ଶାଗବାହାଲ ଚକ୍ରଧର ମୃତ୍ୟୁ ଘଟଣା: ପୁଲିସର ନିରବତାକୁ ବିରୋଧ, ଫାଣ୍ଡି ଘେରାଉ

ହତ୍ୟା ଅଭିଯୋଗ ଆଣିଥିଲେ ପରିବାର 

ସୁନ୍ଦରଗଡ଼: ତଳସରା ଥାନା ଅନ୍ତର୍ଗତ ଶାଗବାହାଲ କହ୍ନେଇଘରାର ଚକ୍ରଧର ସାଏ (୨୨) ମୃତ୍ୟୁ ମାମଲାରେ ପୁଲିସର ନିରବତାକୁ ନେଇ ବନଡେଗାରେ ଲୋକେ ତାତିଛନ୍ତି। ଆଜି ପ୍ରତିବାଦରେ ଓଡ଼ିଶା ପ୍ରଗତି ଦଳ ସହ ଶାଗବାହାଲ, ବନଡେଗା, ଲୁଲୁକିଡିହିର ଶତାଧିକ ଲୋକ ବନଡେଗା ଫାଣ୍ଡି ଘେରିଥିଲେ। ଗତ ମେ’ ୧୪ରେ ଏକ ବଲେରୋ ପିକଅପ୍ ଦୁର୍ଘଟଣାରେ ଚକ୍ରଧରଙ୍କ ମୃତ୍ୟୁ ହୋଇଯାଇଥିବା ଦର୍ଶାଇ ପୁଲିସ ଏକ ମାମଲା ରୁଜୁ କରିଥିଲା। ତାର ଦୁଇ ଦିନ ପରେ ଚକ୍ରଧରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଲିଖିତ ଏତଲା ସତ୍ତ୍ବେ ପୁଲିସ କୌଣସି ତଦନ୍ତ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ କରିଛନ୍ତି ପରିବାର।

କହ୍ନେଇଘରାର ମୃତ ଚକ୍ରଧରଙ୍କ ପିତା କରମଚାନ୍ଦ ସାଏଙ୍କ ଅଭିଯୋଗ ଅନୁସାରେ, ଚକ୍ରଧର ଶାଗବାହାଲର ଜୟରାଜ ସାହୁଙ୍କ ବୋଲେରୋ ପିକ-ଅପ୍‌ ଚାଳକ ଭାବେ ନିୟୋଜିତ ଥିଲେ। ଘଟଣାକ୍ରମେ ଗତ ମେ ୧୪ ଅପରାହ୍ନ ୫ଟାରେ ଜୟରାଜ ଚକ୍ରଧର ଶାଗବାହାଲରୁ ଗାଡ଼ି ନେଇ ତଳସରା ଯିବାକୁ କହିଥିଲେ। ଚକ୍ରଧର ଗାଡ଼ି ନେଇ ବାହାରିଥିଲା। ରାତି ୭ଟାରେ ଜୟରାଜ କହ୍ନେଇଘରା ଆସି କରମଚାନ୍ଦଙ୍କୁ ଛାପଲ ଠାରେ ଗାଡ଼ି ଦୁର୍ଘଟଣା ହୋଇଥିବା ସୂଚନା ଦେଇଥିଲେ। ଏହା ପରେ ତୁରନ୍ତ କରମଚାନ୍ଦ, ତାଙ୍କ ପତ୍ନୀ ମିନତି ଓ ଭାଇ ସାଗରାମ ବାଇକ୍ ଯୋଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଡ଼ିଟି ଓଲଟି ପଡ଼ିଥିବା ଦେଖାଯାଇଥିଲା। କିନ୍ତୁ ପୁଅ ଚକ୍ରଧର ସେଠାରେ ନଥିଲା।

ଜୟରାଜଙ୍କ ଲୋକେ ଚକ୍ରଧର ଭଲ ଥିବା ଓ ଡାକ୍ତରଖାନା କି କୁଆଡ଼େ ଚାଲି ଯାଇଛି ବୋଲି କହି ସେମାନେ ଆଣିଥିବା ସ୍କୋର୍ପିଓ ଗାଡ଼ିରେ ବସାଇ ସବଡେଗା, ତଳସରା ଡାକ୍ତରଖାନା ବୁଲାଇ ଘରେ ଛାଡ଼ିଥିଲେ। ରାତିରେ ପରିବାର ଲୋକେ ପୁଣି ଘଟଣାସ୍ଥଳକୁ ଗଲା ବେଳକୁ ସେଠାରେ ଉପସ୍ଥିତ ଥିବା ପୁଲିସ ଚକ୍ରଧରଙ୍କ ମୃତ୍ୟୁ ହୋଇଯାଇଛି କହି ମୃତଦେହକୁ ଦେଖାଇଥିଲେ।

ତେବେ ମୃତଦେହଟି ଦୁର୍ଘଟଣାସ୍ଥଳରୁ ୫୦ ମିଟର ଦୂରରେ ପଡ଼ିଥିବାରୁ ପରିବାର ଲୋକେ ସନ୍ଦେହ କରିଥିଲେ। ଅନ୍ୟପଟେ ୧୫ ତାରିଖରେ ଥାନାକୁ ଯାଇଥିବା ବେଳେ ବନମାଳୀ ବାରସତିଆ ନାମକ ଜଣେ ବ୍ୟକ୍ତି ଘଟଣାକୁ ରଫାଦଫା କରିବାକୁ ପ୍ରଲୋଭନ ଦେଖାଇବାରୁ ସନ୍ଦେହ ଦ୍ବିଗୁଣିତ ହୋଇଯାଇଥିଲା ବୋଲି କରମଚାନ୍ଦ ପ୍ରକାଶ କରିଛନ୍ତି। ସେଦିନ ଜୟରାଜ ଚକ୍ରଧରଙ୍କ ମୋବାଇଲ ଓ ମନିପର୍ସ ଫେରାଇଥିଲେ ମଧ୍ୟ ମୋବାଇଲର ମେମୋରି କାର୍ଡକୁ କାଢ଼ି ନେଇଥିଲେ। ବନଡେଗା ଫାଣ୍ଡି ଅଧିକାରୀଙ୍କ କହିବା ମୁତାବକ ଏକ ଏତଲା ଲେଖା ଯାଇଥିଲା ଓ ତାଙ୍କ ଠାରୁ ଦସ୍ତଖତ ନିଆଯାଇଥିଲା ବୋଲି କରମଚାନ୍ଦ ଅଭିଯୋଗ କରିଛନ୍ତି। ଏହା ପରେ ତାଙ୍କ ପୁଅକୁ ଯୋଜନାବଦ୍ଧ ଭାଖବେ ହତ୍ୟା କରାଯାଇଥିବା ଅଭିଯୋଗ କରି କରମଚାନ୍ଦ ୧୭ ତାରିଖରେ ଏକ ଏତଲା ଦେଇଥିଲେ। କିନ୍ତୁ ପୁଲିସ ନିରବ ରହିଥିବା ଅଭିଯୋଗ କରି ଏସପି ତୁରନ୍ତ ନ୍ୟାୟ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଧାରଣାସ୍ଥଳରେ ସୁନ୍ଦରଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ମଧୁସିକ୍ତା ମିଶ୍ର, ତଳସରା ଥାନାଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ପ୍ରମୁଖ ପହଞ୍ଚି ଆଲୋଚନା କରୁଛନ୍ତି। ଧାରଣାରେ ଓଡ଼ିଶା ପ୍ରଗତି ଦଳ ସୁନ୍ଦରଗଡ଼ ଜିଲ୍ଲା ସଭାପତି ପ୍ରଫୁଲ୍ଲ ରୋହିଦାସ, ଜିଲ୍ଲା ଉପ ସଭାପତି ଦିଲୀପ କୁମାର ସାଏ, ଜିଲ୍ଲା ଅନୁସୂଚୀତ ଜାତି ସଭାପତି ଦୁର୍ଯ୍ୟୋଧନ ଗରଡିଆ, ବାଲିଶଙ୍କରା ବ୍ଲକ ସଭାପତି ବାଙ୍କ ବିହାରୀ ମାଝୀ ଓ ରାଜ୍ୟ ସଂପାଦକ ସନ୍ତୋଷ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର