ଖୋର୍ଦ୍ଧା: ପୂର୍ବର ବାଜପୁର-ଖୋର୍ଦ୍ଧା ରାସ୍ତାରେ ଦୁଇଟି ଏଟିଏମ୍ ଲୁଟ, ଗୁରୁଜଙ୍ଗ ୟୁକୋ ବ୍ୟାଙ୍କ ଲୁଟ, ବେଙ୍ଗୀଟାଙ୍ଗୀ ଜଙ୍ଗଲରୁ ଅଜଣା ମୃତଦେହ ଠାବ, ନିକଟରେ ଘରୋଇ ଫାଇନାନ୍ସ କର୍ମ୍ପଚାରୀଙ୍କ ଠାରୁ ଲୁଟ ଆଦି ଅନେକ ଅପରାଧିକ ଘଟଣାରେ ଖୋର୍ଦ୍ଧା ପୁଲିସ ଅପରାଗତା ପଦାରେ ପଡ଼ିଛି। ମେ’ ମାସ ୧୫ ତାରିଖରେ ପାନବରଜ ଗୁଳିକାଣ୍ଡ ଘଟଣାରେ ଯଦି ଆହତ ଓ ଅଭିଯୁକ୍ତ ପରସ୍ପର ବନ୍ଧୁ ହୋଇ ନଥାନ୍ତେ ତେବେ ସେହି ଘଟଣାର ଟେର ମଧ୍ୟ ପୁଲିସ ପାଇ ପାରି ନଥାନ୍ତା। ସେହିଭଳି ବୁଧବାର ଠେଙ୍ଗାହାଟ ଛକରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମଧ୍ୟ ପୁଲିସ ଏଯାଏଁ ଅପରାଧ ସମ୍ପର୍କରେ କୌଣସି ଟେର ପାଇ ପାରିନାହିଁ। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଫରେନ୍ସିକ ଟିମ୍ ଆସି ଗୁଳିକାଣ୍ଡ ହୋଇଥିବା ଘଟଣାସ୍ଥଳ ଯାଞ୍ଚ କରି ଫେରିଛି। ଘଟଣାସ୍ଥଳରୁ ୫ଟି ସ୍ଥାନରୁ ଖୋଖା ମିଳିଥିବା ବେଳେ ତିନିଟି ଗୁଳି ନିକଟରେ ଥିବା ଝରକାରେ ବାଜିଛି। ପୁଲିସ ସୂଚନାରେ ଆହତ ସୋମନାଥର ଅଣ୍ଟା, ପେଟ, ଡାହଣ ହାତ ଦେଇ ଡାହଣ ଛାତିରେ ତିନିଟି ଗୁଳି ବାଜିଛି। ଅର୍ଥାତ୍ ଘଟଣା ସ୍ଥଳରୁ ପୁଲିସକୁ ହିସାବର ୬ଟି ଗୁଳି ମଧ୍ୟରୁ ୫ଟି ଗୁଳିର ଖୋଖା ମିଳିଥିବା ବେଳେ ଅନ୍ୟ ଏକ ଗୁଳିର ଖୋଖା ମିଳି ପାରିନାହିଁ।

Advertisment

ସେହିଭଳି ନିକଟରେ ଥିବା ଦୁଇ-ତିନିଟି ସିସି ଟିଭି ଯାଞ୍ଚରେ ଗାଡ଼ି ମହିଳା ମହାବିଦ୍ୟାଳୟ ପଟରୁ ଆସି ଡାହଣପଟ ରାସ୍ତା ଦେଇ ୧୬ ନମ୍ବର ଜାତୀୟ ରାଜପଥ ଆଡ଼କୁ ଯିବା ଜଣାପଡ଼ୁଥିଲେ ମଧ୍ୟ ଆକ୍ରମଣରେ ବ୍ୟବହୃତ ବଲେରୋ ପିକ୍ଅପ୍ ଭ୍ୟାନର ନମ୍ବର କି ଚିହ୍ନଟ କରିବାକୁ କୌଣସି ବଳିଷ୍ଠ ପ୍ରମାଣ ପାଇ ପାରିନାହିଁ। ଅପରପକ୍ଷରେ ଖୋର୍ଦ୍ଧା ଟାଉନ ଥାନା ପୁଲିସ ଆଜି ତିନିଜଣଙ୍କୁ ଆଣି ଥାନାରେ ପଚରାଉଚୁରା କରିଥିଲା। ସେମାନଙ୍କ ମଧ୍ୟରୁ ଜଣକୁ ଛାଡ଼ି ଦେଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ପଚରାଉଚୁରା ଜାରି ରହିଥିବା ଜଣାଯାଇଛି। ଅପରାହ୍ନରେ ଆହତ ସୋମନାଥର ପରିବାର ପକ୍ଷରୁ ଲିଖିତ ଏତଲା ଦିଆଯାଇଛି।

ଏତଲାରେ ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଓ ଏଥିପାଇଁ ବିପକ୍ଷ ବ୍ରାଉନସୁଗାର ବେପାରୀର ହାତ ଥିବା ସନ୍ଦେହ କରାଯାଇଛି। ତେବେ ଏତଲା ଓ ଅନୁସନ୍ଧାନର ଦିଗ କେତେ ଦୂର ଆଗେଇଲା ସେନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆ ଯାଇନାହିଁ। ଏନେଇ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି ଯେ ଫରେନ୍ସିକ୍ ରିପୋର୍ଟ ହସ୍ତଗତ ହେଲେ ଆକ୍ରମଣର କେତେଟି ଦିଗ ସ୍ପଷ୍ଟ ହେବ। ଆହତଙ୍କ ଚିକିତ୍ସା ଚାଲୁଥିବାରୁ ତାଙ୍କର ବୟାନ ରେକର୍ଡ କରା ଯାଇନାହିଁ। ବୟାନ ମିଳିବା ପରେ ମଧ୍ୟ ଆକ୍ରମଣର କାରଣ ଓ ଆକ୍ରମଣକାରୀଙ୍କ ସମ୍ପର୍କରେ ନିର୍ଦିଷ୍ଟ ତଥ୍ୟ ମିଳିବା ସମ୍ଭାବନା ରହିଛି। ବର୍ତ୍ତମାନ ବିଭିନ୍ନ ଦିଗର ତର୍ଜମା ଚାଲିଛି ବୋଲି କହିଥିଲେ। ଅର୍ଥାତ୍ ପୁଲିସ ମଧ୍ୟ ଅପରାଧୀଙ୍କୁ ଧରିବା ପାଇଁ ଅନ୍ଧାରରେ ଏକ ପ୍ରକାର ବାଡ଼ି ବୁଲାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଦୁଇଜଣ ଆକ୍ରମଣକାରୀ ପିକ୍ ଅପ୍ ଭ୍ୟାନର ପଛପଟେ ରହି ଗୁଳିମାଡ଼ କରିଥିଲେ। ସେମାନଙ୍କ ଗୁଳି ଏଭଳି ଲକ୍ଷ୍ୟନିଷ୍ଠ ଥିଲା ଯେ ନିକଟରେ ସୋମନାଥର ଛୋଟ ଭାଇ ଓ ଅନ୍ୟ ୪-୫ଜଣ ଠିଆ ହୋଇଥିଲେ ମଧ୍ୟ ସେମାନଙ୍କୁ ଗୁଳି ବାଜିନଥିଲା। କେବଳ ଏହାନୁହେଁ ସୋମନାଥକୁ ଠେଙ୍ଗାହାଟ ଛକରେ ଅଟକିବା ନେଇ ମଧ୍ୟ ଆକ୍ରମଣକାରୀ ମାନେ ଜାଣିଥିଲେ। ଏଣୁ ସୋମନାଥ ଦୋକାନରୁ ସାମଗ୍ରୀ କିଛି ଅଟକିବା ସମୟରେ ସେଠାରେ ପହଞ୍ଚି ଗୁଳିମାଡ଼ କରି ଆଖିପିଛୁଳାକେ ସେମାନେ ସେଠାରୁ ଚାଲି ଯାଇଥିଲେ।