ହାଟ ବଜାରରେ ନିଜେ ଗୋଲେଇ ଆଙ୍କିଲେ ଥାନା ଅଧିକାରୀ 

ଝାରସୁଗୁଡ଼ା: ମହାମାରୀ କରୋନା ସଂକ୍ରମଣରୁ ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ ପୁଲିସର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଝାରସୁଗୁଡ଼ା ପୁଲିସ ଲୋକଙ୍କୁ ସଚେତନ କରିବା ପାଇଁ ଆଉ ପାଦେ ଆଗକୁ ଯାଇଥିବା ଦେଖାଯାଇଛି। ହାଟ ବଜାରରେ ଲୋକେ ସାମାଜିକ ଦୂରତ୍ବ ମାନୁ ନଥିବା ଏବେ ସବୁଠାରୁ ବଡ଼ ଚିନ୍ତାର କାରଣ ପାଲଟିଥିବା ବେଳେ ଆଜି ଝାରସୁଗୁଡ଼ା ଥାନାର ଆଇଆଇସି ସାବିତ୍ରୀ ବଳ ନିଜେ ହାତରେ ଚୂନ ନେଇ ପରିବା ବଜାର ଓ ତେଜରାତି ଦୋକାନରେ ଗୋଲେଇ ଆଙ୍କୁଥିବା ଦେଖା ଯାଇଥିଲା।

ଏହି ‌ଗୋଲେଇ ଭିତରେ ରହି ସଉଦାପତ୍ର କିଣାବିକା କରିବାକୁ ସେ ଲୋକଙ୍କଚ ସଚେତନ କରି ନିଜ ନିଜ ଭିତରେ ଦୂରତ୍ବ ରକ୍ଷା କରିବାକୁ ବୁଝାଇଥିଲେ। କରୋନା ଭଳି ଭୟଙ୍କର ରୋଗରୁ ରକ୍ଷା ପାଇଁବା ପାଇଁ ସାମାଜିକ ଦୂରତ୍ବ ଏକମାତ୍ର ଉପାୟ ହୋଇଥିବା ବେଳେ ପୁଲିସ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ସାରା ସହରରେ ପ୍ରଶଂସା କରାଯାଇଛି। ବହୁ ଲୋକ ଆଜି ଆଇଆଇସିଙ୍କ ଗୋଲେଇ କରୁଥିବା ବେଳର ଚିତ୍ର ତାଙ୍କ ସୋସିଆଲ ମିଡ଼ିଆରେ ସ୍ଥାନିତ କରିଥିବା ବେଳେ ଏହା ଭାଇରାଲ ହୋଇଛି। ଧିରେ ଧିରେ ଲୋକମାନେ ମଧ୍ୟ ସଚେତନ ହେଉଥିବା ଲକ୍ଷ୍ୟ କରାଯାଉଛି ।

ଅତି ଆବାଶ୍ୟକ ନହେଲେ ଲୋକେ ଏବେ ପଦାକୁ ବାହାରୁ ନଥିବା ଦେଖା ଯାଇଛି। ତଥାପି ସରବାହାଲ ଅଞ୍ଚଳରେ କିଛି ଲୋକ ସାମାଜିକ ଦୂରତ୍ବକୁ ଆଦୌ ମାନୁ ନଥିବା ଦେଖା ଯାଉଛି। ସହରତଳି ଅଞ୍ଚଳରେ ମଧ୍ୟ କିଛି ଲୋକ ଦୋକାନ ଖୋଲୁଥିବା ପୁଲିସ ନଜରକୁ ଆସିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର