ନିଆଳି: ନିଆଳି ବ୍ଲକ୍ ଅନ୍ତର୍ଗତ କସର୍ଦ୍ଦା ଓ ବିନିଶପୁରରେ ପୁଲିସ୍ ଫାଣ୍ଡି ସ୍ଥାପନ ପାଇଁ ଅଞ୍ଚଳବାସୀ ବହୁଦିନ ହେଲା ଦାବି କରିଆସୁଛନ୍ତି। ପ୍ରଶାସନ ପକ୍ଷରୁ ଏ ନେଇ ପ୍ରତିଶ୍ରୁତି ମଧ୍ୟ ମିଳୁଛି। ହେଲେ, ଫାଣ୍ଡି ପ୍ରତିଷ୍ଠା ହେଉନାହିଁ। ଏଥିଯୋଗୁଁ ଉକ୍ତ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ କରାଯାଇପାରୁ ନ ଥିବା ଅଭିଯୋଗ ହେଉଛି। ଏ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ପ୍ରକାଶଥାଉ କି, ନିଆଳି ବ୍ଲକ୍ ଅନ୍ତର୍ଗତ ଦେବୀକନ୍ଦଳ ଦ୍ବୀପାଞ୍ଚଳର ୬ଟି ପଞ୍ଚାୟତ କସର୍ଦ୍ଦା ବିଟ୍ ହାଉସ୍ ଅଧୀନରେ ରହିଛି। ହେଲେ, ବିଟ୍ ହାଉସ୍ରେ ଆବଶ୍ୟକ ପୁଲିସ୍ କର୍ମଚାରୀ, କାର୍ଯ୍ୟାଳୟ ପାଇଁ ଗୃହ ଓ ଅଧିକାରୀ ରହିବା ପାଇଁ କ୍ବାର୍ଟର୍ସ ନାହିଁ। ବିଶେଷ କରି, ପୁଲିସ୍ କର୍ମଚାରୀ ଅଭାବରୁ ଅଞ୍ଚଳରେ ଅପରାଧ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ବିଗତ ଦିନରେ ଏହି ଅଞ୍ଚଳରେ ହତ୍ୟା, ବୋମାମାଡ଼, ରାହାଜାନି ଆଦି ଘଟିବାର ନଜିର ରହିଛି। ଫଳରେ ବିଟ୍ ହାଉସ୍କୁ ଥାନା କିମ୍ବା ଫାଣ୍ଡିରେ ପରିଣତ କରି ଆବଶ୍ୟକ ସଂଖ୍ୟକ ପୁଲିସ୍ କର୍ମଚାରୀ ନିଯୁକ୍ତ କରିବା ଲାଗି ବିଭିନ୍ନ ସାମାଜିକ ସଂଗଠନ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଆସୁଛି। ହେଲେ, ଦାବି ପୂରଣ ହେଉ ନ ଥିବାରୁ ଜନଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି।
ସେହିପରି ନିଆଳି ଥାନା ଅନ୍ତର୍ଗତ ବିନିଶପୁରରେ ଫାଣ୍ଡି ପ୍ରତିଷ୍ଠା ଲାଗି ଜନସାଧାରଣ ଦାବି କରିଆସୁଛନ୍ତି। ବିନିଶପୁର ନିକଟ ନିଭରଣ, କୃଷ୍ଣପ୍ରସାଦ, ରତନପୁର, ମାଧବ ଆଦି ୫ଟି ପଞ୍ଚାୟତର ଜନସଂଖ୍ୟା ୩୦ ହଜାରରୁ ଅଧିକ। କୌଣସି ଅଭିଯୋଗ ପାଇଁ ଅଞ୍ଚଳବାସୀ ପ୍ରାୟ ୨୫ କିଲୋମିଟର ଦୂର ନିଆଳି ଥାନାକୁ ଯିବା ପାଇଁ ବାଧ୍ୟ ହୋଇଥା’ନ୍ତି। ଏହି ଅଞ୍ଚଳରେ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ସହ ଛୋଟବଡ଼ ଶିଳ୍ପସଂସ୍ଥା ଓ ବ୍ୟବସାୟ ପ୍ରତିଷ୍ଠାନ ରହିଛି। ଅଞ୍ଚଳରେ ଥିବା ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନ ଆଗରେ ଅଧିକାଂଶ ସମୟ ଅସାମାଜିକ ଯୁବକ ଅଘଟଣ ଘଟାଉଛନ୍ତି। ଏହାଛଡ଼ା ବିନିଶପୁର ମୁଖ୍ୟ ରାସ୍ତାର ଶିଖରଘାଟ ବ୍ରିଜ୍ ଜଗତସିଂହପୁର ଓ ନାଉଗାଁକୁ ସଂଯୋଗ କରୁଛି। ଏହାର ସୁଯୋଗ ନେଇ ଅସାମାଜିକ ଯୁବକମାନେ ଅପରାଧ ଘଟାଇ ଜିଲ୍ଲା ବାହାରକୁ ଖସି ଯାଉଛନ୍ତି। ବାରମ୍ବାର ଅପରାଧ ଓ ବିଭିନ୍ନ ସମସ୍ୟାକୁ ଆଖି ଆଗରେ ରଖି ବିନିଶପୁରରେ ପୁଲିସ୍ ଫାଣ୍ଡି ସ୍ଥାପନ ପାଇଁ ବାରମ୍ବାର ଦାବି କରାଯାଉଛି। ବିଭିନ୍ନ ସମାଜିକ ସଂଗଠନ ଏ ନେଇ ଧାରଣା ମଧ୍ୟ ଦେଇଛନ୍ତି। ଫାଣ୍ଡି ସ୍ଥାପନ ଲାଗି ତତ୍କାଳୀନ ଗ୍ରାମାଞ୍ଚଳ ଏସ୍ପି ଓ ତତ୍କାଳୀନ ସଦର ଏସ୍ଡିପିଓ ବିନିଶପୁରକୁ କ୍ଷେତ୍ର ପରିଦର୍ଶନ କରିଛନ୍ତି। କିନ୍ତୁ, ପୁଲିସ୍ ବିଭାଗ ପକ୍ଷରୁ ଫାଣ୍ଡି ପ୍ରତିଷ୍ଠା ଲାଗି ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ପାଇଁ କସର୍ଦ୍ଦା ବିଟ୍ ହାଉସ୍କୁ ଫାଣ୍ଡି କିମ୍ବା ଥାନାରେ ପରିଣତ କରିବା ସହ ବିନିଶପୁରରେ ଫାଣ୍ଡି ସ୍ଥାପନ ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାଣ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/NIALI-1-FILE-1-PHOTO-1_6.jpg)