ଠେଙ୍ଗାହାଟ ଗୁଳିକାଣ୍ଡ ମାମଲା: ପୁଲିସ ତଦନ୍ତରେ ଅହେତୁକ ବିଳମ୍ବ

ଖୋର୍ଦ୍ଧା: ଠେଙ୍ଗାହାଟ ଛକରେ ବ୍ରାଉନସୁଗାର ମାଫିଆ ସୋମନାଥ ଭୂଜବଳକୁ ଗୁଳିକାଣ୍ଡ ମାମଲା ଦିନକୁ ଦିନ ରହସ୍ୟାବୃତ ହେଉଛି । ଗୋଟିଏ ପଟେ ହସ୍ପିଟାଲରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ସୋମନାଥର ସ୍ୱାସ୍ଥ୍ୟକୁ ନେଇ ଅନିଶ୍ଚିତତା ଲାଗିରହିଥିବା ବେଳେ ଆରପଟେ ପୁଲିସର ତଦନ୍ତରେ ଅହେତୁକ ବିଳମ୍ବ ଯୋଗୁଁ ଅପରାଧୀ ଖସିଯିବାରେ ବେଶ୍ ସହାୟକ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି । ଗତକାଲି ସୋମନାଥର ପରିବାର ସଦସ୍ୟଙ୍କ ଲିଖିତ ଅଭିଯୋଗ ଅନୁସାରେ ଖୋର୍ଦ୍ଧା ଟାଉନ ଥାନା ପୁଲିସ ୩୫୧୧/୨୦୨୩ରେ ଏକ ମାମଲା ରୁଜୁ କରିଛି । ତେବେ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ସମ୍ପର୍କରେ କୌଣସି କଥା ପୁଲିସ ସ୍ପଷ୍ଟ କରିନାହିଁ । ଏନେଇ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି ଯେ ପରିବାର ସଦସ୍ୟ ଏତଲା ଦେଇଛନ୍ତି, କିନ୍ତୁ ଗୁଳିକାଣ୍ଡ ପଛର କାରଣ ନେଇ ସେମାନଙ୍କଠାରୁ ପ୍ରତ୍ୟକ୍ଷ ଭାବେ କୌଣସି ବୟାନ ରେକର୍ଡ କରାଯାଇନାହିଁ । ସମସ୍ତ ସଦସ୍ୟ ହସ୍ପିଟାଲରେ ଥିବାରୁ ସେଠାରୁ ଫେରିବା ପରେ ଯାଇ ଏନେଇ କିଛି କହିବେ ବୋଲି କହିଛନ୍ତି । ଆରପଟେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି ଯେ ଏସ୍ଡିପିଓ ଦିଲିପ କୁମାର ଦାସଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି ।

ଏଯାଏଁ ଅପରାଧୀ କି ଅପରାଧର କାରଣ ସମ୍ପର୍କରେ କୌଣସି ତଥ୍ୟ ମିଳିପାରିନାହିଁ । ତେବେ ପୁଲିସ ଗୁରୁତର ଆହତ ହୋଇଥିବା ସୋମନାଥ ଓ ତାଙ୍କ ପରିବାରର ବୟାନ ଏବଂ ଫରେନ୍ସିକ୍ ରିପୋର୍ଟକୁ ଅପେକ୍ଷା କରି ନିଜ ଉପରୁ ଦାୟିତ୍ୱ ଓହ୍ଲାଇଦେଇଛି । ତଦନ୍ତରେ ପୁଲିସର ଏଭଳି ରହସ୍ୟଜନକ ମନ୍ଥରତାକୁ ନେଇ ସାଧାରଣରେ ଅନେକ ଆଲୋଚନା ହେଉଛି । ଗୋଟିଏ ପଟେ ସୋମନାଥକୁ ପିଛା କରି ସେ ଅଟକିବାବେଳେ ଓ ବାହାଘର ବରଯାତ୍ରୀ ସେହି ରାସ୍ତାରେ ଅତିକ୍ରମ କରିବା ବେଳେ ଯେଉଁଭଳି ଆକ୍ରମଣ ହେଲା ତାହା କୌଣସି ପେଷାଦାର ଅପରାଧୀ ଓ ସାର୍ପସୁଟରଙ୍କ କାମ ବୋଲି ସ୍ପଷ୍ଟ ଜଣାଯାଉଛି । ଅପରାଧୀମାନେ ପିକ୍ ଅପ୍ ଭ୍ୟାନର ଡାଲାରୁ ମାତ୍ର ୫ ଫୁଟ ଦୂରରୁ ସୋମନାଥ ଉପରକୁ ପ୍ରାୟ ୬ଟି ଗୁଳି ଚଳାଇଥିଲେ । ଏଥିରେ ଅପରାଧୀମାନେ ସୋମନାଥକୁ ସଂପୂର୍ଣ୍ଣ ଭାବେ ଶେଷ କରିଦେବାକୁ ନିଶ୍ଚୟ କରି ଗୁଳିକରିଥିବା ଜଣାଯାଉଛି । ଆଖପାଖ ଅଂଚଳରୁ ମିଳିଥିବା ସିସିଟିଭି ଫୁଟେଜ୍ ସ୍ପଷ୍ଟ ନଥିବାରୁ ପିକ୍ ଅପ୍ ଭ୍ୟାନ୍ ସମ୍ପର୍କରେ କିଛି ଜାଣିପାରିନାହିଁ ବୋଲି କହିଛି । ଅପରପକ୍ଷରେ, ପିକ୍ ଅପ୍ ଭ୍ୟାନ୍ ଯଦି ଜାତୀୟ ରାଜପଥରେ ଅତିକ୍ରମ କରିଛି ତେବେ ନିଶ୍ଚିତ ଭାବେ ତା’ର ସ୍ପଷ୍ଟ ସିସିଟିଭି ଫଟୋ ଉତ୍ତୋଳିତ ହୋଇଥିବ, କିନ୍ତୁ ପୁଲିସ ଏଦିଗରେ ତଦନ୍ତ କରିଛି କି ନାହିଁ ସେନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ । ସୋମନାଥ ବ୍ରାଉନସୁଗାର ବ୍ୟବସାୟ ଛାଡ଼ି ମାଛ ବ୍ୟବସାୟ କରୁଥିଲା । ପାନବରଜ ଗୁଳିକାଣ୍ଡ ମାମଲାରେ ପୁଲିସ ଯେଭଳି ଜବତ ମୋଟରସାଇକଲ, ବନ୍ଧୁକ ଆଦିକୁ ଗୌଣ କରି ଏକ ବଡ଼ ଅପରାଧୀକୁ ଦୃଷ୍ଟି ଆଢ଼ୁଆଳରେ ରଖିଥିଲା ସେଭଳି ଏହି ମାମଲାରେ ମଧ୍ୟ ପୁଲିସର ତଦନ୍ତରେ ମନ୍ଥରତା ଅପରାଧୀଙ୍କୁ ସୁହାଉଥିବା ସାଧାରଣରେ ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର