ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ଏକ ମର୍ମ୍ମସ୍ପର୍ଶୀ ଚିତ୍ର ଏବେ ଭାଇରାଲ ହେବାକୁ ଲାଗିଛି। ଦନ୍ତେୱାଡା ଜିଲ୍ଲାର କୁଆକୋଣ୍ଡା ଠାରେ ଜଣେ ବୃଦ୍ଧାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ଫଳରେ ତାଙ୍କୁ ତାଙ୍କର ନିଜ ଗ୍ରାମକୁ ଶବ ନେବାକୁ କୌଣସି ଆମ୍ବୁଲାନ୍ସ ମିଳିଲା ନାହିଁ। ଏପରିକି ପରିବାର ଲୋକେ ମଧ୍ୟ ଶବକୁ କୌଣସି ଭଡା ଗାଡିରେ ୨୫ କିଲୋମିଟର ଦୂର ନିଜ ଗ୍ରାମ ଟିକନପାଲ ନେବାକୁ ସମର୍ଥ ନଥିଲେ। ତେଣୁ ବାଧ୍ୟ ହୋଇ ଏକ ଖଟିଆରେ ଶବକୁ ରଖି ବୋହି ନେଉଥିଲେ। ଯୋଗୀ ପଡିଆମୀ ନାମକ ମହିଳା କିଛିଦିନ ହେଲା ଜ୍ବରରେ ପଡିଥିଲେ। ତାଙ୍କୁ କୁଆକୋଣ୍ଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପରିବାର ଲୋକେ ଆଣିଥିଲେ। ତେବେ ସେଠାରେ ସେ ମୃତ୍ୟୁବରଣ କରିଥିଲେ। ତାଙ୍କର ଶବକୁ ନେବାକୁ କୌଣସି ଡାକ୍ତରଖାନା କର୍ତ୍ତୃପକ୍ଷ କିମ୍ବା ଅନ୍ୟ କେହି ସହଯୋଗ କରିନଥିଲେ। ଏହି ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ଆଦିବାସୀ ଅଞ୍ଚଳ ହୋଇଥିବାରୁ ଲୋକେ ପାଦରେ ଚାଲି ଚାଲି ମାଇଲ ମାଇଲ ବାଟ ଯାଇଥାନ୍ତି।
ପ୍ରାୟ ୧୦ କିଲୋମିଟର ଚାଲିବା ପରେ କୁଆକୋଣ୍ଡା ପୁଲିସକୁ ଏନେଇ ଖବର ମିଳିବା ପରେ ତୁରନ୍ତ ପୁଲିସ ଏକ ପିକଅପ ଭ୍ୟାନରେ ଶବକୁ ଲଦି ନେବାକୁ ଅନୁରୋଧ କରିଥିଲେ। ପୁଲିସ ଅଧିକାରୀମାନେ ନିଜେ ସେଠାରେ ଉପସ୍ଥିତ ରହି ନିଜ ଯବାନଙ୍କୁ ଗାଁ ପର୍ଯ୍ୟନ୍ତ ଛାଡି ଆସିବାକୁ ନିର୍ଦେଶ ଦେଇଥିଲେ। ତେବେ ଏହି ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି। ପୁଲିସର ଏହି ମାନବିକତା ପାଇଁ ସବୁ ମହଲରେ ପ୍ରଶଂସା କରାଯାଇଛି। ପ୍ରଶାସନିକ ଅଧିକାରୀମାନେ ଗ୍ରାଉଣ୍ଡ ଜିରୋରେ କାମ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଆଦିବାସୀ ମାନଙ୍କ ପାଇଁ ଏମାନଙ୍କର କେତେ ଦରଦ ରହିଛି ଏଥିରୁ ସ୍ପଷ୍ଟ ଜଣାପଡୁଛି ବୋଲି ସ୍ଥାନୀୟ ଲୋକେ କହିଥିଲେ।