ସବୁ ସୀମା ଟପିଗଲା ପୁଲିସ୍‌ ଏସ୍‌ଆଇଙ୍କ ଦାଦାଗିରି! ବିଲ୍‌ଡରଙ୍କୁ ସମର୍ଥନକରି ନିରୀହ ଯୁବକଙ୍କୁ ଉଠାଇ ଆଣିଲେ

ଥାନା ଘେରିଲେ ସ୍ଥାନୀୟ ଲୋକ, ତୀବ୍ର ଅସନ୍ତୋଷ

ରାଉରକେଲା: ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଥିବା ରାସ୍ତାକୁ ଏକ ବିଲ୍‌ଡର କବ୍‌ଜା କରିବାରୁ ଲୋକେ ବିରୋଧ କରିଥିଲେ। ଏନେଇ ପୁଲିସ୍‌ଠାରୁ ଆରମ୍ଭରୁ ଜିଲ୍ଲା ପ୍ରଶାସନ, ଏମିତିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା। ତଥାପି ଉକ୍ତ ବିଲ୍‌ଡର ଅବୈଧ ନିର୍ମାଣ ଜାରି ରଖିବାରୁ ସ୍ଥାନୀୟ ବାସିନ୍ଦା ବିରୋଧ ଜାରି ରଖିଥିଲେ। କିନ୍ତୁ ନାଯ୍ୟ ଦାବି ପାଇଁ ପ୍ରତିବାଦ କରୁଥିବା ଜଣେ ସ୍ଥାନୀୟ ‌ଯୁବକଙ୍କୁ ପୁଲିସ ଜୋର୍‌ଜବଦସ୍ତି ଗାଡ଼ିରେ ଉଠାଇ ଆଣିଥିଲା। ଏତାଦୃଶ କାର୍ଯ୍ୟକଳାପକୁ ବିରୋଧକରି ଥାନା ଘେରାଉ କରିବା ସହ ସଂପୃକ୍ତ ପୁଲିସ୍‌ ଏସ୍‌ଆଇଙ୍କୁ ଘେରିଥିଲେ। ଅସନ୍ତୋଷ ବୃଦ୍ଧି ହେବାରୁ କିଛି ସମୟପରେ ଯୁବକଙ୍କୁ ପୁଲିସ ଛାଡ଼ି ଦେଇଥିଲା। ଆଜି ପୁନର୍ବାର ସ୍ଥାନୀୟ ଲୋକ ଥାନାରେ ପହଞ୍ଚି ଅନୈତିକ ଅଟକକୁ ପ୍ରତିବାଦ କରିବାସହ ସଂପୃକ୍ତ ଏସ୍‌ଆଇଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଘଟଣା ଜିଲ୍ଲା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ଇସ୍ପାତ ସହର ଉପକଣ୍ଠ ଝୀରପାଣି ଥାନା ଅଞ୍ଚଳରେ ଘଟିଛି; ଯାହାକି ରାଉରକେଲା ପୁଲିସକୁ ଅପବାଦ ଆଣିଦେଇଛି।

ଜଗଦା ମୁଖ୍ୟ ରାସ୍ତାରେ ଶାନ୍ତୀ ଓରାମ ନାମ୍ନୀ ଜଣେ ମହିଳାଙ୍କ ଜମି ରହିଛି। ସେ କିଛି ବର୍ଷ ପୂର୍ବେ କିଛି ଲୋକଙ୍କୁ ଜମି ବିକ୍ରି କରିବାରୁ ସେଠାରେ ଏବେ ଜନବସତି ଅଞ୍ଚଳ ଗଢ଼ିଉଠିଛି। ଏହି କ୍ରମରେ ବ୍ରାହ୍ମଣୀ ଡେଭେଲପର୍ସ‌୍ ମଧ୍ୟ ଶ୍ରୀମତି ଓରାମଙ୍କଠାରୁ ଜମି କିଣିଥିଲା। ଗତ ପ୍ରାୟ ୬/୭ ମାସ ହେଲା ଉକ୍ତ ବିଲ୍‌ଡର ପକ୍ଷରୁ ସେଠାରେ ଆପାର୍ଟମେଣ୍ଟ୍‌ ନିର୍ମାଣ କରାଯାଉଛି। ତେବେ ବସ୍ତି ଲୋକଙ୍କ ପାଇଁ ଥିବା ରାସ୍ତାକୁ କବ୍‌ଜାକରି ଆପାର୍ଟମେଣ୍ଟ୍‌ ପାଇଁ ପ୍ରବେଶ ପଥ ନିର୍ମାଣ ହେଉଛି। ଏହାକୁ ସ୍ଥାନୀୟ ଲୋକ ବିରୋଧ କରି ଝୀରପାଣି ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ କୌଣସି ପଦକ୍ଷେପ ନ ନେବାରୁ ପରବର୍ତ୍ତୀ ସମୟରେ ରାଉରକେଲା ପ୍ରଶାସନ, ସିଏମ୍‌ଓ ନିକଟରେ ଅଭିଯୋଗ କରାଯାଇଥିଲା। ତଥାପି କୌଣସି ପଦକ୍ଷେପ ନିଆଯାଇନଥିଲା। ଅପରପକ୍ଷରେ କିନ୍ତୁ ବିଲ୍‌ଡର ନିର୍ମାଣକାର୍ଯ୍ୟକୁ ପୁନର୍ବାର ଆରମ୍ଭ କରିଦେଇଥିଲେ। ଏଥର କିନ୍ତୁ ସ୍ଥାନୀୟ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ସ୍ଥାନୀୟ ବାସିନ୍ଦା ନିର୍ମାଣକାର୍ଯ୍ୟ ସ୍ଥଳରେ ପହଞ୍ଚି ନିର୍ମାଣ ବନ୍ଦ ରଖିବାକୁ ଦାବି କରିଥିଲେ। ଗତକାଲି ଅପରାହ୍ନରେ ଅମର ଆଚାର୍ଯ୍ୟ ନାମକ ଜଣେ ସ୍ଥାନୀୟ ଯୁବକ ସେଠାରେ ଛିଡ଼ା ହୋଇଥିବାବେଳେ ଝୀରପାଣି ଥାନାର ଜଣେ ସବଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ କୁଆଡ଼େ ତାଙ୍କୁ ନେତାଗିରି କରୁଛୁ କହି ପୁଲିସ୍‌ ଭ୍ୟାନରେ ଜୋରଜବରଦସ୍ତ ଥାନାକୁ ଉଠାଇଆଣିଥିଲେ।

ଏ ବିଷୟରେ ସୂଚନା ପାଇ ବହୁସଂଖ୍ୟକ ସ୍ଥାନୀୟ ଲୋକ ଥାନାରେ ପହଞ୍ଚି ପୁଲିସ ଦାଦାଗିରିକୁ ପ୍ରତିବାଦ କରିଥିଲେ। ବିଲ୍‌ଡର ସଂସ୍ଥା ଠାରୁ ଅନୁଗୃହୀତ ହୋଇ ପୁଲିସ ଜନବିରୋଧୀ କାର୍ଯ୍ୟ କରୁଥିବା ସିଧାସଳଖ ଅଭିଯୋଗ ଆଣିଥିଲେ। ବେଶ୍‌ ‌କିଛି ସମୟପରେ ଶ୍ରୀ ଆଚାର୍ଯ୍ୟଙ୍କୁ ପୁଲିସ ଛାଡ଼ିଦେଇଥିଲା। ଆଜି ସକାଳୁ ପୁନର୍ବାର ନିର୍ମାଣକାର୍ଯ୍ୟ ଆରମ୍ଭ ହେବାରୁ ସ୍ଥାନୀୟ ଲୋକ ଥାନାର ଦ୍ବାରସ୍ଥ ହୋଇଥିଲେ। ଶହଶ୍ରାଧିକ ଲୋକ ଥାନାରେ ପହଞ୍ଚି ଝୀରପାଣି ଥାନା ଅଧିକାରୀ ଓ ଯୁବକଙ୍କୁ ଉଠାଇ ଆଣିଥିବା ଏସ୍‌ଆଇଙ୍କୁ ଘେରିଥିଲେ। କେଉଁ ନିୟମରେ ଓ କାହା ନିର୍ଦ୍ଦେଶରେ ଶ୍ରୀ ଆଚାର୍ଯ୍ୟଙ୍କୁ ଉଠାଇ ଆଣିଥିଲେବୋଲି ଲୋକେ ପ୍ରଶ୍ନ କରିଥିଲେ। ପୁଲିସ ଭ୍ୟାନ୍‌ରେ ଉଠାଇ ଆଣିଥିବାରୁ ସାମାଜିକ ପ୍ରତିପତ୍ତି ନଷ୍ଟ ହୋଇଥିବା ଓ ଅଯଥା ମାନସିକ ନିର୍ଯ୍ୟାତନା ପାଇଥିବା ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଥିଲେ। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ କଟାକ୍ଷ, ଘନଘନ ପ୍ରଶ୍ନବାଣରେ ଉଭୟ ପୁଲିସ ଅଧିକାରୀ ଅପ୍ରସ୍ତୁତ ହୋଇପଡ଼ିଥିଲେ; ମାତ୍ର କୌଣସି ସନ୍ତୋଷଜନକ ଉତ୍ତର ରଖିପାରିନଥିଲେ।

ଦୀର୍ଘ ସମୟ ପର୍ଯ୍ୟନ୍ତ ଥାନା ପରିସରରେ ଏଭଳି ଅପ୍ରୀତିକର ଦୃଶ୍ୟ ଦେଖିବାକୁ ମିଳିଥିଲା। ଶେଷରେ ସମାଧାନ ନହେବା ଯାଏଁ ନିର୍ମାଣକାର୍ଯ୍ୟ ବନ୍ଦ ରହିବ ବୋଲି ଥାନାଧିକାରୀ ପ୍ରତିଶ୍ରୁତି ଦେବାପରେ ମାମଲା ଶାନ୍ତ ପଡ଼ିଥିଲା। ତେବେ ଏଠାରେ ପ୍ରଶ୍ନ ଉଠେ, ସାମୂହିକ ଗମନାଗମନ ପାଇଁ ଥିବା ରାସ୍ତାକୁ କବ୍‌ଜା କରୁଥିବା ବିଲ୍‌ଡର ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ଜଣେ ନିରୀହ ଯୁବକଙ୍କୁ ଅଭିଯୁକ୍ତ ଭଳି ବ୍ୟବହାର ପ୍ରଦର୍ଶନ କରି ପୁଲିସ୍‌ ଭ୍ୟାନ୍‌ରେ ଉଠାଇ ଆଣିବା ପଛରେ ଉଦ୍ଦେଶ୍ୟ କ’ଣ? ପୁଲିସ୍‌ ପାଇଁ କଳା ଦାଗ ଆଣିଥିବା ଝୀରପାଣି ଥାନାର ସଂପୃକ୍ତ ସବଇନ୍ସପେକ୍ଟର ଆନୁଷ୍ଠାନିକ କାର୍ଯ୍ୟାନୁଷ୍ଠାନ ହେବ ନା ଚିରାଚରିତ ଢ଼ଙ୍ଗରେ ଦୋଷମୁକ୍ତ କରାଯିବ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କିମାରିଛି।

ସମ୍ବନ୍ଧିତ ଖବର