ବୁଲେଟ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା;ପୁଲିସ ଏସଆଇ ମୃତ

ଜିନିଷ ନେବାକୁ ଭାଇ ଆସିଥିଲେ, ଭାଇର ଶବକୁ ନେଇ ଘରକୁ  ଗଲେ

ନବରଙ୍ଗପୁର  :  ଗତ କାଲି ରାତି ରେ ନବରଙ୍ଗପୁର ସହରର ଚାଉଁରିଆଗୁଡା ନିକଟରେ ବୁଲେଟ୍ ଓ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ନବରଙ୍ଗପୁର ଥାନା ପୁଲିସ ସବ ଇନସପେକ୍ଟର ରଂଜିତ କୁମାର ଭୋଇ (୩୪)ଙ୍କ ମୃତ୍ୟୁ ହୋଇଛି । ଏସଆଇ ଶ୍ରୀ ଭୋଇ ଗତ କାଲି ରାତି ରେ ନିଜ ବୁଲେଟ ଗାଡିରେ ପେଟ୍ରୋଲ ପକାଇବା ପାଇଁ ସହର ଉପକଣ୍ଠରେ ଥିବା ଏକ ପେଟ୍ରୋଲ ପମ୍ପକୁ ଯାଉଥିଲେ। ଚାଉଁରିଆଗୁଡା ନିକଟର ଏକ ବାଙ୍କ ନିକଟରେ ଜୟପୁର ରୁ ଉମରକୋଟ ଅଭିମୁ‌ଖେ ଯାଉଥିବା ଏକ ଟ୍ରକ ସହ ତାଙ୍କ ଗାଡି ମୁହାଁ ମୁହିଁ ଧକ୍କା ହୋଇଥିଲା। ଏହି ଧକ୍କାରେ ତାଙ୍କ ବୁଲେଟ ଗାଡିଟି ଚୁରମାର ହୋଇଯିବା ସହ ତାଙ୍କ ମୁଣ୍ଡକୁ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେଇ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ତାଙ୍କ ଅବସ୍ଥାରେ ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ବଡ ମେଡିକାଲକୁ ସ୍ଥାନାନ୍ତର ପାଇଁ ଉଦ୍ୟମ କରିବା ବେଳେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଆଜି ତାଙ୍କ ଶବ ବ୍ୟବଛେଦ ହେବା ପରେ ତାଙ୍କ ଭାଇଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା।

ନବରଙ୍ଗପୁର ପୁଲିସ ରିଜର୍ଭ ପଡିଆ ଠାରେ ତାଙ୍କ ମର ଶରୀରକୁ ଜିଲ୍ଲା ପୁଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏସପି ପି.ଏଏସ.ପୁର୍ଷୋତ୍ତମ ଦାସ , ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପ୍ରକାଶ ଥାଉ କି ସ୍ବର୍ଗତଃ ଭୋଇ ଦେଢ଼ ବର୍ଷ ପୂର୍ବେ ନବରଙ୍ଗପୁର ଜିଲ୍ଲାକୁ ବଦଳି ହୋଇ ଆସିଥିଲେ। ‌ସେ ଉମରକୋଟ ଓ ଚେନ୍ତୁଳିଖୁଣ୍ଟି ଥାନାରେ କାମ କରିବା ପରେ ପ୍ରାୟ ୬  ମାସ ହେବ ନବରଙ୍ଗପୁର ଥାନାକୁ ବଦଳି ହୋଇ ଆସିଥିଲେ। ତାଙ୍କ ନିଜ ଗାଁ ଢ଼େଙ୍କାନାଳ ଜିଲ୍ଲା ଅନୁଗୁଳ ଥାନା ଅଞ୍ଚଳରେ ହୋଇଥିବା ବେ‌ଳେ ଗତ ମାସ ରେ ତାଙ୍କୁ ଢ଼େଙ୍କାନାଳ ଜିଲ୍ଲାକୁ ବଦଳି ହୋଇଥିଲା। ଗତ ୩୧ ତାରିଖ ରେ ସେ ନବରଙ୍ଗପୁର ଥାନାରୁ ରିଲିଭ୍ ହୋଇଥିଲେ , ତେବେ ତାଙ୍କ କିଛି ଗୁରୁତର କାମ କରିବା ପାଇଁ ସେ ଏଠାରେ ରହିଥିଲେ। ସେ ତାଙ୍କ କାମ ସରାଇ ଆଜି କିମ୍ବା କାଲି ସେ ଅନୁଗୁଳ ଯାଇଥାନ୍ତେ। ଏଥି ପାଇଁ ତାଙ୍କ ଭାଇ  ଗତ କିଛି ଦିନ ହେବ ନବରଙ୍ଗପୁର କୁ ଆସିଥିଲେ। ଆଜି ଜିନିଷ ନେଇ ଅନୁଗୁଳ ଯାଇଥାନ୍ତେ। ତେବେ ଭାଇର ଶବକୁ ନେଇ ଆଜି ଯିବାକୁ ପଡିଲା। ଏ ନେଇ ନବରଙ୍ଗପୁର ଥାନା ରେ କେସ ନଂ ୫୩୪/୨୧ ରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଚାଲୁ ରହିଛି। ସ୍ବର୍ଗତଃ ଭୋଇଙ୍କ ମୃତ୍ୟୁ ‌ରେ ନବରଙ୍ଗପୁର ଥାନା କର୍ମଚାରୀ ଓ ଜିଲ୍ଲା ପୁଲିସ ରେ କାର୍ଯ୍ୟରତ କର୍ମଚାରୀ ମାନେ ଗଭୀର ଶୋ‌କ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର