ପୁଲିସ ହାତରେ ବାରିପଦାର ନାବାଳକ ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ୍‌

 ଗତକାଲି ଗ୍ରୀଲ୍‌ ତାଡ଼ି କରିଥିଲେ ଲୁଟ୍‌, ପୂର୍ବରୁ ମଧ୍ୟ ଏକାଧିକ ଚୋରିରେ ସାମିଲ ଥିଲେ

ବାରିପଦା : ଜଣଙ୍କ ବୟସ ମାତ୍ର ୧୧-୧୨ ବର୍ଷ ହୋଇଥିବାବେଳେ ଆଉ ଜଣକର ୧୪ ବର୍ଷ । ମାତ୍ର ଘର, ଦୋକାନ ଆଦିର କବାଟ ତାଡ଼ି ଚୋରି କରିବାରେ ପୁରା ଓସ୍ତାଦ। ଏଭଳି ଏକ ଡେଙ୍ଗା ଗେଡ଼ା ଗ୍ୟାଙ୍ଗ୍‌କୁ ଧରିଛି ବାରିପଦା ଟାଉନ୍ ଥାନା ପୁଲିସ। ଗତକାଲି ଦିନଦ୍ବିପ୍ରହରରେ ତକତପୁର ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ଘରୁ ଏହି ଦୁଇ ଜଣ ଡେଙ୍ଗା ଗେଡ଼ା ବାଳୁତ ଗ୍ୟାଙ୍ଗ୍‌ ଗ୍ରୀଲ୍‌ ତାଡ଼ି ଟଙ୍କା ସୁନା ଗହଣା ଚୋରି କରିଥିବା ଅଭିଯୋଗ ହୋଇଥିଲା। ୨୪ ଘଣ୍ଟା ନ ପୁରୁଣୁ ଉକ୍ତ ଦୁଇ ବାଳୁତ ଗ୍ୟାଙ୍ଗ୍‌କୁ ଧରିଛି ପୁଲିସ। ଦୁଇ ଜଣଙ୍କ ପାଖରୁ ୯ହଜାର ୩ଶହ ଟଙ୍କା ସହିତ କିଛି ରୂପା ଅଳଙ୍କାର ଜବତ କରିଛି ପୁଲିସ। ତେବେ ଏମାନଙ୍କ ଚୋରି କାହାଣୀ ଆଶ୍ଚର୍ଯ୍ୟ କଲା ଭଳି। ଚୋରି ଟଙ୍କା ଖର୍ଚ୍ଚ କରିବାକୁ ବାଲିଡ଼ିହା ଡ୍ୟାମ୍‌କୁ ଯାଇଥିଲେ ଏହି ଦୁଇ ଡେଙ୍ଗା ଗେଡ଼ା ବାଳୁତ। ସିସିଟିଭିରେ ଏହି ଦୁଇ ବାଳକଙ୍କ ଚୋରି କରିବାର ଦୃଶ୍ୟ କଏଦ ହୋଇଥିଲା। ଏନେଇ ପୁଲିସ ତ୍ବରିତ ଢଙ୍ଗରେ ତଦନ୍ତ ଆରମ୍ଭ କରିଥିଲା। ଖୋଦ୍‌ ଆଇଆଇସି ବୀରେନ୍ଦ୍ର ସେନାପତି ଏହି ଚୋରି ଘଟଣାର ତଦନ୍ତ କରୁଥିଲେ। ନିର୍ଦ୍ଦିଷ୍ଟ ସୂତ୍ରରୁ ସୂଚନା ପାଇ ଏହି ଟାଉନ୍‌ ଥାନା ଅଞ୍ଚଳର ଏକ ବସ୍ତି ଅଞ୍ଚଳରୁ ଦୁଇ ନାବାଳକ ଏପରି ଚୋରିରେ ସିଦ୍ଧହସ୍ତ ଥିବା ଜାଣିବାକୁ ପାଇଥିଲେ। ପରେ ଏନେଇ ଅଧିକ ତଦନ୍ତ କରି ବାଲିଡ଼ିହା ଡ୍ୟାମ୍‌ ନିକଟରୁ ଧରିଥିଲେ। ଦୁଇ ବାଳକ ‌ପୂର୍ବରୁ ମଧ୍ୟ ଏକାଧିକ ଲୁଟ୍‌ରେ ସାମିଲ ଥିବା ତଦନ୍ତ କାଳରେ ଜାଣିବାକୁ ପାଇଛି ପୁଲିସ। ଦୁଇ ଜଣଙ୍କ ପରିବାରର ଆର୍ଥିକ ଅବସ୍ଥା ସେପରି ସ୍ବଚ୍ଛଳ ନଥିବା ଜାଣିବାକୁ ମିଳିଛି। ତେବେ ଚୋରି ଅର୍ଥକୁ ଖର୍ଚ୍ଚ କରୁଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ। ଦୁଇ ନାବାଳକଙ୍କ ଧାରା-୧୬୧ରେ ବୟାନ ରେକର୍ଡ କରାଯାଇଛି। ଏହି ଘଟଣା ବାରିପଦାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏତେ କମ ବୟସରୁ ଏପରି ଚୋରିରେ ସଂପୃକ୍ତି ସମସ୍ତଙ୍କୁ ବିସ୍ମିତ କରିଛି ।

ଲକ୍ଷେ ଟଙ୍କା ଚୋରି କରି ସାଙ୍ଗମାନଙ୍କୁ ବାଣ୍ଟିଥିଲା

ଆଜି ପୁଲିସ ହାତରେ ପଡ଼ିଥିବା ଡେଙ୍ଗା‌ ଗେଡ଼ା ନାବାଳକ ଗ୍ୟାଙ୍ଗ୍‌ ପୂର୍ବରୁ ମଧ୍ୟ ଏକାଧିକ ଚୋରି ଓ ଲୁଟ୍‌ରେ ସାମିଲ ଥିବା ଜାଣିବାକୁ ପାଇଛି ପୁଲିସ। ତେବେ ଅଧିକାଂଶ ଚୋରିର ଅଭିଯୋଗ ହୋଇନଥିବାରୁ ପୁଲିସ ଆଖିରୁ ଲୁଚି ବୁଲୁଥିଲେ ଦୁଇ ବାଳକ। ଗେଡ଼ା ସଦସ୍ୟ ଜଣଙ୍କ ପୂର୍ବରୁ ଏକ ବ୍ୟବସାୟିକ ପ୍ରତିଷ୍ଠାନରୁ ଏକ ଲକ୍ଷ ଟଙ୍କା ଚୋରି କରିଥିବା ଆଜି ପୁଲିସ୍‌ ଜାଣିବାକୁ ପାଇଛି। ଏହି ଟଙ୍କାକୁ ସେ ସାଙ୍ଗମାନଙ୍କୁ ବାଣ୍ଟିବା ସହିତ ଫାଷ୍ଟଫୁଡ୍‌ ଖାଇବାରେ ଖର୍ଚ୍ଚ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ଚାଲି ଚାଲି ଏମାନେ ଚୋରି କରିଥାଆନ୍ତି। ବାରିପଦାରୁ ଦୂରକୁ ଯାଇ ଖର୍ଚ୍ଚ କରିଥାଆନ୍ତି। ବେଶ ସରଳ ଦେଖାଯାଉଥିବା ଏହି ଦୁଇ ଜଣ କିନ୍ତୁ ଚୋରିକୁ ବେଶ ଉପଭୋଗ କରୁଥିବା ପ୍ରକାଶ। ଯେଉଁଠୁ ନାହିଁ ସେଠୁ କୌଶଳ କରି କବାଟ, ଝରକା ତାଡ଼ି ଭିତରକୁ ଯାଇ ଚୋରି କରିଥାଆନ୍ତି। ସୁନା ରୂପା ଅପେକ୍ଷା ନଗଦ ଟଙ୍କା ଚୋରିକୁ ସେମାନେ ପ୍ରାଧାନ୍ୟ ଦେଉଥିବା ପ୍ରକାଶ ।

ସମ୍ବନ୍ଧିତ ଖବର