ମାଲକାନଗିରି : ମାଲକାନଗିରି ପୁଲିସ ଏବଂ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଘନ ଘନ ଚଢାଉ କରାଯାଇ ଗଂଜେଇ ଗଛକୁ ନଷ୍ଟ କରାଯାଉଛି।ବିଶେଷକରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅଂଚଳରେ ପ୍ରବଳ ଗଂଜେଇ ଚାଷ ହେଉଥିବାରୁ ପୁଲିସ ଏବଂ ଅବକାରୀ ବିଭାଗକୁ ନାକେଦମ କରିଚାଲିଛନ୍ତି ମାଫିଆ । ତେବେ ଏବେ ଅମଳର ସମୟ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ଏବଂ ଅବକାରୀ ମିଳିତ ଭାବେ ଚଢାଉ କରି ଗଂଜେଇ ନଷ୍ଟ ଗଛକୁ ଉପାଡି ନଷ୍ଟ କରିବା ଆରମ୍ଭ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଚିତ୍ରକୋଣ୍ଡା ଥାନା ଅଂଚଳର ବଡପଦର ପଞ୍ଚାୟତ ଅନ୍ତର୍ଗତ ହାଞ୍ଜିରିଆଗୁଡା ଏବଂ ଖିଲଗୁଡାରେ ଲଗାଯାଇଥିବା ୪୫ ଏକର ସରକାରୀ ଜମିରେ ଲଗାଯାଇଥିବା ୬୭ ହଜାର ୫ ଶହ ଗଛକୁ ନଷ୍ଟ କରାଯାଇଛି । ସେହିପରି କୋଡଗୁମ୍ମା ଏବଂ ଖାଲପଦର ଗ୍ରାମର ୪୨ ଏକର ଜମିରେ ଲଗାଯାଇଥିବା ୬୩ ହଜାର ଗଂଜେଇ ଗଛକୁ ନଷ୍ଟ କରାଯାଇଥିବା ଦେଖିବାକୁ ମିଳିଛି । ଏହାର ଅନୁମାନିକ ମୂଲ୍ୟ ୧୨ କୋଟିରୁ ଅଧିକ ଟଂକାର ହେବ ବୋଲି କୁହାଯାଇଛି।ତେବେ ଲଗାତାର ପୁଲିସ ଏବଂ ଅବକାରୀ ବିଭାଗର ଚଢାଉରେ ଗଂଜେଇ ମାଫିଆମାନେ ଏକ ପ୍ରକାର ଚିନ୍ତାରେ ପଡିଯାଇଥିବା ଦେଖିବାକୁ ମିଳିଛି । ପୁଣି ପୁଲିସର ଏହି ଚଢାଉରେ ସ୍ବାଭିମାନ ଅଂଚଳବାସୀ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି । ଗଂଜେଇ ଚାଷ ବଦଳରେ ସେମାନଙ୍କୁ ପାରଂପାରିକ ଚାଷ କରିବାକୁ କୁହାଯାଉଥିବାରୁ ସେମାନେ ଏବେ ଅରାଜି ହେଉଥିବା ଦେଖିବାକୁ ମିଳିଛି।ଯଦି ସେମାନଙ୍କୁ ସେମାନଙ୍କର ଉଚିତ ପ୍ରାପ୍ୟ ମିଳେ ତେବେ ସେମାନେ ନିଶ୍ଚିତ ଭାବେ ଖାଦ୍ୟଶସ୍ୟ ସହ ଅନ୍ୟ ପନିପରିବା ଚାଷ ମଧ୍ୟ କରିବେ ବୋଲି କହିଛନ୍ତି । ତେବେ ଆଗାମୀ ଦିନରେ ମଧ୍ୟ ଚିତ୍ରକୋଣ୍ଡା ଥାନା ଅଂଚଳରେ ଚାଷ କରାଯାଉଥିବା ଗଂଜେଇ ଚାଷକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରାଯିବ ବୋଲି କୁହାଯାଇଛି ।