ଯାଜପୁର: ଗତକାଲି ଯାଜପୁର ଜିଲ୍ଲାର ବିଞ୍ଝାରପୁର ବାଚ୍ଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ୍ ଏଯାଏଁ ୧୧ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଏମାନେ ସମସ୍ତେ ସ୍ଥାନୀୟ ଲୋକ ବୋଲି ଜଣାପଡିଛି | ତେବେ ଗିରଫ ୧୧ ଜଣଙ୍କ ମଧ୍ୟରେ ୪ ଜଣ ଗୋଟିଏ ପରିବାରର ହୋଇଥିବାବେଳେ ୬ ଜଣ ମହିଳା ଓ ୫ ଜଣ ପୁରୁଷ ଥିବାର ଜଣାପଡିଛି | ବଡ କଥା ଯେ, ଗିରଫ ହୋଇଥିବା ୪ ଜଣ ହେଉଛନ୍ତି ଏହି ଗାଁର ସନାତନ ମଲ୍ଲିକଙ୍କ ସମ୍ପର୍କୀୟ | ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ସନାତନ ମଲ୍ଲିକଙ୍କ ୨ ପୁଅ ନିରଞ୍ଜନ ମଲ୍ଲିକ, ଚନ୍ଦ୍ରମଣି ମଲ୍ଲିକ, ପତ୍ନୀ ସାବିତ୍ରୀ ମଲ୍ଲିକ ଓ ବୋହୂ ଲିପି ମଲ୍ଲିକ ଗିରଫ ହୋଇଛନ୍ତି | ସେହିପରି ଅନ୍ୟମାନଙ୍କ ମଧ୍ୟରେ ରାଜୁ ମଲ୍ଲିକ, ନବକିଶୋର ମଲ୍ଲିକ, ଲଲାଟେନ୍ଦୁ ମଲ୍ଲିକ, ରୀନା ମଲ୍ଲିକ, କବିତା ମଲ୍ଲିକ, ଭାନୁମତୀ ମଲ୍ଲିକ, ଟିକିଲି ମଲ୍ଲିକ ପ୍ରମୁଖଙ୍କୁ ଗିରଫ କରାଯାଇଛି | ଏମାନଙ୍କ ନାମରେ ବିଞ୍ଝାରପୁର ଥାନାରେ କେସ ନମ୍ବର ୧୨୬,୨୦.୦୨.୨୦୧୨ରେ ମାମଲା କରାଯାଇଛି |
ଅନ୍ୟ ଅଭିଯୁକ୍ତମାନଙ୍କୁ ଅଟକ ରଖାଯିବା ସହ ପଚରାଉଚରା ଚାଲିଛି। ଏ ନେଇ ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିଞ୍ଝାରପୁର ବ୍ଲକ ବାଚ୍ଛୋଳ ପଞ୍ଚାୟତରେ ୫ଟି ବୁଥ୍ ଜବରଦଖଲ ଓ ଭୋଟ ବାକ୍ସ ଫିଙ୍ଗିବା ତଥା ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ଗତକାଲି ୨୫ ଜଣଙ୍କୁ ପୁଲିସ ଉଠାଇ ନେଇଥିଲା। ଅପରାହ୍ନରେ ପୁଲିସ ପହଞ୍ଚି ଫ୍ଲାଗମାର୍ଚ୍ଚ କରିଥିଲା। କନକ ନିଉଜ୍, ଅର୍ଗସ୍ ନିଉଜ୍ ଓ କଳିଙ୍ଗ ଟିଭିର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଜଣାଯାଇଛି।
ଏଠାରେ କେତେକ ଅସାମାଜିକ ଲୋକ ବୁଥରୁ ଭୋଟ ବାକ୍ସ ଲୁଟି ନେଇଯାଇଥିବାର ସୂଚନା ମିଳିଥିଲା। ଦୁର୍ବୃତ୍ତମାନେ ଭୋଟ ବାକ୍ସଟିକୁ ପୋଖରୀରେ ଫିଙ୍ଗି ପଳାଇଥିଲେ। ଅର୍ଗସ୍ ନିଉଜର ସାମ୍ବାଦିକଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କୁ କେତେକ ମହିଳା ବି କାମୁଡ଼ି ଦେଇଥିଲେ। ଏସପି ରାହୁଲ ପିଆରଙ୍କ ନେତୃତ୍ଵରେ ବାଚ୍ଛୋଳ ଗ୍ରାମରେ ଶତାଧିକ ପୁଲିସ ପହଞ୍ଚି ଗ୍ରାମର ୧୦ ମହିଳାଙ୍କ ସମେତ ୨୫ ଜଣଙ୍କୁ ପୁଲିସ ଉଠାଇ ନେଇଥିଲା।