ରାଇରଙ୍ଗପୁର: ଖାକିରେ ଲାଗିଛି ଦାଗ। କୁନ୍ଦୁଲି ପୀଡ଼ିତାଙ୍କ ଘଟଣା ନେଇ ସମଗ୍ର ରାଜ୍ୟରେ ସୁରକ୍ଷା କର୍ମଚାରୀଙ୍କ ପ୍ରତି ଏକ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନାର ଜଣେ ପୁଲିିସ ଅଧିକାରୀ ମହୁଲଡ଼ିହା ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ସହିତ ଅସଞ୍ଜତ ଅବସ୍ଥାରେ ଥିବା ବେଳେ ମହିଳାଙ୍କ ସ୍ୱାମୀ ତଥା ଗ୍ରାମବାସୀଙ୍କ ହାତରେ ଧରାପଡ଼ି ନିସ୍ତୁକ ମାଡ଼ ଖାଇବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କାରଣ ହୋଇଛି।। ପରେ ମହିଳାଙ୍କ ସ୍ୱାମୀ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପୁଲିସ  ପହଞ୍ଚି ଅଭିଯୁକ୍ତ ପୁଲିସ ଏଏସଆଇଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଛନ୍ତି।ସେହିପରି ପୁଲିସ ସମ୍ପୃକ୍ତ ମହିଳାଙ୍କ ଘରୁ ପୁଲିସ ଅଧିକାରୀଙ୍କ ପୋଷାକ, ଜୋତା ଓ ମୋବାଇଲ ଫୋନ ଜବତ କରିଛି।

Advertisment

ମହୁଲଡିହା ଥାନା ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ଥାନାର ଜଣେ ଏଏସଆଇ ପୂର୍ବରୁ ମହୁଲଡିହା ଥାନାରେ ପୋଷ୍ଟିଂ ଥିଲେ। ସେହି ସମୟରେ  ମହୁଲଡିହା ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ସହିତ ତାଙ୍କର ଅନୈତିକ ସମ୍ପର୍କ ଥିଲା। ଅଳ୍ପ ଦିନ ତଳେ ତାଙ୍କର ଠାକୁରମୁଣ୍ଡା ଥାନାକୁ ବଦଳି ହୋଇଛି। ତେବେ ତାଙ୍କ ସହିତ ପତ୍ନୀଙ୍କ ସମ୍ପର୍କ ନେଇ ମହିଳାଙ୍କ ସ୍ୱାମୀ ସନ୍ଦେହ କରୁଥିଲେ ମଧ୍ୟ ଠୋସ ପ୍ରମାଣ ପାଉ ନ ଥିଲେ। ଗତକାଲି ମହିଳାଙ୍କ ସ୍ୱାମୀ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ ଏଏସଆଇ ଜଣକ ମହିଳାଙ୍କ ପାଖରେ ପହଞ୍ଚିଥିଲେ। ତେବେ ଉଭୟ ଘର ଭିତରେ ଅସଞ୍ଜତ ଅବସ୍ଥାରେ ଥିବା ବେଳେ ମହିଳାଙ୍କ ସ୍ୱାମୀ ଘରେ ପହଞ୍ଚଇଥିଲେ। ଉଭୟଙ୍କୁ ଏପରି ଅବସ୍ଥାରେ ଦେଖି ସ୍ୱାମୀ ଗ୍ରାମର କିଛି ଯୁବକଙ୍କୁ ଡ଼ାକି ଉଭୟଙ୍କୁ ସେହି ଅବସ୍ଥାରେ ଧରି ବାହାରକୁ ଆଣିଥିଲେ। ଗ୍ରାମବାସୀମାନେ ପୁଲିସ ଅଧିକାରୀଙ୍କୁ ଏଥିପାଇଁ ନିସ୍ତୁକ ମାଡ଼ ମାରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଧିକାରୀ ଓ ମହିଳାଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛନ୍ତି। ତେବେ ମହିଳା ଜଣକ ଏଏସଆଇଙ୍କ ନାମରେ କୌଣସି ଅଭିଯୋଗ କରି ନ ଥିବା ବେଳେ ତାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ଦଫା ୫୦୬,୨୯୪ଓ ୪୯୭ରେ ୫/୨୦୧୮ ନମ୍ବର ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।