ଗଞ୍ଜାମ ଗସ୍ତରେ ପୁଲିସ ଡିଜି ଅଭୟ; କୋଭିଡ୍‌ ସ୍ଥିତି ସମୀକ୍ଷା, ସୀମାନ୍ତ ଚେକ୍‌ପୋଷ୍ଟ ପରିଦର୍ଶନ

ବ୍ରହ୍ମପୁର/ଗୋଳନ୍ଥରା/ଛତ୍ରପୁୁର: ରାଜ୍ୟରେ କରୋନା କାୟା ବିସ୍ତାର କରି ଚାଲିଛି। ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରିଛନ୍ତି। ଏବେ ଆନ୍ଧ୍ର ଓ ତେଲେଙ୍ଗାନାରେ ଦେଖା ଦେଇଥିବା ନୂଆ କରୋନା ଭୂତାଣୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ବିଭିନ୍ନ ରାଜ୍ୟର ପ୍ରବାସୀମାନେ ଘରମୁହାଁ ହେଉଛନ୍ତି। ଓଡ଼ିଶା ପାଇଁ ପୁଣିଥରେ ବିପଦ ଘନେଇଛି। ବିଶେଷ କରି ଆନ୍ଧ୍ର ସୀମାନ୍ତ ଗଞ୍ଜାମ ଜିଲ୍ଲା ପ୍ରତି ଅଧିକ ବିପଦ ରହିଛି। ଏଣୁ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ସୋରଳ ଜଙ୍କସନ ନିକଟରେ ପ୍ରଶାସନ ତରଫରୁ ବୋର୍ଡ଼ର୍‌ ଚେକ୍‌ ପୋଷ୍ଟ କରି ଯାଞ୍ଚ କଡ଼ାକଡ଼ି କରାଯାଇଛି। ରାଜ୍ୟ ବାହାରୁ ଆସୁଥିବା ବସ୍‌, କାର୍‌ ଓ ଅନ୍ୟ ଗାଡ଼ିରେ ଯାତ୍ରୀମାନେ କେଉଁଠୁ ଆସୁଛନ୍ତି ତାହା ଯାଞ୍ଚ କରାଯାଉଛି।

ସେହିପରି ସେମାନଙ୍କର ପଞ୍ଜୀକରଣ କରାଯାଉଛି। ଏଥିସହ ଆନ୍ଧ୍ର ଓ ତେଲେଙ୍ଗାନାର ଯାତ୍ରୀମାନଙ୍କୁ ଦୁଇଟି ଡୋଜ ଟିକା ସାର୍ଫିଟିକେଟ ନହେଲେ ୭୨ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ମଗାଯାଉଛି। ଯେଉଁମାନେ ଏହା ଦେଖାଇ ପାରୁ ନାହାନ୍ତି ସେମାନଙ୍କୁ ୧୪ ଦିନ ପାଇଁ ସରକାରୀ ସଙ୍ଗରୋଧରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ଆଜି ପୂର୍ବାହ୍ନରେ ଓଡ଼ିଶା ପୁଲିସ ଡିଜି ଅଭୟ ଓ ଅତିରିକ୍ତ ଡିଜି (ଆଇନ ଶୃଙ୍ଖଳା) ଯଶବନ୍ତ ଜେଠୱା ସୋରଳ ଜଙ୍କସନରେ ପହଞ୍ଚି ଚେକ୍‌ ପୋଷ୍ଟ ପରିଦର୍ଶନ କରି ପୁୁଲିସ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ଯାଞ୍ଚ କାର୍ଯ୍ୟରେ ଡିଜି ସନ୍ତୋଷ ପ୍ରକାଶ କରିଥିଲେ। ଆଜି ଡିଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଥାନା ଓ ଅଞ୍ଚଳ ପରିଦର୍ଶନ କରିଥିଲେ। ଗୋଳନ୍ଥରା ଥାନାକୁ ଡିଜି ଅଭୟ ପରିଦର୍ଶନରେ ଯାଇଥିଲେ। ଥାନା ପରିଦର୍ଶନ କରିବା ସହ ପୁଲିସ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର କରିବା ସହ ସେବା ଯୋଗେଇବା ପାଇଁ ପୁଲିସ କର୍ମଚାରୀଙ୍କୁ ଡିଜି ପରାମର୍ଶ ଦେଇଥିଲେ।

Sambad

ପରିଦର୍ଶନ ସମୟରେ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସ୍ପି‌. ପିନାକ ମିଶ୍ର, ବ୍ରହ୍ମପୁର ସଦର ଏସଡିପିଓ ଜୟନ୍ତ କୁମାର ମହାପାତ୍ର, ଟ୍ରାଫିକ ଡିଏସ୍‌ପି ବିମଳକାନ୍ତ ନାୟକ, ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ, ସୁନାପୁର ମେରାଇନ ଥାନା ଅଧିକାରୀ ରାମ କୁମାର ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ। ଏହାପୂର୍ବରୁ ଡିଜି ଅଭୟ ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ କାର୍ଯ୍ୟାଳୟରେ ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାରେ କୋଭିଡ୍‌ ସ୍ଥିତିକୁ ନେଇ ସମୀକ୍ଷା କରିଥିଲେ। ସେହିପରି ପୁଲିସ ତରଫରୁ କୋଭିଡ୍‌ ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରିଥିଲେ। ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାରେ ପୁଲିସ କୋଭିଡ୍‌ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରୁଛି। ଏଥିରେ ଜନସାଧାରଣ ମଧ୍ୟ ସହଯୋଗ କରୁଛନ୍ତି। ଏଣୁ ସମସ୍ତଙ୍କୁ ସେ ଧନ୍ୟବାଦ ଦେଇଥିଲେ। ଜରୁରି କାମରେ ଘରୁ ବାହାରିଲେ ମାସ୍କ ପରିଧାନ କରିବା, ସାମାଜିକ ଦୂରତା ବଜାୟ ରଖିବା ପାଇଁ ଡିଜି ଜନସାଧାରଣଙ୍କୁ ଆହ୍ବାନ କରିଥିଲେ। କୋଭିଡ୍‌ ମୁକାବିଲାରେ ପୁଲିସର କାର୍ଯ୍ୟ ଦକ୍ଷତାକୁ ମଧ୍ୟ ଡିଜି ପ୍ରଶଂସା କରିଥିଲେ। ଡିଜି ଗୋସାଇଁ ନୂଆଗାଁ ଥାନା ମଧ୍ୟ ପରିଦର୍ଶନ କରିଥିଲେ।

ସେହିପରି ଡିଜି ଅଭୟ ଗଞ୍ଜାମ ପୁଲିସ ଜିଲ୍ଲାର ଚମାଖଣ୍ତି ଥାନା ପରିଦର୍ଶନ କରି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସମୟରେ ପୁଲିସର ଯାଞ୍ଚ କଡ଼ାକଡ଼ି କରିବାକୁ ନିେର୍ଦ୍ଦଶ ଦେଇଥିଲେ। କୋଭିଡ୍‌ ନିୟମ ପାଳନରେ ଜିଲ୍ଲାବାସୀ ସହଯୋଗ କରୁଛନ୍ତି। ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ସମୟରେ କୌଣସି ଜରୁରି କାମ ନଥିଲେ ପୁଲିସ ଥାନାକୁ ଆସନ୍ତୁ ନାହିଁ। ସଂପୃକ୍ତ ଥାନା ଗୁଡ଼ିକର ସିୟୁଜି, ଲ୍ୟାଣ୍ଡଲାଇନ୍ ନମ୍ବର ଅଛି। ସେଥିରେ ସେମାନଙ୍କ ଅଭିଯୋଗକୁ ଜଣାନ୍ତୁ। ପୁଲିସ ସଂଗେ ସଂଗେ ଅଭିଯୋଗକାରୀଙ୍କ ନିକଟରେ ପହଞ୍ଚିବ ବୋଲି କହିଥିଲେ। ଏଥିସହ ଜିଲ୍ଲାରେ କାର୍ଯ୍ୟରତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ କଠିନ ପରିଶ୍ରମକୁ ସେ ପ୍ରଶଂସା କରିଥିଲେ। ଚମାଖଣ୍ତି ଥାନା ପରିଦର୍ଶନ ବେଳେ ଅତିରିକ୍ତ ପୁଲିସ ଡିଜି (ଆଇନ ଶୃଙ୍ଖଳା) ଯଶୱନ୍ତ ଜେଠୱା, ଗଞ୍ଜାମ ଏସ୍‌.ପି. ବ୍ରିଜେଶ୍ କୁମାର ରାଏ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଡିଜି ରମ୍ଭା ଓ ଗଞ୍ଜାମ ଥାନା ମଧ୍ୟ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ଗଞ୍ଜାମ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ଓ ରମ୍ଭା ଥାନାଧିକାରୀ କୃଷ୍ଣଚନ୍ଦ୍ର ସେଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର