ମାସ୍କ ପିନ୍ଧି ନ ଥିଲେ ବୋଲି: ପୁଲିସ ଠେଙ୍ଗାରେ ମହିଳାଙ୍କ ଫାଟିଲା ମୁଣ୍ଡ, ବଢ଼ିଲା ଉତ୍ତେଜନା

ଦୀର୍ଘ ସମୟ ଧରି ରାସ୍ତାରୋକ

କଟକ: ମାସ୍କ ନ ପିନ୍ଧି ଘରୁ ବାହାରକୁ ଯିବାର ଫଳ ଭୋଗିଛନ୍ତି ଜଣେ ମହିଳା। ପୁଲିସର ମାଡ଼ରେ ମହିଳାଙ୍କର ମୁଣ୍ଡ ଫାଟିଥିବା ସୂଚନା ମିଳିଛି। କଟକ ଜିଲ୍ଲା କଣ୍ଟାପଡ଼ା ଥାନା ଅନ୍ତର୍ଗତ ଅଡ଼ଶପୁର ବଜାରରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି।

ସୂଚନା ଅନୁସାରେ ଅଡ଼ଶପୁର ବଜାରରେ ପୁଲିସ ଆଜି ସନ୍ଧ୍ୟାରେ ଚେକିଂ କରୁଥିଲା। କରୋନା ସଂକ୍ରମଣ ଯୋଗୁଁ ଲୋକେ ମାସ୍କ ପିନ୍ଧି ବାହାରୁଛନ୍ତି କି ନାହିଁ, ସେ ନେଇ ଜନସାଧାରଣଙ୍କ ଉପରେ ପୁଲିସ ନଜର ରଖୁଥିଲା। ଏହି ଚେକିଂ ସମୟରେ ଜଣେ ମହିଳା ଚିକିତ୍ସା ପାଇଁ ନିଜର ୬ ବର୍ଷର ପୁଅକୁ ନେଇ ହସ୍‌ପିଟାଲକୁ ଯାଉଥିଲେ। ସେ ମାସ୍କ ପିନ୍ଧି ନଥିବାରୁ ପୁଲିସ ତାଙ୍କୁ ଅଟକାଇଥିଲା। ପୁଲିସ ଜରିମାନ ଦେବାକୁ କହିଥିଲା। କିନ୍ତୁ ମହିଳା ଜଣଙ୍କ ପାଖରେ ଟଙ୍କା ନଥିବାରୁ ସେ ନିଜର ମୋବାଇଲକୁ ବନ୍ଧକ ଦେବାକୁ କହିଥିଲେ। କିନ୍ତୁ ପୁଲିସ ମହିଳାଙ୍କ କଥା ନଶୁଣି ତାକୁ ମାଡ଼ ମାରିଥିଲା। ପରେ ମହିଳାଙ୍କୁ ସ୍ଥାନୀୟ ଲୋକେ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ।

ତେବେ ପୁଲିସର ମାଡ଼ରେ ମହିଳା ଜଣକ ଆହତ ହେବା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇଥିଲେ। ସେମାନେ ପୁଲିସ ରୋଷର ସମ୍ମୁଖୀନ ହୋଇଥିଲେ।

ଏହି ଘଟଣାକୁ ନେଇ ଅଡ଼ଶପୁର ବଜାରରେ ଉତ୍ତେଜନା ଜାରି ପ୍ରକାଶ ପାଇଥିଲା। ଫୁଲନଖରା-ନିଆଳି ରାଜ୍ୟ ରାଜପଥ ଅଡ଼ଶପୁର ତ୍ରିଛକି ଠାରେ ଦୀର୍ଘ ୩ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା। ଏସଡିପିଓ ସୁବାଷ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳକୁ ପହଂଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ। ମାଡ଼ମାରିଥିବା ପୁଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର