ବଲାଙ୍ଗୀର: ବଲାଙ୍ଗୀରରେ ମୁହାଁମୁହିଁ ହୋଇଛନ୍ତି ପୁଲିସ-ମାଓବାଦୀ। ତୁରେକେଲା ଥାନା ଛତ୍ରଦଣ୍ଡି ଜଙ୍ଗଲରେ କମ୍ବିଂ ଅପରେସନ ସମୟରେ ପୁଲିସର ଡିଭିଏଫ୍ ଓ ଏସ୍ଓଜି ଟିମ୍ ସହ ମାଓବାଦୀମାନେ ମୁହାଁମୁହିଁ ହୋଇଥିବା ବଲାଙ୍ଗୀର ଏସ୍ପି ନିତିନ କୁଶଳକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍ପିଙ୍କ ସୂଚନା ଅନୁସାରେ, ଜଙ୍ଗଲ ଭିତରେ ମାଓ କ୍ୟାମ୍ପ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମଙ୍ଗଳବାର ରାତି ପ୍ରାୟ ୯ଟାରେ ଡିଭିଏଫ୍ ଓ ଏସ୍ଓଜି ଯବାନ କମ୍ବିଂ ଅପରେସନ କରିଥିଲେ। ପ୍ରଥମେ ମାଓବାଦୀଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ପୁଲିସ ଟିମ୍ ବି ପାଲଟା ଜବାବ ଦେଇଥିଲା।
ଦଶ ମିନିଟ ଧରି ଉଭୟ ପଟୁ ଗୁଳି ବିନିମୟ ହୋଇଥିଲା। ପୁଲିସ ପଟୁ ୧୦୯ ରାଉଣ୍ଡ ଗୁଳି ଫୁଟିଥିଲା। ଗୁଳିବିନିମୟରେ କାହାରି କିଛି କ୍ଷତି ହୋଇନଥିବା ବେଳେ ମାଓବାଦୀମାନେ ଅନ୍ଧାରର ସୁଯୋଗ ନେଇ ଫେରାର ମାରିଥିଲେ। ମାଓବାଦୀମାନେ ଯେଉଁଠି କ୍ୟାମ୍ପ କରିଥିଲେ ସେଠାରୁ ପୁଲିସ ଟିମ୍ ମାଓ ସମାଗ୍ରୀ ଜବତ କରିଛି।
ମାଓ କ୍ୟାମ୍ପରୁ ତିନୋଟି ଛୁରି, ଟର୍ଚ୍ଚ ଲାଇଟ, ଜୋତା, ସୋଲାର ପ୍ଲେଟ୍, ଚପଲ, ମଗ୍, ସାର୍ଟ ଓ ପେଣ୍ଟ ଆଦି ଜବତ କରାଯାଇଛି। ଏବେବି ଛତ୍ରଦଣ୍ଡି ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଥିବା ଏସ୍ପି ସୂଚନା ଦେଇଛନ୍ତି। ମାଓବାଦୀମାନେ ବିବିଏମ୍ ଡିଭିଜନର ବୋଲି ପୁଲିସ କହିଛି। କ୍ୟାମ୍ପରେ ପ୍ରାୟ ୫ରୁ ୧୦ ଜଣ ମାଓବାଦୀ ଥିବା ଏସ୍ପି କହିଛନ୍ତି। ତୁରେକେଲା ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/45ac728a-a8ac-47b7-8f38-fe882f1d8996.jpg)