ବାଲେଶ୍ବର: କରୋନାର ଦ୍ବିତୀୟ ଲହରରେ ବାଲେଶ୍ବରର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସେପଟେ ସୀମାରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି ହେବା ସତ୍ତ୍ବେ ପ୍ରତିଦିନ ଶହଶହ ସଂଖ୍ୟାରେ ପଶ୍ଚିମବଙ୍ଗ ଫେରନ୍ତା ସୀମା ଡେଇଁ ଘରକୁ ଫେରୁଥିବା‌ର ଦୃଶ୍ୟ ପୁଲିସ ପ୍ରଶାସନର ଢିଲା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଛି। ତେଣୁ ଆଜି ପୁଲିସ ଡିଜି ଅଭୟ ବାଲେଶ୍ବର ଗସ୍ତରେ ଆସୁଥିବା ସୂଚନା ମିଳିଛି।

Advertisment

ଆଜି ସକାଳ ସାଢ଼େ ୯ଟାରେ ଡିଜି ଅଭୟ ସଡ଼କପଥରେ ଆସି ବାଲେଶ୍ବର ସଦର ମହକୁମାରେ ପହଞ୍ଚିବା ପରେ ଏଠାରୁ ପୂର୍ବାଞ୍ଚଳ ଜୋନ୍‌ ଆଇଜି ଦୀପ୍ତେଶ ପଟ୍ଟନାୟକ ଏବଂ ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ସାଙ୍ଗରେ ଧରି ଜଳେଶ୍ବରର ଲକ୍ଷ୍ମଣନାଥ ସ୍ଥିତ ତନଖି ଫାଟକ ନିକଟକୁ ଯିବେ। ସେଠାରେ ଅନ୍ତଃରାଜ୍ୟ ଚେକ୍‌ପୋଷ୍ଟର ସ୍ଥିତି ସମୀକ୍ଷା କରିବା ସହ ଯାଞ୍ଚ୍‌ ପ୍ରକ୍ରିୟା ଅନୁଧ୍ୟାନ କରିବେ। ପଶ୍ଚିମବଙ୍ଗ ପଟୁ ଓଡ଼ିଶାରେ ପ୍ରବେଶ ଦ୍ୱାର କୁହାଯାଉଥିବା ୬୦ ନମ୍ବର ଜାତୀୟ ରାଜପଥର ବାଲେଶ୍ବର ଜିଲ୍ଲାର ଲକ୍ଷ୍ମଣନାଥ ତନଖି ପାଠକ ଏବଂ ଭୋଗରାଇ ବ୍ଲକର ଉଦୟପୁର ସୀମା ଏବେ ପୁଣିଥରେ ସରକାର ଓ ପୁଲିସ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକର ଆନ୍ତଃରାଜ୍ୟ ଚେକ୍‌ପୋଷ୍ଟକୁ ସିଲ୍‌ କରାଯାଇଥିବା ବେଳେ ପଶ୍ଚିମବଙ୍ଗ ସୀମାକୁ ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଏବଂ ଭୋଗରାଇର ଅନେକ ଗାଁ ଲାଗିଥିବାରୁ ଏସବୁ ଅଞ୍ଚଳକୁ ଅନେକ ଲୋକ ପଶ୍ଚିମବଙ୍ଗରୁ ଫେରିଆସୁଥିବା ଦେଖାଯାଉଛି।

ସୂଚନାଥାଉକି, ଗତବର୍ଷ ଏହି ମାସ ୨୧ ତା‌ରିଖରେ ଡିଜି ଅଭୟ ହେଲିକପ୍ଟର ଯୋଗେ ବାଲେଶ୍ବର ଆସି ବାଲେଶ୍ବର ସହରର ବିଭିନ୍ନ ଥାନା ପରିଦର୍ଶନ କରିବା ସହ ଜଳେଶ୍ବର ଲକ୍ଷ୍ମଣନାଥ ତନଖି ଫାଟକ ନିକଟକୁ ଯାଇ ସୀମା ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ଆସନ୍ତାକାଲି ଡିଜିଙ୍କ ଗସ୍ତ ନେଇ ବାଲେଶ୍ବର ଜିଲ୍ଲା ପୁଲିସର ତତ୍ପରତା ଦେଖିବାକୁ ମିଳିଛି।