ନିଖୋଜ ଯୁବକଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୁଲିସ

ବୈପାରିଗୁଡା: ଦୁଇଦିନ ତଳେ ବାଟବଣା ହୋଇ ଚାଲି ଚାଲି ବୁଲୁଥିବା ଅସହାୟ ଯୁବକଙ୍କୁ ଉଦ୍ଧାର କରି ପୁଲିସକୁ ଜିମା ଦିଇଥିଲେ ନବରଙ୍ଗପୁରର ଉରି ଭତ୍ରା। ଏହିପରି ଏକ ଘଟଣା କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଂଚଳରେ ଦେଖିବାକୁ ମିଳିଛି। ଅସହାୟ ଯୁବକ ଜଣକ ଜୁନାଗଡ଼ ଥାନା ଅନ୍ତର୍ଗତ ଥାପଷପୁର ପଞ୍ଚାୟତର ସିନାପୋଡା ଗ୍ରାମର ରଜନୀକାନ୍ତ ନାୟକ ବୋଲି ଜଣା ପଡିଛି। ତାଙ୍କ ପିତା କୁବେର ନାୟକ ଏବଂ ମା’ ଶାନ୍ତି ନାୟକ ବୋଲି ନିଜର ପରିଚୟ ଦେଉଛନ୍ତି। ହେଲେ ନବରଙ୍ଗପୁର ଜିଲ୍ଲା ପୋଡାଲଗୁଡା ଗ୍ରାମର ଉରି ଭତ୍ରା ନିଜର ବ୍ୟକ୍ତିଗତ କାର୍ଯ୍ୟ ନିମନ୍ତେ ମାଲକାନଗିରି ଯାଇ ନିଜ ଗାଁକୁ ଫେରୁଥିବା ବେଳେ ରାଞ୍ଚି ବିଜୟୱାଡା ୩୨୬ ନମ୍ବର ଜାତୀୟ ରାଜପଥ ସପ୍ତଧାରା ନଦୀ ନିକଟରେ ଏହି ଅସହାୟ ଯୁବକ ଚାଲିଚାଲି ଯାଉଥିବା ଦେଖିବାକୁ ପାଇଥିଲେ।

ଉରି ଭତ୍ରା ଅସହାୟ ଯୁବକଙ୍କ ସହିତ କଥାହେବା ପରେ ଯୁବକଙ୍କ ସୁରକ୍ଷା ଦୃଷ୍ଟିରୁ ନିଜ ବାଇକରେ ବସାଇ ଆଣିଥିଲେ ଏବଂ ବୈପାରୀଗୁଡା ଥାନାରେ ଉକ୍ତ ଯୁବକଙ୍କୁ ଜିମା ଦେଇଥିଲେ। ଫ୍ରେଣ୍ଡସ ୟୁନିଟ କ୍ଲବର ସଦସ୍ୟ ମାନେ ଏବିଷୟରେ ଜାଣିବା ପରେ ବିଭିନ୍ନ ସୋସିଆଲ ମିଡିଆରେ ନିଖୋଜ ରଜନୀକାନ୍ତଙ୍କ ଫୋଟୋ ଭାଇରାଲ କରିବା ପରେ ତାଙ୍କ ପରିବାର ଲୋକେ ଦେଖି ବୈପାରିଗୁଡା ଥାନା ସହିତ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ। ଡିଏସପି ବିରଞ୍ଚିନାରାୟଣ ଜଗତ ଏବଂ ଏଏସ୍ଆଇ ଶିବ ଶଙ୍କର ନାୟକ ପରିବାର ଲୋକଙ୍କୁ ବୈପାରିଗୁଡା ଡକାଇ ରଜନୀକାନ୍ତକୁ ହସ୍ତାନ୍ତର କରିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର