ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୂଦନପୁର ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଅଢ଼େଇ ବର୍ଷର ଶିଶୁକନ୍ୟା ପିହୁ ନିଖୋଜ ଘଟଣାକୁ ୬ ମାସ ବିତିଥିଲେ ମଧ୍ୟ ପୁଲିସକୁ ଏଯାଏ ସଫଳତା ମିଳିନାହିଁ। ସୁନ୍ଦରପୁର ଗ୍ରାମରେ ଥିବା ପୋଖରୀକୁ ଶୁଖାଇ ଖୋଜିବା ସହ ନିରୁଦ୍ଦିଷ୍ଟ ପୋଷ୍ଟର ଲଗାଇ ନିରାଶ ହୋଇଛି। ଖାଲି ସେତିକି ନୁହେଁ ପିହୁର ବାପାଙ୍କ ସମେତ ତାଙ୍କ ବନ୍ଧୁବାନ୍ଧବଙ୍କୁ ପୁଲିସ ବାରମ୍ବାର ଥାନାକୁ ଡକାଇ ପଚରାଉଚରା କରୁଛି। ଗତକାଲି ଅପରାହ୍ଣରେ ରଣପୁର ଅଞ୍ଚଳରୁ ପିହୁର ମା' ମୋନାଲିସା ନାୟକଙ୍କ ମଉସା ଓ ତାଙ୍କ ପୁଅଙ୍କୁ ବିଂଝାରପୁର ପୁଲିସ ଉଠାଇ ଆଣି ଥାନାରେ ଅଟକ ରଖିଥିଲା। ମାରାଥନ ଜେରା କରିବାପରେ ବିଳମ୍ଵିତ ରାତିରେ ପୁଅକୁ ଛାଡ଼ି ଦେଇଥିଲା। ମଉସା ଏ ପର୍ଯ୍ୟନ୍ତ ଥାନାରେ ଅଟକ ଅଛନ୍ତି। ଅତିରିକ୍ତ ଏସପି ନାରାୟଣ ଚନ୍ଦ୍ର ବାରିକ, ମଙ୍ଗଳପୁର ଆଇଆଇସି ଅସିତ ରଂଜନ ମହାନ୍ତି ଓ ବିଂଝାରପୁର ଥାନା ଆଇଆଇସି ନିରଂଜନ ଶବର ତାଙ୍କୁ ଜେରା କରୁଛନ୍ତି।
ଆଜି ପୂର୍ବାହ୍ଣ ୧୦ଟାରୁ ପିହୁର ମା' ମୋନାଲିସା ନାୟକ, ତାଙ୍କ ମା' କବିତା ନାୟକ, ମାଉସୀ ଅମ୍ଵିକା ଜେନା, ମାଉସୀ ପୁଅ ସୁନୀଲ ଜେନାଙ୍କ ସମେତ ଗ୍ରାମବାସୀ ବିଂଝାରପୁର ଥାନାରେ ପହଞ୍ଚି ମଉସାଙ୍କୁ ଥାନାରୁ ଆଣିବା ପାଇଁ ବସି ରହିଛନ୍ତି। ଏଥିସହ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ମୋନାଲିସାଙ୍କ କହିବା ଅନୁସାରେ ପୁଲିସ ମୋ ସଂପର୍କୀୟଙ୍କୁ କହୁଛି ପିହୁ ତୁମ ପାଖରେ ଅଛି ବୋଲି ମାନିଯାଅ ନହେଲେ ତୁମକୁ ଛାଡ଼ିବୁ ନାହିଁ। ଏଭଳି କରି ପୂରା ପରିବାର ଓ ବନ୍ଧୁବାନ୍ଧବଙ୍କୁ ମାନସିକ ଯନ୍ତ୍ରଣା ଦେଉଛି ପୁଲିସ। ମୋ ସଂପର୍କୀୟଙ୍କ ଉପରେ ଚାପ ପ୍ରୟୋଗ କରୁଛି ବୋଲି ଫୋନ ଯୋଗେ ଯାଜପୁର ଏସପି ରାହୁଲ ପିଆର୍କୁ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/c45d525f-770f-463d-bbae-d63f043891f9.jpg)