ପୁଲିସ ଖାକିରେ ପୁଣି ଦାଗ: ବାଇକ ଜବତ ଆଳରେ ଦିବ୍ୟାଙ୍ଗଙ୍କଠୁ ଟଙ୍କା ଅସୁଲି!

ହରଭଙ୍ଗା: ସାରା ଦେଶରେ କରୋନା ପ୍ରତିରୋଧରେ ଲକଡାଉନ ଚାଲିଛି। ଏହି ଘଡିସନ୍ଧି ସମୟରେ କରୋନା ଯୁଦ୍ଧର ଆଗ ଧାଡିରେ ପୁଲିସ ଅଧିକାରୀ, କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ଉତ୍ସର୍ଗୀକୃତ ଭାବେ ୨୪ ଘଣ୍ଟିଆ ଦାୟିତ୍ୱ ତୁଲାଉଛନ୍ତି। ମାତ୍ର କିଛି ଅସାଧୁ କର୍ମଚାରୀଙ୍କ ପାଇଁ ସାରା ପୁଲିସ ବିଭାଗର ଚିତ୍ର ଖରାପ ହେଉଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳରେ କିଛି ଅସାଧୁ ପୁଲିସ କର୍ମଚାରୀ ଜଣେ ଅସହାୟ ଦିବ୍ୟାଙ୍ଗଙ୍କ ଠାରୁ ନାଲିଆଖି ଦେଖାଇ ୧୬ଶହ ଟଙ୍କା ଅସୁଲି କରିବା ଭଳି ଏକ ଅଭାବନୀୟ ଚିତ୍ର ଖାକି ପୋଷାକରେ କଳଙ୍କ ଲଗାଇଛି।

ପ୍ରାପ୍ତ ଅଭିଯୋଗ ଅନୁସାରେ ସଙ୍କୁଲେଇ ବରଝୁଲି ଗ୍ରାମର ସୁଶାନ୍ତ ନାଏକ(୩୨) ନାମକ ଦିବ୍ୟାଙ୍ଗ ଯୁବକ ଶୁକ୍ରବାର ସକାଳେ ନିଜ ମୋପେଡ ମଟର ସାଇକେଲ ଯୋଗେ କୌଣସି କାମରେ କଣ୍ଠିପଦର ଗ୍ରାମକୁ ଯାଉଥିଲେ। ଏତିକିବେଳେ ଛତ୍ରଙ୍ଗ ପଞ୍ଚାୟତର ଝାରଖମଣ ନିକଟରେ ବିପରୀତ ପାର୍ଶ୍ଵରୁ ଆସୁଥିବା ଏକ ଗାଡିରୁ କିଛି ହୋମଗାର୍ଡ ତାଙ୍କୁ ଅଟକାଇଥିଲେ। ଲକଡାଉନ ବେଳେ ବାଇକ ଉପରେ କଟକଣା ଥିବାରୁ ତୁ କାହିଁକି ଚଳାଉଥିଲୁ ଗାଡି ଜବତ କରି ତୋ ନାଁରେ କେଶ କରିବୁ କହିବାରୁ ଦିବ୍ୟାଙ୍ଗ ସୁଶାନ୍ତ ତାଙ୍କୁ ଛାଡ଼ିଦେବାକୁ କାକୁତି ମିନତି ହୋଇଥିଲେ। ତେବେ ଛାଡ଼ିଦେବା ପାଇଁ ଜୈନିକ କନେଷ୍ଟବଳ ପ୍ରଥମେ ୨୦ ହଜାର ଓ ପରେ ୧୦ହଜାର ଟଙ୍କା ଦାବି କରିଥିଲେ। ମାତ୍ର ସେ ଅକ୍ଷମତା ପ୍ରକାଶ କରିବାରୁ ଶେଷରେ ଉପସ୍ଥିତ ପୁଲିସ ତାଙ୍କ ଠାରୁ ଅର୍ଥ ଜରିମାନା ନାଁରେ ୧୬ଶହ ଟଙ୍କା ବିନା ରସିଦରେ ନେଇ ଆଉ ୫ହଜାର ଟଙ୍କା ଘରୁ ଆଣିଦେବୁ ବୋଲି କହି ଛାଡିଥିଲେ।

ପରେ ସେ ଲୋକଙ୍କ ଠାରୁ ଲକଡାଉନ ସମୟରେ ଜରୁରୀ କାର୍ଯ୍ୟପାଇଁ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନେ ବାଇକ ଚଳାଇ ପାରିବେ ବୋଲି କିଛିଦିନ ତଳେ ଓଡିଶାର ଉଚ୍ଚତମ ନ୍ୟାୟାଳୟ ନିର୍ଦେଶ ଦେଇଥିବା ଶୁଣିବା ପରେ ହରଭଙ୍ଗା ୯ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁଙ୍କୁ ସମସ୍ତ ଘଟଣା ବୟାନ କରିଥିଲେ। ଜଣେ ଶାରୀରିକ ଦିବ୍ୟାଙ୍ଗ ଗରିବ ଅସହାୟ ଯୁବକଙ୍କ ଠାରୁ ବିନା ରସିଦରେ ପୁଲିସ ୧୬ଶହ ଟଙ୍କା ନେବା ଘଟଣାକୁ ଶ୍ରୀ ସାହୁ ଦୃଢ଼ନିନ୍ଦା କରିଛନ୍ତି। ଏଥିସହ ବିଭାଗୀୟ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ରଖିଛନ୍ତି। ନହେଲେ ସମ୍ପୃକ ଦିବ୍ୟାଙ୍ଗଙ୍କ ପରିବାର ସଦସ୍ୟ ସହିତ ସେ ହରଭଙ୍ଗା ଥାନାରେ ଧାରଣା ଦେବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ଏ ସମ୍ପର୍କରେ ମତାମତ ପାଇଁ ହରଭଙ୍ଗା ଥାନାକୁ ଫୋନ ଯୋଗେ ଯୋଗାଯୋଗ ସମ୍ଭବ ନହେବାରୁ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧିତ ଖବର