ମାଲକାନଗିରି: ମାଓବାଦୀ ସଂଗଠନ ପକ୍ଷରୁ ଆଜି ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇ ଜାଦି ବସନ୍ତ ନାମକ ବ୍ୟକ୍ତିଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଥିବା ନେଇ ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି ସଚିବ ଅରୁଣା। ପୁଲିସ ଲୋକମାନଙ୍କର ଦାରିଦ୍ର୍ୟ ଏବଂ ନିର୍ଦୋଷତାକୁ ପଥେୟ କରି ସେମାନଙ୍କୁ ପୁଲିସ ସୂଚନାଦାତା ବନାଇ ମୃତ୍ୟୁ ମୁଖରେ ପକାଉଛନ୍ତି। ସୁଚନାକାରୀଙ୍କ ନେଟୱର୍କ ମାଧ୍ୟମରେ ପୁଲିସ ଓ ସରକାର ବିପ୍ଲବର ଅଗ୍ରଗତିକୁ ଅବରୋଧ କରୁଛନ୍ତି ଏବଂ ଲୋକଙ୍କ ମୃତ୍ୟୁ ଘଟାଉଛନ୍ତି। ଛତିଶଗଡର କାଂକେର ଜିଲ୍ଲାର ଉସୁର ବ୍ଲକର କଥାପାଲୀ ଗ୍ରାମର ଜାଦି ବସନ୍ତ ଗତ ଦୁଇ ବର୍ଷ ଧରି ପୁଲିସର ସୂଚନାଦାତା ଭାବେ କାମ କରିଆସୁଥିଲା। ପାର୍ଟି ବିରୋଧରେ ନେତାମାନଙ୍କୁ ସୂଚନା ଦେବା ସହ ପୁଲିସକୁ ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ପୁଲିସ ତାଂକୁ ଟଂକା ଦେଇଥିଲେ। ଅତି ଚତୁରତାର ସହ ପୁଲିସର ସୂଚନାଦାତା ଭାବେ କାମ କରିଆସୁଥିଲା। ସେ ପୁଲିସ ସହ ମିଶି ଆମ ସଭାକୁ ଆସି ସମସ୍ତ ତଥ୍ୟ ନେଇ ପୁଲିସକୁ ଦେଉଥିଲା।
ତେଲେଙ୍ଗାନାର ପୁଲିସ ପାଇଁ ଗାଁରେ ସେ ଜଣେ ଆଗଧାଡିର ଟାଉଟର ବନିଯାଇ ଲୋକଙ୍କ ଘରକୁ ଦେଖାଉଥିଲା। ଯଦି ପୁଲିସ ପାର୍ଟି ଉପରେ ଆକ୍ରମଣ କରିବାରେ ସଫଳ ହେବ ତେବେ ସେ ୧୦ ଲକ୍ଷ ଟଂକା ପାଇବ ବୋଲି ସମସ୍ତ ଯୋଜନା କରିଥିଲା। ଏହା ପାର୍ଟିର ମେମ୍ବରମାନେ ଜାଣିବା ପରେ ଜାଦି ବସନ୍ତକୁ ଶତ୍ରୁ ବୋଲି ଘୋଷଣା କରିଥିଲେ। ପିଏଲଜିଏର ସଦସ୍ୟମାନେ ବସନ୍ତକୁ ଧରି ଜଂଗଲରେ ଆୟୋଜିତ ପ୍ରଜାକୋର୍ଟରେ ହାଜର କରାଇଥିଲେ। ବସନ୍ତ ନାମରେ ଥିବା ଅଭିଯୋଗଗୁଡିକକୁ ଲୋକେ ବୟାନ କରିଥିଲେ। ବସନ୍ତ ମଧ୍ୟ ପୁଲିସ ସହ କାମ କରୁଥିବା ସ୍ବୀକାର କରିଥିଲା। ତେଣୁ ତାକୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଗଲା ବୋଲି ମାଓନେତ୍ରୀ ଅରୁଣା ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/Mkg-naxal-encounter-2.jpg)