ମୋଟୁ ରାସ୍ତା ଦେଇ ଫେରୁଛନ୍ତି ଶହଶହ ପ୍ରବାସୀ; ମାଲକାନଗିରି ଜିଲ୍ଲା ପ୍ରଶାସନ, ପୁଲିସର କଡାକଡି ଯାଞ୍ଚ

ମାଲକାନଗିରି: ଆନ୍ଧ୍ର ପ୍ରଦେଶକୁ ଲାଗି ରହିଥିବା ସୀମାନ୍ତ ଦେଇ ପ୍ରତିଦିନ ଶହ ଶହ ପ୍ରବାସୀ ମାଲକାନଗିରି ଭିତରକୁ ପ୍ରବେଶ କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ଚାଲିଥିବା ବେଳେ ସାରା ଦେଶକୁ ଏହା କବଳିତ କଲାଣି। ବିଶେଷକରି ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଭଳି ରାଜ୍ୟକୁ କେନ୍ଦ୍ର ସରକାର ରେଡ ଜୋନ ଭାବେ ଘୋଷଣା କରି ସାରିଲେଣି।

ତେବେ ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ସମସ୍ତ ସୀମାନ୍ତ ଅଂଚଳକୁ ସିଲ କରାଯିବା ସହ ପୁଲିସ ଏବଂ ପ୍ରଶାସନ ତରଫରୁ କଡାକଡି ଯାଞ୍ଚ କରାଯାଉଛି। ମୋଟୁ ରାସ୍ତା ଦେଇ ବିଭିନ୍ନ ରାଜ୍ୟରେ କାମ କରୁଥିବା ପ୍ରବାସୀ ଓଡିଆ ମାନେ ଆସୁଥିବାରୁ ଏଠାରେ ଚେକ ପଏଣ୍ଟ ନିର୍ମାଣ କରାଯାଇଛି। ୨୪ ଘଣ୍ଟା ଏଠାରେ ଯାଞ୍ଚ କରାଯାଉଛି। ପ୍ରତ୍ୟେକ ଗାଡି ଏବଂ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉଛି। ଏଠାରେ ମେଡିକାଲ ଟିମ, ପ୍ରଶାସନ ତରଫରୁ ରେଜିଷ୍ଟ୍ରେସନ ପାଇଁ ଶିକ୍ଷକ ମାନେ, ବ୍ଲକ ପ୍ରଶାସନ, ତହସିଲ ପ୍ରଶାସନ, ପରିବହନ ବିଭାଗର କର୍ମଚାରୀ ଦିନରାତି ଏକ କରି ଜଗି ରହିଛନ୍ତି। ପ୍ରତିଦିନ ସକାଳୁ ଶହଶହ ପ୍ରବାସୀ ବିଭିନ୍ନ ଗାଡି ମଟରରେ ମୋଟୁ ସୀମାନ୍ତରେ ପହଞ୍ଚୁଛନ୍ତି। ଏଠାରେ ନିଜ ନାମ ରେଜିଷ୍ଟ୍ରେସନ କରି ନିଜ ନିଜ ଅଂଚଳକୁ ଯାଉଛନ୍ତି।

ସରକାରଙ୍କ ନିୟମ ଅନୁଯାୟୀ ଯେଉଁମାନେ କୋଭିଡ-୧୯ର ୨ଟି ଡୋଜ ନେଇଛନ୍ତି ସେମାନଙ୍କୁ କୌଣସି ପ୍ରକାର ଯାଞ୍ଚ କରା ଯାଉନାହିଁ। ସେହିପରି ଯେଉଁମାନେ ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆରରେ କରୋନା ଟେଷ୍ଟ କରାଇଛନ୍ତି ସେମାନଙ୍କୁ ମଧ୍ୟ ସଂଗରୋଧରେ ରଖାଯିବ ନାହିଁ । କିନ୍ତୁ ଅନ୍ୟମାନଙ୍କୁ ସଂଗରୋଧରେ ରଖାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି।

ମୋଟୁ ରାସ୍ତା ଦେଇ ମାଲକାନଗିରି ସମେତ ନବରଂଗପୁର, କଳାହାଣ୍ଡି, ବଲାଙ୍ଗୀର ଜିଲ୍ଲାର ବହୁ ପ୍ରବାସୀ ଆସୁଥିବା ଦେଖିବାକୁ ମିଳିଛି। ମୋଟୁରେ ପହଞ୍ଚିବା ପରେ ସମସ୍ତ ପ୍ରବାସୀମାନେ ବସ ଏବଂ ଗାଡି ଭଡା କରି ନିଜ ନିଜ ଅଂଚଳକୁ ଯାଉଥିବା କୁହାଯାଇଛି। ପ୍ରଶାସନ ତରଫରୁ ସେହି ଜିଲ୍ଲାମାନଙ୍କୁ ପ୍ରବାସୀ ଫେରୁଛନ୍ତି ବୋଲି ଖବର ଦିଆଯାଉଛି। ଯାହାଫଳରେ ସେମାନେ ସେଠାରେ ନିଜର କରୋନା ଟେଷ୍ଟ କରାଇବା ସହ ସଂଗରୋଧରେ ରହିବେ ବୋଲି କୁହାଯାଇଛି।

ମୋଟୁ ତହସିଲଦାର ଶଶାଙ୍କ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଯାଞ୍ଚ ପ୍ରକ୍ରିୟା ଚାଲିଛି। ସେହିପରି ମୋଟୁ ପୁଲିସ ପକ୍ଷରୁ ମଧ୍ୟ ପୁଲିସ କର୍ମଚାରୀ ଦିନରାତି ଏକ କରି ମୋଟୁ ସୀମାନ୍ତରେ ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା। ପ୍ରବାସୀମାନଙ୍କ ପାଇଁ ଆଶ୍ରୟ ସ୍ଥଳୀ, ପିଇବା ପାଣି ଇତ୍ୟାଦିର ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇଛି। ଆଗାମୀ ଦିନରେ ପ୍ରବାସୀଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଥିବାରୁ ପ୍ରଶାସନ ଏବେ ଠାରୁ ମୋଟୁ ଠାରେ ସେମାନଙ୍କର ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ଆରମ୍ଭ କରିଛି। ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା କମ୍ ରହିଥିଲେ ମଧ୍ୟ ଏହାକୁ ଯେପରି ବଳବତ୍ତର ରଖାଯାଇପାରିବ ସେନେଇ ସମସ୍ତଙ୍କର ସହଯୋଗ କାମାନା କରାଯାଇଛି।

ସମ୍ବନ୍ଧିତ ଖବର