ଆମ୍ବାଗୁଡ଼ା ଫାଣ୍ଡିକୁ ଥାନା ଘୋଷଣା ଦାବି କଲେ ଅଂଚଳବାସୀ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଓ ସଦରଥାନା ଅର୍ନ୍ତଗତ ଆମ୍ବାଗୁଡାରେ ଥିବା ଆମ୍ବାଗୁଡା ପୁଲିସ ପାଣ୍ଡିକୁ ଥାନା ଭାବେ ଘୋଷଣା କରିବାକୁ ଅଂଚଳବାସୀ ଦାବି କରିଛନ୍ତି। ଏ ନେଇ ଏକ ସ୍ମାରକପତ୍ର ଉପଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ପ୍ରଦାନ କରିଛନ୍ତି। ଜୟପୁର ସହରରୁ ୧୨କିଲୋମିଟର ଦୁରରେ ରହିଛି ଆମ୍ବାଗୁଡ଼ା। ଜୟପୁର ସଦର ଓ ବୋରିଗୁମ୍ମା ଥାନାର ମଧ୍ୟବର୍ତ୍ତୀ ଅଂଚଳରେ ଯଦିଓ ଆମ୍ବାଗୁଡା ରହିଥିଲେ ହେଁ ଏହାର ଅଂଚଳ ବିସ୍ତିର୍ଣ୍ଣ ରହିବା ସହ ଏହାର ଚାରିପଟେ ୩ରୁ ୪ଟି ପଂଚାୟତ ରହିଛି। ଆମ୍ବାଗୁଡ଼ା ଏବଂ ଏହାର ଏକ କିଲୋମିଟର ପରିଧି ମଧ୍ୟରେ ଆଇଟିଆଇ, ପଲିଟେକ୍ନିକ୍ କଲେଜ, ଇଂଜନିୟରିଂ, ଫାର୍ମସୀ କଲେଜ, ଡାକ୍ତରଖାନା, ସ୍କୁଲ ଆଦି ବି ରହିଛି। ଜାତୀୟ ରାଜପଥ ୨୬ବି ଗାଁ ମଧ୍ୟ ଦେଇ ଯାଇଛି। ଅନ୍ୟ ପକ୍ଷରେ ଦିନକୁ ଦିନ ଆମ୍ବାଗୁଡାରେ ଜନସଂଖ୍ୟା ଓ ଘର ସଂଖ୍ୟା ବି ବୃଦ୍ଧି ପାଇଛି। ସେଭଳି ଅଂଚଳରେ ଚୋରୀ, ରାହଜାନୀ, ଡକାୟତି, କୁକୁଡାଗାଲି, ଜୁଆ, ମଦ୍ୟପଙ୍କ ଆଡ୍ଡା ବି ବିଭିନ୍ନ ସମୟରେ ଜମୁଛି।

Sambad

ସେହି ମାତ୍ରାରେ ଦୁର୍ଘଟଣା, ଗଣ୍ଡଗୋଳ ଆଦି ବି ଜାରି ରହୁଛି। ଏଠାରେ ପାଣ୍ଡି ଥିଲେ ହେଁ ଏହା ସଠିକ ଭାବେ କାର୍ଯ୍ୟକାରୀ ହେଉନି। କୌଣସି ଅପରାଧ, ଚୋରୀ, ରାହଜାନୀ ଆଦି ହେଲେ ଜୟପୁର ସଦରଥାନାକୁ ସୂଚନା ଦେବା ପରେ ସେଠାରୁ ପୁଲିସ ଆସି ପହଚିଂବା ବେଳକୁ ଅପରାଧ ସଂଘଠିତ ହୋଇଯାଉଛି। ସେଭଳି ବୋରିଗୁମ୍ମା ଥାନାର ସୀମା ହରଡ଼ାପୁଟ ପର୍ଯ୍ୟନ୍ତ ରହିଛି।

ଆମ୍ବାଗୁଡାରୁ ଅତି ନିକଟରେ ଥିବା ଗାଁ ଗୁଡିକ ବି ବୋରିଗୁମ୍ମା ଥାନା ସୀମା ମଧ୍ୟରେ ରହିଛି। ଏସବୁ ଗାଁରେ ବି କିଛି ଘଟଣା ସଂଘଟିତ ହେଲେ ବୋରିଗୁମ୍ମାରୁ ପୁଲିସ ଆସି ପହଚିଂବା ବିଳମ୍ବ ହେଉଛି। ଏସବୁ ଦୃଷ୍ଟି କୋଣରୁ ଆମ୍ବାଗୁଡା ପାଣ୍ଡିକୁ ଥାନା ଭାବେ ଘୋଷଣା କରିବାକୁ ସମାଜସେବୀ ବି.ହରି ରାଓ, ଏମ୍ ଶ୍ରୀରାମ ରାଜୁ, ପିଣ୍ଟୁ ନାୟକ, ରଂଜନ ପାଇକ, ବାପ ବାରିକ ଆଦି ଅଂଚଳବାସୀ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କୁ ଦେଇଛନ୍ତି। ଆସନ୍ତା ୧୫ଦିନ ମଧ୍ୟରେ ଦାବି ପୁରଣ ନ ହେଲେ ଅଂଚଳବାସୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର