବି ଆଣି ଦେଇଥିଲେ। ତେବେ ତାଙ୍କ ଗତିବିଧିରେ ଗ୍ରାମବାସୀ ମାନେ ସଂଦେହ ପ୍ରକାଶ କରିବା ପରେ ଗତକାଲି ତାଙ୍କୁ ଧରି ଆମ୍ବାଗୁଡା ପାଣ୍ଡି ପୁଲିସ ଜିମାରେ ଦେଇଥିଲେ। ପରେ ଉକ୍ତ ଯୁବକ ଜଣକ କିଛି ଜଣଙ୍କ କାର୍ଡ ଓଟଙ୍କା ଫେରସ୍ତ କରିଥିବା ବେଳେ ଆଉ କିଛି ଜଣଙ୍କର କରି ନଥିବା ସୂଚନା ମିଳିଛି। ଗ୍ରାମବାସୀ ଟଙ୍କା ଓ ଆଧାରକାର୍ଡ ଫେରି ପାଇବା ପରେ ଲିଖିତ ଅଭିଯୋଗ କିଛି ଦେଇ ନଥିବା କହିଛନ୍ତି ସଦରଥାନା ଅଧିକାରୀ ଈଶ୍ବର ତାଣ୍ଡି। କିଛି ଜଣଙ୍କର ଆଧାରକାର୍ଡ ତ୍ରୁଟି ସଂଶୋଧନ କରି ନୂଆ କାର୍ଡ଼ ବି ଦେଇଥିବା ତଦନ୍ତ ବେଳେ ଜଣାପଡ଼ିଥିବା ଏବଂ ସେଭଳି କିଛି ଠକାମି କରି ନଥିବା କହିଛନ୍ତି ସଦରଥାନା ଅଧିକାରୀ। ଠିକଣା ସମୟରେ ଜାଣି ପାରିବାରୁ ଗାଁ ଗହଳିର ସରଳ ଓ ନିରୀହ ଲୋକେ ଠକାମିରୁ ବଂଚିଛନ୍ତି ବୋଲି କହିଛନ୍ତି ପ୍ରଦୀପ୍ତ ଗୌଡ଼, ସୁନାଧର ହରିଜନ। ଜିଲ୍ଲାପ୍ରଶାସନ ତୁରନ୍ତ ଏହି ସେବା ପ୍ରତି ପଂଚାୟତରେ ଉପଲବ୍ଦ ନ କଲେ ଏଭଳି ଠକମାନେ ଗାଁକୁ ଗାଁ ବୁଲି ଲୋକଙ୍କୁ ଠକିବେ ଏବଂ ଗ୍ରାମବାସୀ ବି ଠକାମିର ଶିକାର ହେବେ ଏଥିରେ ଦ୍ବିମତ ନାହିଁ ବୋଲି ଏହି ଗ୍ରାମବାସୀ କହିଛନ୍ତି।