ମାଲକାନଗିରିରୁ ତାମିଲନାଡୁ ଚାଲାଣ ବେଳେ ୨୫ ଶ୍ରମିକ ଉଦ୍ଧାର, ୨ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଂଚଳରୁ ଶ୍ରମିକ ଚାଲାଣ କରାଯାଉଥିବା ଖବର ପାଇ ଆଜି ମାଲାକନଗିରି ପୁଲିସ ଚାଇଲ୍ଡ ଲାଇନର ସହାୟତାରେ ଚଢାଉ କରି ୨୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏଥି ସହିତ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ପୁଲିସ ଖବର ପାଇଥିଲା ଯେ ତାମିଲନାଡୁର ଦୁଇ ଜଣ ଦଲାଲ ମାଲକାନଗିରି ଜିଲ୍ଲାର ବାଲିମେଳା ଅଂଚଳରେ ପଶି ୨୫ ଜଣ ଶ୍ରମିକଙ୍କୁ ଚାଲାଣ କରୁଛନ୍ତି। ତୁରନ୍ତ ପୁଲିସ ବସଷ୍ଟାଣ୍ଡରେ ଚଢ଼ାଉ କରି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ଏମାନଙ୍କ ମଧ୍ୟରୁ ୨୦ ଜଣ ଯୁବତୀ ଏବଂ ୫ ଜଣ ଯୁବକ ବୋଲି ଜଣାପଡିଛି। ସେହିପରି ୩ ଜଣ ଶିଶୁ ଶ୍ରମିକ ରହିଥିବା ପୁଲିସ କହିଛି।

Sambad

ମାଲକାନଗିରି ଜିଲ୍ଲାରୁ ପ୍ରତିଦିନ ଶହ ଶହ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। ଏ ନେଇ ଶ୍ରମ ବିଭାଗ ପାଖରେ କୌଣସି ଖବର ନାହିଁ। ବାହାର ରାଜ୍ୟରୁ ଦଲାଲମାନେ ଆସି କିପରି ଜିଲ୍ଲାରୁ ନିରୀହ ଆଦିବାସୀମାନଙ୍କୁ ଚାଲାଣ କରୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସ ଶ୍ରମିକ ଚାଲାଣ କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନେ ହେଲେ ସୁବ୍ରମଣ୍ୟମ୍‌ ଏବଂ ବିଜୟ କୁମାର। ବାହାରକୁ କାମକୁ ଗଲେ ମୋଟା ଅଙ୍କର ଟଂକା ମିଳିବ ବୋଲି କହି ସରଳ ଆଦିବାସୀମାନଙ୍କୁ ଆକର୍ଷିତ କରି ଦଲାଲମାନେ ନେଇଯାଉଥିବା ଅଭିଯୋଗ ହୋଇଛି। ତେଣୁ ପୁଲିସ ଏବଂ ଶ୍ରମ ବିଭାଗର ଘନ ଘନ ଚଢାଉ ହେଲେ ଜିଲ୍ଲାର ଶ୍ରମିକ ଚାଲାଣକୁ ରୋକାଯାଇପାରିବ।

ସମ୍ବନ୍ଧିତ ଖବର