ସମ୍ବଲପୁର: ଇନୋଭା ଲୁଟେରାଙ୍କୁ ଧରିଲା ପୁଲିସ

ସମ୍ବଲପୁର: ଗତ ୨୫ ତାରିଖ ରାତିରେ ସମ୍ବଲପୁରରୁ ଭୁବନେଶ୍ୱର ଯିବା ପାଇଁ ଭଡ଼ା ନେଇଥିବା ଏକ ଇନୋଭା ଗାଡ଼ିର ଡ୍ରାଇଭରକୁ ଆକ୍ରମଣ କରି ଇନୋଭାଟିକୁ ଲୁଟି ନେବା ଅଭିଯୋଗରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ଅଙ୍କିତ ସିଂହ(୨୪ ବର୍ଷ) ଓ ବାଦଲ ନାୟକ(୨୩ ବର୍ଷ)। ସେମାନଙ୍କ ଠାରୁ ଇନୋଭା ଗାଡ଼ି ସହିତ ରକ୍ତ ଲଗା ବ୍ଲେଡ୍‌, ରକ୍ତଲଗା ରଶି, ଲଭ୍କା ଗୁଣ୍ଡ ,ମୋବାଇଲ ଫୋନ ଓ ନଗଦ ଟଙ୍କା ଜବତ କରାଯାଇଛି।
ପୁଲିସ ସୂତରୁ ପ୍ରକାଶ ଯେ, ସମ୍ବଲପୁରର ମୁକେଶ ଜରିଓ୍ଵାଲାଙ୍କ ଓଡ଼ି୧୬୫ ବି ୩୨୩୨ ନମ୍ବର ବିଶିଷ୍ଟ ଇନୋଭା ଗାଡ଼ିଟିକୁ ଭଡ଼ାରେ ଭୁବନେଶ୍ୱର ନେବା ପାଇଁ ଅଙ୍କିତ ଓ ବାଦଲ କହିଥିଲେ। ଗତ ୨୫ ତରିଖ ରାତିରେ ସେମାନେ ଡ୍ରାଇଭର ଟଙ୍କଧର ନାୟକଙ୍କୁ ନେଇ ଭୁବନେଶ୍ୱର ବାହାରିଥିଲେ। ମାତ୍ର ସେମାନେ ଭୁବନେଶ୍ୱର ନ ଯାଇ ରାଉରକେଲା ଆଡକୁ ଯାଇଥିଲେ। ଏହାକୁ ବିରୋଧ କରିବାରୁ ଏକ ବ୍ଲେଡ୍‌ରେ ସେମାନେ ଡ୍ରାଇଭର ଟଙ୍କଧରଙ୍କୁ ଆଘାତ କରିଥିଲେ। ତେବେ ତକ୍‌ବା ଗାଁ ନିକଟରେ କୌଣସି ମତେ ଡ୍ରାଇଭର ଦୁର୍ବୃତ୍ତମାନଙ୍କ କବଳରୁ ଖସି ଆସି ଏ କଥା ଗାଁ ଲୋକଙ୍କୁ କହିଥିଲେ। ସଙ୍ଗେ ସଙ୍ଗେ ଏ ନେଇ ସମ୍ବଲପୁର ସଦର ପୁଲିସକୁ ଅବଗତ କରାଯାଇଥିଳା। ଏସପିଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ା ଓ ସମ୍ବଲପୁର ରାସ୍ତାକୁ ବ୍ଲକ୍‌ କରାଯିବାରୁ ଦୁର୍ବୃତ୍ତମାନେ ଗାଡ଼ିକୁ ରାସ୍ତାରେ ଛାଡ଼ି ପତ୍ରାପାଲି ଜଙ୍ଗଲ ଭିତରକୁ ପଶି ଯାଇଥିଲେ। ତେଣୁ ସଦର ଥାନା ପୁଲିସ ଲଇକେରା ପୁଲିସ ସହାୟତାରେ ଜଙ୍ଗଲ ଭିତରେ ଚଢ଼ାଉ କରି ଦୁଇ ଦୁର୍ବୃତ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର