ଖୋର୍ଦ୍ଧା: ମୁକୁନ୍ଦ୍ରପ୍ରସାଦ ମୁସଲିମସାହିରେ ଗାଈ କଟା ଯାଉଥିବା ଅଭିଯୋଗକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଅଭିଯୋଗ ପରେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଛି। ଗଣ୍ଡଗୋଳ ଆଶଙ୍କାରେ ଚାରି ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସୋମବାର ସକାଳ ସାଢ଼େ ୧୧- ୧୨ଟା ବେଳେ ମୁକୁନ୍ଦପ୍ରସାଦର ସଙ୍କଟ ମୋଚନ ବିଦ୍ୟାଳୟ ଛକ ନିକଟରେ ବଜରଙ୍ଗ ଦଳ ଓ ସ୍ଥାନୀୟ ହିନ୍ଦୁ ସଦସ୍ୟ ମାନେ ରାସ୍ତା ଉପରେ ଟାୟାର ଜାଳି ଅବରୋଧ କରିଥିଲେ। କିଛି ସମୟ​ ପରେ ପୁଲିସ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରି ରାସ୍ତା ଅବରୋଧ ହଟାଇଥିଲା। ବିକ୍ଷୋଭକାରୀଙ୍କ ଅଭିଯୋଗ ହେଲା ଯେ ୫-୧୦ ବର୍ଷ ପୂର୍ବେ ସାହି ଭିତରେ ଏଭଳି ଗାଈ କାଟିବା ପରିସ୍ଥିତି ନଥିଲା। ଏହା ଏଇ କିଛି ବର୍ଷ ହେଲା ବୃଦ୍ଧି ପାଇଛି। ମୁସଲିମ ସାହିରେ ବିଭିନ୍ନ ସ୍ଥାନରୁ ଗାଈକୁ ଆଣି କାଟୁଥିବା ନେଇ ପୁଲିସକୁ ପୂର୍ବରୁ ଅନେକ ଥର ଅଭିଯୋଗ କରିଛନ୍ତି, କିନ୍ତୁ ପୁଲିସ କୌଣସି ପଦକ୍ଷେପ ନେଉ ନାହିଁ। ଆଜି ସୋମବାର ସକାଳେ ମଧ୍ୟ ପୁଲିସକୁ ନେଇ ସାହି ଭିତରେ ଥିବା କଂସେଇ ଖାନା, ଗୋରୁ ହାଡ଼, ମାସଂ ଆଦି ଦେଖାଇଲେ, କିନ୍ତୁ ପୁଲିସ ଏସବୁ କିଛି ନାହିଁ ବୋଲି ଏଡ଼ାଇ ଦେଲା।

Advertisment

publive-image Sambad

ତେବେ ରାସ୍ତା ଅବସରୋଧ ପରେ ଜଣେ ସାଧାପୋଷାକଧାରୀ ଏଏସ୍‌ଆଇ ସହ ଦୁଇ ଏଏସ୍‌ଆଇ, ଜଣେ ମହିଳା ଓ ପୁରୁଷ କନଷ୍ଟେବଳ ଅଭିଯୋଗକାରୀ ଦୁଇ ଯୁବକଙ୍କ ସହ ପୁଣି ଥରେ କଂସେଇ ଖାନାକୁ ଯାଇ ସେଠାରେ ପଡ଼ିଥିବା ହାଡ଼ମାଂସ ଆଦି ସଂଗ୍ରହ କରି ଫେରିଥିଲା। ଏହି ସମୟରେ ସେଠାରେ ଥିବା ଗାଈ ଓ ବାଛୁରୀକୁ ଛଡ଼ାଇ ଆଣିବାକୁ ବଜରଙ୍ଗଦଳ କର୍ମୀ ମାନେ ଚେଷ୍ଟା କରିଥିଲେ। ଏହାକୁ ନେଇ ମୁସଲିମ ପୁରୁଷ ଓ ମହିଳାମାନେ ବିରୋଧ କରିଥିଲେ। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପ୍ରଥମେ ଠେଲାପେଲା ଓ ପରେ ହାତାହାତି ହୋଇଥିଲେ। ପୁଲିସ ଉଭୟ ପକ୍ଷକୁ ଅଟକାଇବାକୁ ଚେଷ୍ଟା କରିବା ପରେ ମହିଳା କ​ନଷ୍ଟେବଳ ଜଣେ ତଳେ ପଡ଼ି ଯାଇଥିଲେ ଓ ସାଧା ପୋଷାକଧାରୀ ଏଏସ୍‌ଆଇଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। କୌଣସି ମତେ ଉଭୟ ପକ୍ଷକୁ ଅଲଗା କରି ନିୟନ୍ତ୍ରଣକୁ ଆଣିବା ବେଳେ କେତେକ ମୁସଲିମ ଯୁବକ ଟେକା ଫୋପାଡ଼ିଥିଲେ।

publive-image Sambad

ଏହାର ପାଲଟା ଜବାବରେ ବଜରଙ୍ଗଦଳ ଓ ସ୍ଥାନୀୟ ହିନ୍ଦୁ ଯୁବକମାନେ ମଧ୍ୟ ଟେକା ଫୋପାଡ଼ିଥିଲେ। ଖବର ପାଇ ଘଟଣାସ୍ଥଳରେ ଏସ୍‌ଡିପିଓ ଦିଲ୍ଲୀପ କୁମାର ଦାସ, ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦଙ୍କ ସହ ପୁଲିସ ଫୋର୍ସ ସହ ପହଞ୍ଚି ଥିଲେ। ପରିସ୍ଥିତି ଅଣାୟତ୍ତ ଆଡ଼କୁ ଗତି କରିବା ଶୁଣି ଅପରାହ୍ନ ପ୍ରାୟ ୩ଟା ବେଳେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରକ୍ତ ଏସ୍‌ପି, ଖୋର୍ଦ୍ଧା ତହସିଲଦାରଙ୍କ ସହ ଅତିରିକ୍ତ ପୁଲିସ ଫୋର୍ସ ସେଠାରେ ପହଞ୍ଚିଥିଲେ। ଏହାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି​ ଯେ, ଉଭୟ ପକ୍ଷରୁ କେହି ଲିଖିତ ଅଭିଯୋଗ କରିନାହାନ୍ତି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ଚାରି ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଲୋକଙ୍କ ଅଭିଯୋଗ ହେଲା ଯେ ଗାଈ କଟାଯାଉଛି, କିନ୍ତୁ ସେଠାରୁ ଗାଈ କାଟୁଥିବା ନେଇ କୌଣସି ଦୃଢ଼ ପ୍ରମାଣ ମିଳିନାହିଁ। ତେବେ ଯଦି କିଛି ହାଡ଼ ମାଂସ ମିଳିଥିବା କୁହାଯାଏ ତେବେ ତାକୁ ପରୀକ୍ଷା ପାଇଁ ପଠାଯିବ, ରିପୋର୍ଟ ଆଧାରରେ ପରବର୍ତୀ ପଦକ୍ଷେପ ନିଆଯିବ।