ଖୋର୍ଦ୍ଧା ସହରକୁ ଲେଉଟିଲା ୬ ବର୍ଷ ପୂର୍ବ ବେଆଇନ ବନ୍ଧୁକର ଇତିହାସ

ଆଉ ଏକ "ଅପରେସନ୍ ବ୍ଲାକସ୍ମୋକ୍‌' ପାଇଁ ଖୋର୍ଦ୍ଧା ପୁଲିସର ପ୍ରସ୍ତୁତି ଆରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ, ଗଂଜେଇ, ବ୍ରାଉନ୍ସୁଗାର ଆଦି ବେଆଇନ କାରବାର ହେଉଥିଲା । ଜାତୀୟ ରାଜପଥରେ ରାହାଜାନି, ଡକାୟତି ହେଉଥିଲା । ତେବେ ହତ୍ୟା ଆଦି ଜଘନ୍ୟ ଅପରାଧ ସଂଖ୍ୟା ଅନ୍ୟ ଅପରାଧ ଠାରୁ ଆପାତତଃ କମ୍ ରହିଥିଲା । ବର୍ତମାନ ଖୋର୍ଦ୍ଧା ସହରରେ କଥାକଥାକେ ଗୁଳି ଫୁଟୁଛି । ଗତ ୧୫ ଦିନ ମଧ୍ୟରେ କେବଳ ଖୋର୍ଦ୍ଧା ସହର ମଧ୍ୟରୁ ୬ଟି ବନ୍ଧୁକ ଜବତ ହୋଇଛି । ଡିସେମ୍ବର ୨୦୨୦ରେ ଖୋର୍ଦ୍ଧା ଉପକଣ୍ଠ ଗୁରୁଜଙ୍ଗରେ ଗାଡ଼ି ପାର୍କିଂକୁ କେନ୍ଦ୍ର କରି ଗୁଳି ଚଳାଇବା ଘଟଣା ପୁଲିସ ପାଇଁ ଏକ ସତର୍କ ଘଂଟିଥିଲା । ଏନେଇ ତଦନ୍ତ ଚାଲିଥିବା ବେଳେ ପୁଣି ଜାନୁଆରୀରେ ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ଘରର ଜ୍ୱାଇଁ ଶାଶୁ-ଶ୍ୱଶୁରଙ୍କ ଉପରକୁ ଗୁଳି ଚଳାଇଥିଲା । ଏହି ଦୁଇଟି ଘଟଣା ଖୋର୍ଦ୍ଧା ପୁଲିସ ପାଇଁ ଏକ ଖୋଲା ଚାଲେଂଜ୍ ଥିଲା । ସାରୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଦ୍ୱିତୀୟ ଘଟଣାର ତଦନ୍ତରେ ମୁଖ୍ୟ ଆସାମୀ ରାମଚନ୍ଦ୍ର ଦାସ ପୂର୍ବରୁ ହଳିଦିଆ ବ୍ୟାଙ୍କ ଡକାୟତି ମାମଲାରେ ଜଡ଼ିତ ଥାଇ ଗିରଫ ହୋଇଥିଲା । ଜେଲରେ ଅନ୍ୟ ଅପରାଧିଙ୍କ ସହ ମିଶି ଏକ ଗ୍ୟାଙ୍ଗ ଗଠନ କରିଥିଲା । ଜାମିନରେ ଜେଲରୁ ଫେରିବା ପରେ ଏହି କାଣ୍ଡ ଭିଆଇଥିଲେ । ଏହି ଘଟଣାରେ, ପୁଲିସ ଫେବ୍ରୁଆରୀ ୧୨ ତାରିଖରେ ମୁଖ୍ୟ ଆସାମୀ ରାମଚନ୍ଦ୍ର ସହ ୨ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ପିସ୍ତଲ ଜବତ କରିଥିଲା ।

ସେହିଭଳି ଅନ୍ୟ ଏକ ଡକାୟତି ଘଟଣାରେ ୨ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଥିଲା । ଗୁରୁଜଙ୍ଗ ଗାଡ଼ି ପାର୍କିଂ ଘଟଣାର ତଦନ୍ତରେ ଫେବ୍ରୁଆରୀ ୨୭ ତାରିଖରେ ପେଶାଦାର ଅପରାଧି ଦୀପକ କୁମାର ପ୍ରଧାନ ଓରଫ ଦିପୁ କୁମାରବସ୍ତ ଅଂଚଳରୁ ଗିରଫ ହେବା ସହ ତାଙ୍କ ନିକଟରୁ ପିସ୍ତଲ ଓ ଅଫୁଟାଗୁଳି ଜବତ କରାଯାଇଥିଲା । ସେହିଭଳି ଗତକାଲି (ମାର୍ଚ୍ଚ ୨ ତାରିଖ)ରେ ପୁଲିସ ୨ ପେଷାଦାର ଅପରାଧିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଟି ପିସ୍ତଲ ଓ ଅଫୁଟା ଗୁଳି ଜବତ କରିଥିଲା । ଏନେଇ ଏସ୍ଡିପିଓ ସୁଶୀଲ କୁମାର ମିଶ୍ର କହିଛନ୍ତି ଯେ ବନ୍ଧୁକ ଗୁଡ଼ିକ ୯ଏମଏମ୍ରୁ ୭ ଏମ୍ଏମ୍ ମଧ୍ୟରେ ରହିଛି । ଖୋର୍ଦ୍ଧାରେ ଦେଶୀ ବନ୍ଧୁକ ତିଆରି କରିବା କିଛି ଲୋକ ରହିଛନ୍ତି । ସେମାନଙ୍କୁ ପୁଲିସ ଅନେକ ଥର ଗିରଫ କରିଛି । କିନ୍ତୁ ଧରାପଡ଼ିଥିବା ବନ୍ଧୁକ ଜିଲ୍ଲାବାହାରୁ ଆସିଥିବା ଅନୁମାନ କରାଯାଉଛି । ତେବେ ଏନେଇ ତଦନ୍ତ ଚାଲିଛି । ତଦନ୍ତରେ ଅନେକ କଥା ଜଣାପଡ଼ିଛି । ତଥ୍ୟ ଆଧାରରେ ବେଆଇନ ବନ୍ଧୁକ କାରବାର ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ପାଇଁ ପ୍ରସ୍ତୁତି ଚାଲିଛି । ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯିବ ।

ସୂଚନାଯୋଗ୍ୟ, ଖୋର୍ଦ୍ଧାରେ ପ୍ରାୟ ୬ ବର୍ଷ ପୂର୍ବେ ଖୋର୍ଦ୍ଧା ଗ୍ରାମାଂଚଳରେ ବେଆଇନ ବନ୍ଧୁକ କାରବାର ବୃଦ୍ଧି ପାଇଥିଲା । ୨୦୧୫ ମଇ ମାସରେ ତମାଣ୍ଡୋ ଠାରେ ପୁଲିସ ପାଟ୍ରୋଲିଂ ଟିମ୍ ହାତରେ ଅନ୍ଧାରୁଆ ଗାଁର ଦୁଇଜଣ ଅପରାଧି ଧରାପଡ଼ିଥିଲେ । ପଚରାଉଚୁରାରେ ଖୋର୍ଦ୍ଧାରେ ଚାଲିଥିବା ବେଆଇନ ବନ୍ଧୁକ କାରବାର ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା । ଏହାପରେ ଏନେଇ ଭୁବନେଶ୍ୱର କମିଶନରେଟ୍ ପୁଲିସ ଓ ଖୋର୍ଦ୍ଧା ପୁଲିସ ମିଳିତ ଭାବେ ଏକ ଅପରେସନ୍ “ଅପରେସନ୍ ବ୍ଲାକ୍ସ୍ମୋକ୍’ ଆରମ୍ଭ କରିଥିଲେ । ଜଙ୍କିଆ ଥାନା ଅଧୀନ ପାଣିଛତ୍ର ଗାଁରେ ଚଢ଼ଉ କରି ଏକ ବେଆଇନ ବନ୍ଧୁକ ତିଆରି କାରଖାନାକୁ ଧ୍ୱସ୍ତ କରିଥିଲେ । ବାବୁଲି ମହାରଣା ଓ ଅଧିକାରୀ ମହାରଣାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭.୬୫ଏମ୍ଏମ୍ ପିସ୍ତଲ, ୩ଟି ଦେଶୀ ରିଭଲଭର, ଗୋଟିଏ ଦେଶୀ ଗୋଟିଏ ଗୁଳି ପିସ୍ତଲ, ୩ଟି ଅର୍ଦ୍ଧନିର୍ମିତ ରିଭଲଭର ସମେତ ୩୬ଟି ଅଫୁଟା ଗୁଳି ଜବତ କରିଥିଲେ ।

୨୦୨୦ ନଭେମ୍ବରରେ କଟକ ପୁଲିସର ଯୁଗ୍ମ ଚଢ଼ଉରେ ପୁଣି ଥରେ ପାଣିଛତ୍ର ଗାଁର ବାବୁଲି ମହାରଣା ଓ ତାଙ୍କ ପୁଅ ସୋମନାଥ ମହାରଣାଙ୍କୁ ଗିରଫ କରିଥିବା ତାଙ୍କ ନିକଟରୁ ୯ ଏମ୍ଏମ୍ ପିସ୍ତଲ, ଗୋଟିଏ ଦେଶୀ ରିଭଲଭର, ୧୦ ଅଫୁଟା ଗୁଳି ଜବତ କରିଥିଲେ । ସେମାନେ ଏହି ବନ୍ଧୁକ କଟକରେ ବିକ୍ରି କରିବାକୁ ଆଣିଥିବା ସ୍ୱୀକାର କରିଥିଲେ ।

ସମ୍ବନ୍ଧିତ ଖବର