କାମାକ୍ଷାନଗର: ଦୀର୍ଘ ୯ ବର୍ଷ ପୂର୍ବରୁ ହୋଇଥିବା ହତ୍ୟାକାଣ୍ଡର ତଦନ୍ତ ପାଇଁ ପୁଲିସ ତତ୍ପରତା ଦେଖାଇଛି । ୨୦୧୨ ମସିହା ମେ' ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଗୋଠପାଟଣାର ଏକ ଆମ୍ବ ବଗିଚାର ଏକ ବୁଦାରୁ ମିଳିଥିଲା ଜଣେ ଅଚିହ୍ନା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ। ମହିଳାଙ୍କ ବୟସ ୨୫ରୁ ୩୦ ହେବ ବୋଲି ଅନୁମାନ କରାଯାଇଥିଲା। କୌଣସି ଅଭିଯୋଗ ନହେବାରୁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ପରେ ଶବ ବ୍ୟବଛେଦ ରିପୋର୍ଟରେ ତାଙ୍କୁ ପଥରରେ ଛଚି ହତ୍ୟା ହୋଇଛି ବୋଲି ଜଣାପଡିଥିଲା।

Advertisment

୨୦୧୫ ମସିହା ଜାନୁଆରି ୧୯ ତାରିଖରେ ୧୨/୧୫ ନଂ ଏକ ମାମଲା ରୁଜୁ ହେଲା। କିନ୍ତୁ ଆଜିଯାଏ ଏହି ଘଟଣା ରହସ୍ୟ କି ମହିଳାଙ୍କ ପରିଚୟ ଉନ୍ମୋଚନ ହୋଇନାହିଁ। ସେତେବେଳେ ମୃତଦେହ ନିକଟରେ ଏକ ପଲଥିନ୍ ବ୍ୟାଗରେ କିଛି ଲୁଗା ଓ କପଡା ମିଳିଥିଲା। ସେ ବ୍ୟାଗଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଏକ ଡ୍ରେସ ଦୋକନର ଥିଲା। ମହିଳାଙ୍କ ଘର କାମାକ୍ଷାନଗର ଅଞ୍ଚଳରେ ହୋଇଥାଏ ପାରେ ବୋଲି ପୁଲିସ ସନ୍ଦେହ କରୁଛି। ଆଜି ଚନ୍ଦକା ପୁଲିସ ଏକ ଚାରି ଜଣିଆ ଟିମ ଏଠାରେ ପହଞ୍ଚି ବିଭିନ୍ନ ଗାଁକୁ ଯାଇ ପଚରାଉଚରା କରିବା ସହ ପୋଷ୍ଟର ମାରୁଛି। ଏହି ଟିମରେ ଚନ୍ଦକା ଆଇଆଇସି ନେତୃତ୍ୱ ନେଉଛନ୍ତି। ମହିଳାଙ୍କ ସମ୍ପର୍କରେ କିଛି ଜାଣିଥିଲେ ଆଇଆଇସିଙ୍କ ମୋ-୮୨୮୦୩୩୮୩୨୩/୯୪୩୮୮୪୯୯୫୯ କିମ୍ବା ଜୋନ ଏସିପି ମୋ-୮୨୮୦୩୩୮୨୯୬ରେ ଜଣାଇବାକୁ ପୁଲିସ ପକ୍ଷରୁ କୁହାଯାଇଛି।